ଭିଣୋଇ କବ୍‌ଜାରୁ ମୁକୁଳିଲେ ଅପହୃତା ଶାଳୀ: ୨ ବର୍ଷ ହେଲା ଲୁଚାଇଥିଲା

ଭୁବନେଶ୍ବର: ଜନ୍ମଦିନ ପାଳନ ବାହାନାରେ ନାବାଳିକା ଶାଳୀକୁ ଅପହରଣ କରି ୨ ବର୍ଷ କାଳ ଲୁଚାଇ ରଖିଥିବା ଭିଣୋଇର କାରନାମା ପଦାକୁ ଆସିଛି। ନୂଆପଲ୍ଲୀ ଥାନା ପୁଲିସ ଅପହର୍ତ୍ତା ଭିଣୋଇ କବ୍‌ଜାରୁ ଶାଳୀକୁ ମୁକାଳି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ଏବଂ ଅପହର୍ତ୍ତା ଭିଣୋଇକୁ ଜେଲ୍‌ ହାଜତକୁ ପଠାଇ ଦେଇଛି। ଅଭିଯୁକ୍ତ ହେଲା କନ୍ଧମାଳ ଜିଲ୍ଲା ଫୁଲବାଣୀ ଅଞ୍ଚଳର ରାଜେଶ କୁମାର ସାହୁ(୨୫)। ୨୦୨୨ ନଭେମ୍ବର ୨୯ ତାରିଖ ଦିନ ଶାଳୀର ଜନ୍ମଦିନ ଥିବାରୁ ରାଜେଶ ନୂଆପଲ୍ଲୀସ୍ଥିତ ଶ୍ବଶୁର ଘରକୁ ଆସିଥି‌ଲା। ଜନ୍ମଦିନ ପାଳନ ପରେ ସେ ତାଙ୍କୁ ବୁଲାଇବା ବାହାନାରେ ଫୁଲବାଣୀ ନେଇ ଯାଇଥିଲା। କିନ୍ତୁ ନାବାଳିକା ଆଉ ଫୁଲବାଣୀରୁ ଫେରିନଥିଲେ।

ଶ୍ବଶୁର ଘର ଲୋକେ ପଚାରିବାରୁ ରାଜେଶ କଥା ବୁଲାଇଥିଲା। ସେ ବସ୍‌ରେ ଶାଳୀକୁ ଭୁବନେଶ୍ବର ଛାଡ଼ିଦେଇଥିଲା ବୋଲି ସଫେଇ ଦେଇଥିଲା। ଜୋଇଁର କଥାରେ ତାଳମେଳ ନଥିବାରୁ ବାପାମା ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ରାଜେଶକୁ ଡାକି ପଚରାଉଚରା କରିଥିଲା। କିନ୍ତୁ ଧୂର୍ତ୍ତ ରାଜେଶ ଶାଳୀକୁ ଲୁଚାଇ ରଖିଥିବା କଥା ମୋଟେ ମାନି ନଥିଲା। ପ୍ରମାଣ ଅଭାବରୁ ପୁଲିସ ବାଧ୍ୟ ହୋଇ ରାଜେଶକୁ ଛାଡ଼ି ଦେଇଥିଲା। ଏହା ଭିତରେ ଧୂର୍ତ୍ତ ରାଜେଶ ମଧ୍ୟ ପୁଲିସକୁ ଭୁଆଁ ବୁଲାଇବାକୁ ଯାଇ ନିୟମିତ ସମୟ ବ୍ୟବଧାନରେ ଶାଳୀକୁ ଲୁଚାଇ ରଖିଥିବା ସ୍ଥାନ ବଦଳାଉଥିଲା। କିନ୍ତୁ ନିୟମିତ ତାକୁ ପିଛା କରୁଥିବା ପୁଲିସ ଟିମ୍‌ ଗତ କିଛି ଦିନ ହେଲା ଫୁଲବାଣୀ ସହରର ଏକ ଉପାନ୍ତ ସାହିରେ ଠାବ କରିଥିଲା। ସେଠାରେ ଏକ ଭଡ଼ା ଘରେ ସେ ଶାଳୀକୁ ରଖିଥିବା ଜଣାପଡ଼ିବା ପରେ ଗତକାଲି ରାତିରେ ପୁଲିସ ଚଢ଼ଉ କରିଥିଲା।

ସମ୍ବନ୍ଧିତ ଖବର