କଂଗ୍ରେସ ପାଇଁ ଅଡ଼ୁଆ ବଢ଼ାଇଲେ ଅଧୀର ରଂଜନ

ନୂଆଦିଲ୍ଲ: କଂଗ୍ରେସ ନେତା ସାମ୍‌ ପିତ୍ରୋଡ଼ାଙ୍କ ବିବାଦୀୟ ବର୍ଣ୍ଣଭେଦ ଟିପ୍ପଣୀକୁ ସମର୍ଥନ କରି ବରିଷ୍ଠ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ଆଜି ଦଳର ଅଡ଼ୁଆ ବଢ଼ାଇଛନ୍ତି। ସେ କହିଛନ୍ତି, ଦେଶରେ ଅଷ୍ଟ୍ରେଲୀୟ, ନିଗ୍ରୋ ଏବଂ ମଙ୍ଗୋଲୀୟ ଶ୍ରେଣୀର ଲୋକ ଅଛନ୍ତି ଏବଂ ସମସ୍ତେ ଏକାଭଳି ଦେଖିବାକୁ ନୁହନ୍ତି। ଅଧୀର କହିଛନ୍ତି, କାହାର ବ୍ୟକ୍ତିଗତ ମତ ଉପରେ ମୁଁ ବେଶି କିଛି କହିବାକୁ ଚାହୁନାହିଁ। ଆମ ଦେଶରେ ଭିନ୍ନ ଭିନ୍ନ ବର୍ଣ୍ଣର ଲୋକ ଅଛନ୍ତି। ଆମ ରାଷ୍ଟ୍ରର ଭୌଗୋଳିକ ଅବସ୍ଥିତି ଅନୁଯାୟୀ ଆଞ୍ଚଳିକ ବୈଶିଷ୍ଟ୍ୟ ମଧ୍ୟ ଭିନ୍ନ। ଆମେ ଯାହା ପଢ଼ିଛେ ସମସ୍ତେ ଏକାଭଳି ଦେଖାଯାଆନ୍ତିନି। କିଛି ଲୋକ କଳା ଏବଂ କିଛି ଲୋକ ଗୋରା। ଏହା ବାସ୍ତବ କଥା । ଅଧୀର ଏଭଳି ଟିପ୍ପଣୀ ଦେଇ କଂଗ୍ରେସ ଦଳର ଅଡ଼ୁଆ ଆହୁରି ବଢ଼ାଇ ଦେଇଛନ୍ତି। ବିଜେପି ମୁଖପାତ୍ର ଶେହଜାଦ ପୁନାୱାଲା ଅଧୀର ରଂଜନ ‌ଚୌଧୁରୀଙ୍କ ଟିପ୍ପଣୀ ପାଇଁ ତାଙ୍କ ଉପରେ ବର୍ଷିଛନ୍ତି ଏବଂ କହିଛନ୍ତି, କଂଗ୍ରେସ ଦଳ କ’ଣ ଅଧୀରଙ୍କ ଟିପ୍ପଣୀ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରିପାରିବ। ଉଲ୍ଲେଖଯୋଗ୍ୟ, ବରିଷ୍ଠ କଂଗ୍ରେସ ନେତା ସାମ୍‌ ପିତ୍ରୋଡ଼ା ଗତକାଲି ଏକ ସାକ୍ଷାତକାରରେ ଦେଶର ବିଭିନ୍ନ ଅଂଶର ଲୋକଙ୍କୁ ଚୀନୀ, ଆରବୀୟ, ଶ୍ବେତାଙ୍ଗ ଏବଂ ଆଫ୍ରିକୀୟଙ୍କ ସହ ତୁଳନା କରି ବଡ଼ ବିବାଦ ସୃଷ୍ଟି କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିତ୍ରୋଡ଼ାଙ୍କ ବୟାନକୁ କଡ଼ା ସମାଲୋଚନା କରିଥିଲେ।

ସମ୍ବନ୍ଧିତ ଖବର