ପାକ୍‌-ସେନାର ନୂଆ କଣ୍ଢେଇ

0 376

ପାକିସ୍ତାନର ସାତ ଦଶନ୍ଧିର ଇତିହାସରେ ଦ୍ୱିତୀୟ ଥର ପାଇଁ ଗୋଟିଏ ନିର୍ବାଚିତ ସରକାର ହାତରୁ ଆଉ ଏକ ନିର୍ବାଚିତ ସରକାର ହାତକୁ କ୍ଷମତା ହସ୍ତାନ୍ତର ହେବାକୁ ଯାଉଛି। ବୁଧବାର ଦେଶର ଜାତୀୟ ପରିଷଦ ପାଇଁ ଅନୁଷ୍ଠିତ ନିର୍ବାଚନ ପରେ ଭୋଟଗଣତି ତଥାପି ସମାପ୍ତ ହୋଇ ନଥିଲେ ସୁଦ୍ଧା ପାକ୍‌ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ଇମ୍ରାନ୍‌ ଖାଁଙ୍କ ‘ପାକିସ୍ତାନ ତେହେରିକ୍‌-ଏ-ଇନ୍‌ସାଫ୍‌’ (ପିଟିଆଇ) ଦଳ ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହୋଇ ଅନ୍ୟାନ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଆଗରେ ରହିଛି। ଗତ ପାଞ୍ଚବର୍ଷ ହେଲା କ୍ଷମତାରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ୍‌ ସରିଫ୍‌ଙ୍କୁ ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍‌ (ଏନ୍‌) ଦ୍ୱିତୀୟ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟା ବେନଜିର ଭୁଟ୍ଟୋଙ୍କ ପୁତ୍ର ବିଲଓ୍ଵାଲ୍‌ ଏବଂ ପତି ଅସିଫ ଜର୍ଦାରୀଙ୍କ ନେତୃତ୍ୱାଧୀନ ପାକିସ୍ତାନ ପିପୁଲ୍‌ସ ପାର୍ଟି (ପିପିପି) ତୃତୀୟ ସ୍ଥାନରେ ରହିଛି। ବୁଧବାରର ମତଦାନ ପରେ ପରେ ଚାଲିଥିବା ଭୋଟ ଗଣତି ଏବଂ କୌଣସି ଦଳ ସ୍ପଷ୍ଟ ସଂଖ୍ୟା ଗରିଷ୍ଠତା ପାଇନଥିବାରୁ ଏକ ମିଳିତ ସରକାର ଗଠନ ନେଇ ଚାଲିଥିବା ରାଜନୈତିକ ମୂଲଚାଲର ପ୍ରକ୍ରିୟା ପାକିସ୍ତାନରେ ଗଣତନ୍ତ୍ରର ଏକ ଭ୍ରମ ସୃଷ୍ଟି କରିପାରେ। ଏହାକୁ କଦାପି ଏକ ଖାଣ୍ଟି ସୁସ୍ଥ ଗଣତନ୍ତ୍ର କୁହାଯାଇ ପାରିବ ନାହିଁ। ଏହା ଗଣତନ୍ତ୍ରର ଏକ ଛଳନା ମାତ୍ର। ନିର୍ବାଚିତ ପ୍ରତିନିଧିଙ୍କ ସରକାର ନୁହଁନ୍ତି, ବରଂ ସେନା ବାହିନୀର ମୁଖ୍ୟ କାର୍ଯ୍ୟାଳୟ ହେଉଛି ଅସଲ କ୍ଷମତା କେନ୍ଦ୍ର।

ଏଥର ମଧ୍ୟ ତାହା ପୁଣି ପ୍ରମାଣିତ ହୋଇଛି। ସମୁଦାୟ ନିର୍ବାଚନ ପ୍ରକ୍ରିୟା ସେନାର ଜେନେରାଲ ମାନଙ୍କ ଦ୍ୱାରା ନିୟନ୍ତ୍ରିତ। ସେନାର ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ଅନୁଷ୍ଠିତ ନିର୍ବାଚନର ଏକମାତ୍ର ଲକ୍ଷ୍ୟ ଥିଲା, ବିତାଡ଼ିତ ପ୍ରଧାନମନ୍ତ୍ରୀ ନଓ୍ଵାଜ୍‌ ସରିଫ୍‌ କିମ୍ବା ତାଙ୍କ ମନୋନୀତ ପ୍ରାର୍ଥୀଙ୍କୁ କୌଣସି ମତେ କ୍ଷମତାରୁ ଦୂରେଇ ରଖିବା। ଏହାର ହିତାଧିକାରୀ ହୋଇଛନ୍ତି ପାକିସ୍ତାନ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ଇମ୍ରାନ୍‌ ଖାଁ। ମତଦାନ ଆରମ୍ଭର ବହୁ ପୂର୍ବରୁ ସ୍ପଷ୍ଟ ହୋଇ ଯାଇଥିଲା ଯେ, ସେନାର ସମର୍ଥନ ଓ ପୃଷ୍ଠପୋଷକତାରେ ଇମ୍ରାନ୍‌ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ। ୨୭୨ ନିର୍ବାଚିତ ସଦସ୍ୟ ବିଶିଷ୍ଟ ଜାତୀୟ ପରିଷଦରେ ପାକିସ୍ତାନ ତେହେରିକ୍‌-ଏ-ଇନ୍‌ସାଫ୍‌କୁ ଆବଶ୍ୟକ ୧୩୭ ସଂଖ୍ୟା ନ ମିଳିଲେ ବି ଇମ୍ରାନ୍‌ ଖାଁ ଯେମିତି ପ୍ରଧାନମନ୍ତ୍ରୀ ହୋଇ ପାରିବେ ସେଥିପାଇଁ ଭୁଟ୍ଟୋଙ୍କ ପିପିପି ଓ ଅନ୍ୟ ସ୍ୱାଧୀନଙ୍କ ସମର୍ଥନ ସେନା ଆଗୁଆ ନିଶ୍ଚିତ କରି ସାରିଛି। ଇମ୍ରାନ୍‌ଙ୍କ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ ଏବେ କେବଳ ଏକ ଔପଚାରିକତା ମାତ୍ର।

ତିନିତିନି ଥର ଦେଶର ପ୍ରଧାନମନ୍ତ୍ରୀ ହୋଇଥିବା ନଓ୍ଵାଜ୍‌ ସରିଫ୍‌ଙ୍କ ପ୍ରତି ସେନାର ଏତେ ଆକ୍ରୋଶ କାହିଁକି? ସରିଫ୍‌ ଦେଶର ପ୍ରଧାନମନ୍ତ୍ରୀ ଭାବେ ବେସାମରିକ- ରାଜନୈତିକ ନେତୃତ୍ୱର କର୍ତ୍ତୃତ୍ୱକୁ ଜାହିର କରିବା ଲାଗି ପ୍ରୟାସ କଲେ ଯାହା ସେନା ପ୍ରତି ଆହ୍ଵାନ ଥିଲା। ପାକିସ୍ତାନରେ ଏହା ଏକ ବାସ୍ତବତା ଯେ ଭାରତର ବିଭାଜନ ପରେ ଦେଶ ଜନ୍ମ ନେବାର ୭୧ ବର୍ଷ ମଧ୍ୟରୁ ୩୦ ବର୍ଷ ପ୍ରତ୍ୟକ୍ଷ ଭାବେ ଓ ଅବଶିଷ୍ଟ ସମୟ ପରୋକ୍ଷରେ ସେନା ହାତରେ ଶାସନ ରହି ଆସିଛି। ଚାରିଜଣ ସେନାଧ୍ୟକ୍ଷ ଆୟୁବ୍‌ ଖାଁ, ୟାହ୍ୟା ଖାଁ, ଜିଆ-ଉଲ୍‌-ହକ୍‌ ଏବଂ ପରଭେଜ୍‌ ମୁସାରଫ୍‌ ଦେଶର ଏକଛତ୍ରବାଦୀ ସାମରିକ ଶାସକ ଥିଲେ। ଯେଉଁ ଦଳ ସରକାରରେ ରହୁ ବା ଯେ ବି ପ୍ରଧାନମନ୍ତ୍ରୀ ହୁଅନ୍ତୁ ଅସଲ କ୍ଷମତା ସେନା ପାଖରେ ରହି ଆସିଛି। ନିର୍ଦ୍ଦିଷ୍ଟ ଭାବେ ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ବୈଦେଶିକ ନୀତି ପ୍ରସଙ୍ଗରେ ସେନାର ପ୍ରଭାବ ଅଖଣ୍ଡ ଓ ନିରଙ୍କୁଶ। ସେନାର ବିନା ଅନୁମତିରେ କୌଣସି ପ୍ରଧାନମନ୍ତ୍ରୀଙ୍କ ପକ୍ଷରେ କିଛି ନିଷ୍ପତ୍ତି ନେବା ଅସମ୍ଭବ। ତେବେ ନଓ୍ଵାଜ୍‌ ତାଙ୍କ ତୃତୀୟ କାର୍ଯ୍ୟକାଳ ସମୟରେ ସ୍ୱାଧୀନ ଭାବେ ନୀତିଗତ ନିଷ୍ପତ୍ତି ନେବାର ଉଦ୍ୟମ କରି ସେନାର ଆକ୍ରୋଶର ଶିକାର ହୋଇଥିଲେ। ‘ପାନାମା ପେପର୍ସ’ରେ ସରିଫଙ୍କ ପରିବାର ସଦସ୍ୟଙ୍କ ଦୁର୍ନୀତି ନେଇ କିଛି ତଥ୍ୟ ପଦାକୁ ଆସିବା ପରେ ସରିଫଙ୍କୁ ଗାଦିଚ୍ୟୁତ କରିବା ଲାଗି ସେନାକୁ ସୁଯୋଗ ମିଳିଗଲା। ନ୍ୟାୟପାଳିକାର ସହଯୋଗରେ ନିର୍ବାଚନର ବର୍ଷକ ପୂର୍ବରୁ ସରିଫଙ୍କୁ ବିତାଡ଼ିତ କରି ଇମ୍ରାନ୍‌ଙ୍କୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ଅବସ୍ଥାପିତ କରିବା ଲାଗି ସେନା ଯୋଜନା କଲେ। ଏହି ଯୋଜନା ଏବେ ସଫଳ ହୋଇଛି। ଲକ୍ଷ୍ୟ ହାସଲ ପାଇଁ ଭିନ୍ନ ମତର ଦମନ, ଗଣମାଧ୍ୟମର କଣ୍ଠରୋଧ ଏପରିକି ମତଦାନ ବେଳେ ସେନା ଦ୍ୱାରା ରିଗିଂର ମଧ୍ୟ ଅଭିଯୋଗ ହୋଇଛି।

ଏବେ ପ୍ରଶ୍ନ ଉଠୁଛି, ଇସ୍‌ଲାମାବାଦରେ ରାଜନୈତିକ ପଟ ପରିବର୍ତ୍ତନ ସହ ଦୁଇ ପଡ଼ୋଶୀ ଦେଶ, ଭାରତ-ପାକିସ୍ତାନ ଦ୍ୱିପାକ୍ଷିକ ସମ୍ପର୍କରେ କୌଣସି ପରିବର୍ତ୍ତନ କ’ଣ ଆଶା କରାଯାଇ ପାରିବ? ଭାରତ-ପାକ୍‌ ଦ୍ୱିପାକ୍ଷିକ ସମ୍ପର୍କ ପ୍ରସଙ୍ଗରେ ଏହା ଏକ କଠୋର ବାସ୍ତବତା ଯେ, ପରିସ୍ଥିତି ଯାହା ବି ବଦଳୁ ସଂପର୍କର ସ୍ଥିତାବସ୍ଥା ସେଇ ସମାନ ରହେ। ଯେତେ ପ୍ରଧାନମନ୍ତ୍ରୀ ବା ସେନାଧ୍ୟକ୍ଷ ବଦଳନ୍ତୁ ପାକିସ୍ତାନର ଭାରତ ବିରୋଧୀ ନୀତିରେ କୌଣସି ପରିବର୍ତ୍ତନ ହୁଏ ନାହିଁ। ଭାରତକୁ ବିରୋଧ, କଶ୍ମୀରରେ ଅସ୍ଥିରତା ପାକିସ୍ତାନ ବୈଦେଶିକ ନୀତିର ଆତ୍ମା ହୋଇ ରହିଆସିଛି। ଭାରତ ବିରୋଧରେ ଦ୍ୱେଷ ପ୍ରସୂତ ଏହି ରାଷ୍ଟ୍ରନୀତିରେ ପ୍ରଧାନ ସୂତ୍ରଧର ସେନା। ଯେହେତୁ ଭାବି ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ସମ୍ପୂର୍ଣ୍ଣ ଭାବେ ସେନାର କଣ୍ଢେଇ ସାଜିବେ, ତାଙ୍କ ଅମଳରେ ଭାରତ ସହ ସମ୍ପର୍କରେ କୌଣସି ପରିବର୍ତ୍ତନର ଆଶା କରାଯାଇ ନପାରେ। ପୁଣି ନିର୍ବାଚନ ପ୍ରଚାର ବେଳେ ଇମ୍ରାନ୍‌ଙ୍କ ଭାଷଣ ଓ ତାଙ୍କ ଦଳର ନିର୍ବାଚନ ଇସ୍ତାହାରରୁ ଯେଉଁ ସଂକେତ ମିଳିଛି, ତାହା ଭାରତ-ପାକ୍‌ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଧାରିବା ପରିବର୍ତ୍ତେ ବିଗାଡ଼ିବା ଆଶଙ୍କା ଅଧିକ। ଇମ୍ରାନ୍‌ ତାଙ୍କର ନିର୍ବାଚନ ସଭା ମାନଙ୍କରେ ଭାରତ ପ୍ରତି ନଓ୍ଵାଜ୍‌ଙ୍କ କୋହଳ ନୀତିର କଡ଼ା ସମାଲୋଚନା କରିବା ସହ ଭାରତ ବିରୋଧରେ ଭୀଷଣ ବିଷୋଦ୍‌ଗାର କରୁଥିଲେ। ନିର୍ବାଚନ ପ୍ରଚାର ବେଳେ ସରିଫ୍‌ଙ୍କୁ ଆକ୍ଷେପ ପରି ଇମ୍ରାନ୍‌ଙ୍କ ଦଳର ଗୋଟିଏ ନାରା ଥିଲା- ‘ମୋଦୀକା ୟାର, ଦେଶକେ ଗଦ୍ଦାର ଗଦ୍ଦାର’। ପିଟିଆଇର ନିର୍ବାଚନ ଇସ୍ତାହାରରେ ଜାତିସଂଘରେ ଗୃହୀତ ପ୍ରସ୍ତାବ ଆଧାରରେ କଶ୍ମୀର ପ୍ରଶ୍ନର ସମାଧାନ ଉପରେ ଗୁରୁତ୍ୱ ଦିଆଯାଇଛି। ଏହାର ଅର୍ଥ, ଗଣଭୋଟରେ କଶ୍ମୀରର ଭାଗ୍ୟ ନିର୍ଦ୍ଧାରଣ ଉପରେ ଇମ୍ରାନ୍‌ ଜୋର୍‌ ଦେଇଛନ୍ତି। ଏହା ଭାରତ ପାଇଁ ଆଦୌ ଗ୍ରହଣୀୟ ନୁହେଁ। ଆତଙ୍କବାଦର ମୁକାବିଲା ପାଇଁ ଇମ୍ରାନ୍‌ଙ୍କ ଦଳର ନିର୍ବାଚନ ଇସ୍ତାହାରରେ ପ୍ରାଥମିକତା ଦିଆଯାଇଛି। କିନ୍ତୁ ଏହା କେବଳ ନିଜ ଦେଶ ଭିତରେ ଆତଙ୍କବାଦ ବିରୋଧରେ। ପାକ୍‌ ମାଟିରେ ଆଡ୍ଡା ଜମାଇବା ଭାରତ ବିରୋଧୀ ଆତଙ୍କବାଦୀ ସଂଗଠନଙ୍କ ବିରୋଧରେ କିଛି ଉଲ୍ଲେଖ ନାହିଁ। ଜାତିସଂଘ ଦ୍ୱାରା ‘ଆତଙ୍କବାଦୀ’ ଘୋଷିତ ହାଫିଜ ସୟିଦ୍‌ ସମ୍ପର୍କରେ ମଧ୍ୟ ଇମ୍ରାନ୍‌ଙ୍କ ମନୋଭାବ କୋହଳ। ଏଥିରୁ ଏହା ସ୍ପଷ୍ଟ ଯେ, ଆତଙ୍କବାଦ ପ୍ରସଙ୍ଗରେ ଇମ୍ରାନ୍‌ଙ୍କ ଅମଳରେ ବି ପାକିସ୍ତାନର ଦୋମୁହାଁ ନୀତି ଜାରି ରହିବ। ସେନା ହାତରେ କଣ୍ଢେଇ ସାଜିବାକୁ ଯାଉଥିବା ଜଣେ ପ୍ରଧାନମନ୍ତ୍ରୀ ଓ ତାଙ୍କ ସରକାର କ’ଣ କେବେ ସେନା ପ୍ରାୟୋଜିତ ଭାରତ ବିରୋଧୀ ଆତଙ୍କବାଦକୁ ବିରୋଧ କରି ପାରିବେ?

ତେଣୁ, ଇସ୍‌ଲାମାବାଦ୍‌ର ରାଜନୈତିକ ଦୃଶ୍ୟପଟରେ ପରିବର୍ତ୍ତନ ସହ ଭାରତ-ପାକ୍‌ ଦ୍ୱିପାକ୍ଷିକ ସମ୍ପର୍କରେ କୌଣସି ପରିବର୍ତ୍ତନ ଆଶା କରାଯାଇ ନପାରେ। କଶ୍ମୀର ଆଳରେ ଭାରତ ବିରୋଧରେ ଛାୟା ଯୁଦ୍ଧ ଚାଲୁ ରହିବ। ସେନା ଇଙ୍ଗିତରେ ଭାରତ-ବିରୋଧୀ ଆଭିମୁଖ୍ୟ ଯେମିତି ରହିଆସିଛି, ସେମିତି ଜାରି ରହିବ, ବରଂ ଅଧିକ ଆକ୍ରମଣାତ୍ମକ ହେବାର ଆଶଙ୍କାକୁ ଏଡ଼ାଯାଇନପାରେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.