Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

ନିଶ୍ଚିତ ସାହିତ୍ୟ

0 134

‘‘କିନ୍ତୁ ତେବେ ମୁଁ ମନେ ମନେ ଭାବେ ଯେ ଆମ ହୃଦୟ ଭିତରେ ଆଜି ଆମେ ଯାହା ଅନୁଭବ କରିଥାଉ ତାହା ଆମ ଉପରେ ଭିଜା ପତ୍ରରୁ ପଡୁଥିବା ଟୋପା ଟୋପା ପାଣି ଭଳି ନୁହେଁ କି?, ଯଦିବା ଅନେକ ବେଳ ତଳୁ ଆକାଶରୁ ବର୍ଷା ପଡ଼ିବା ବନ୍ଦ ହୋଇ ସାରିଲାଣି। ମୋର ମନେହୁଏ ଯଦି ଆମର ସ୍ମୃତିର ସାହାରା ନଥାନ୍ତା ତେବେ ଆମର ଭଲ ପାଇବା ଝାଉଁଳି ପଡ଼ି ଶେଷ ହୋଇ ଯିବା ବ୍ୟତୀତ ଅନ୍ୟ ଗତି ନଥାନ୍ତା।’’ ମିଳନ ଓ ବିଚ୍ଛେଦ ଭଳି ଭଲ ପାଇବାର ଦୁଇ ଅବଧାରିତ ସତ୍ୟକୁ ଅନୁଭବ କରିଥିବା ପାଠକ ପାଠିକାଙ୍କ ହୃଦୟକୁ ଯଦି ଉପନ୍ୟାସ ‘ଦ ବେରିଡ୍‌ ଜାଏଣ୍ଟ୍‌’ର ଏ ଉଦ୍ଧୃତ ଧାଡ଼ି କେତୋଟି ପୁଣି ଥରେ ସ୍ମୃତି ବୁନ୍ଦାରେ ଭିଜାଇ ଦେଉଥାଏ, ତେବେ ସେମାନେ ଏହାକୁ ଉଚ୍ଚାଙ୍ଗ ସାହିତ୍ୟର ମାନ୍ୟତା ପ୍ରଦାନ କରିବାକୁ କୁଣ୍ଠିତ ହେବେ ନାହିଁ। ସେମାନେ ଜାଣି ଖୁସି ହେବେ ଯେ ସାହିତ୍ୟରେ ନୋବେଲ୍‌ ପୁରସ୍କାର ପ୍ରଦାନକାରୀ ଅନୁଷ୍ଠାନ ସ୍ୱିଡିସ୍‌ ଏକାଡେମି ସେମାନଙ୍କ ସହିତ ଏକମତ ହୋଇ ଏହାର ରଚୟିତାଙ୍କୁ ୨୦୧୭ର ନୋବେଲ୍‌ ପୁରସ୍କାର ଲାଭ କରିବା ପାଇଁ ଯୋଗ୍ୟ ବିବେଚିତ କରିଛି।

ଯେଉଁମାନେ ନୋବେଲ୍‌ ପୁରସ୍କାର ପ୍ରଦାନରେ ପରିଚିତ ସାହିତ୍ୟର ନିଶ୍ଚିତତା ଖୋଜିଥାନ୍ତି, କାଜୁଓ ଇସିଗୁରୋଙ୍କୁ ଚଳିତ ବର୍ଷର ବିଜେତା ଘୋଷଣା କରାଯିବା ପରେ ସେମାନେ ଆଶ୍ୱସ୍ତିର ଦୀର୍ଘଶ୍ୱାସ ପକାଇଥିବେ। ଗତବର୍ଷର ପୁରସ୍କାର ଏକ ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ଢଙ୍ଗରେ ଗାୟକ-ଗୀତିକାର ବବ୍‌ ଡିଲାନ୍‌ଙ୍କୁ ପ୍ରଦାନ କରାଯିବା କିମ୍ବା ତହିଁ ପୂର୍ବବର୍ଷର ପୁରସ୍କାର ଜଣେ ବାହାର ଦୁନିଆରେ ପ୍ରାୟ ସମ୍ପୂର୍ଣ୍ଣ ଅପରିଚିତ ବେଲାରୁଷ୍‌ର ଅନୁସନ୍ଧାନକାରୀ ସାମ୍ବାଦିକା ସ୍ୱେତ୍‌ଲାନା ଆଲେକ୍ସିଏଭିଚ୍‌ଙ୍କୁ ପ୍ରଦାନ କରାଯିବା ପରେ କାଜୁଓ ଇସିଗୁରୋଙ୍କ ଭଳି ଜଣେ ସୁପରିଚିତ ସାହିତ୍ୟିକଙ୍କୁ ଏ ବର୍ଷର ନୋବେଲ ସାହିତ୍ୟ ପୁରସ୍କାର ପ୍ରଦାନ ବୃହତ୍ତର ସାହିତ୍ୟ ପ୍ରେମୀ ଦୁନିଆରେ ଏକ ଧାରଣା ପୁନରୁଜ୍ଜୀବିତ କରିଥିବ ଯେ ଅତୀତର ବ୍ୟତିକ୍ରମମାନ ସତ୍ତ୍ୱେ ତଥାପି ସବୁ ଠିକ୍‌ ଚାଲିଛି। ସତେ ଯେମିତି ସେମାନଙ୍କର ଏହି ମନୋଭାବର ସଠିକ୍‌ ପୂର୍ବାନୁମାନ କଲା ଭଳି ପୁରସ୍କାର ଘୋଷଣା କାରିଣୀ ସ୍ୱିଡିସ୍‌ ଏକାଡେମୀର ସ୍ଥାୟୀ ସଚିବ ସାରା ଡାନିଅସ୍‌ ତାଙ୍କର ଘୋଷଣା ସମାପ୍ତ କରିବା ଅବସରରେ କହିଥିଲେ: ‘‘ଆମେ ଆଶା କରୁ ଏହା ପୃଥିବୀସାରା ସମସ୍ତଙ୍କୁ ଖୁସି କରିବ।’’

ତେବେ ୧୯୮୯ରେ ତାଙ୍କର ବୋଧହୁଏ ସର୍ବଶ୍ରେଷ୍ଠ ଉପନ୍ୟାସ ‘ଦି ରିମେନ୍‌ସ ଅଫ୍‌ ଦି ଡେ’ (‘ଅବଶିଷ୍ଟ ଦିନ’) ପାଇଁ ବୁକର୍‌ ପ୍ରାଇଜ୍‌ ଲାଭ କରିବା ପରଠାରୁ ସେ ପୃଥିବୀର ଜଣେ ଅନ୍ୟତମ ସୁବିଦିତ ସାହିତ୍ୟିକରେ ପରିଣତ ହୋଇ ସାରିଥିଲେ ହେଁ, ୬୨ ବର୍ଷୀୟ ଇସିଗୁରୋଙ୍କୁ ଜଣେ ଗତାନୁଗତିକ ଚରିତ୍ର ରୂପେ ବିଚାର କରିବା ବୋଧହୁଏ ଠିକ୍‌ ହେବ ନାହିଁ। ଏହାର ପ୍ରମାଣ ହେଉଛନ୍ତି ସେ ନିଜେ। ତାଙ୍କୁ ୧୧୪ତମ ସାହିତ୍ୟରେ ନୋବେଲ୍‌ ବିଜେତା ଏବଂ ଏହି ପୁରସ୍କାର ଲାଭ କରିବାରେ ଏକାଦଶ ବ୍ରିଟିସ ଲେଖକ ରୂପେ ବର୍ଣ୍ଣନା କରାଯାଉଥିଲେ ହେଁ ଏହାକୁ ସାମାନ୍ୟ ଉଖାରି ଦେଖିଲେ ଯାହା ଦିଶିଥାଏ ତାହା ଆଦୌ ଗତାନୁଗତିକ ନୁହେଁ। କାଜୁଓ ଇସିଗୁରୋଙ୍କ ଶରୀରରେ ଜାପାନୀ ରକ୍ତ ପ୍ରବାହିତ ଓ ସେ ୧୯୫୪ରେ ଜାପାନର ନାଗାସାକିଠାରେ ଜନ୍ମଲାଭ କରିଥିଲେ। ତାଙ୍କର ବୟସ ପାଞ୍ଚ ବର୍ଷ ହୋଇଥିବା ବେଳେ ତାଙ୍କର ସାମୁଦ୍ରିକ ବିଜ୍ଞାନୀ ପିତା ବ୍ରିଟେନ୍‌କୁ କର୍ମ ସନ୍ଧାନରେ ଚାଲି ଆସିବା ପରଠାରୁ ସେ ବ୍ରିଟେନ୍‌ର ପାଣି ପବନରେ ବଡ଼ ହୋଇଛନ୍ତି। ସେ ଅପେକ୍ଷାକୃତ ବିଳମ୍ବରେ ୧୯୮୨ରେ ଯାଇ ବ୍ରିଟେନ୍‌ର ନାଗରିକତ୍ୱ ଗ୍ରହଣ କରିଥିଲେ। ଏଣୁ ସେ ଏବେ ଜଣେ ବ୍ରିଟିସ୍‌ ନୋବେଲ୍‌ ବିଜେତା ରୂପେ ବିବେଚିତ। ତେବେ ଆମୋଦଦାୟକ ଭାବେ ଯେଉଁ ଜାପାନୀ ଅନୁଗାମୀମାନେ ବିଗତ ବର୍ଷମାନଙ୍କ ଭଳି ଏ ବର୍ଷ ମଧ୍ୟ ଅନ୍ୟ ଜଣେ ବିଖ୍ୟାତ ଜାପାନୀ ଔପନ୍ୟାସିକ ହାରୁକି ମୁରାକାମି ଏଥର ନିଶ୍ଚିତ ଏହି ପୁରସ୍କାର ପାଇବେ ବୋଲି ଆଶା କରି ଟୋକିଓରେ ଏକାଠି ହୋଇଥିଲେ, ପୁରସ୍କାର ଘୋଷଣା ପରେ ସେମାନେ ପ୍ରଥମେ ଭଗ୍ନହୃଦୟ ହୋଇଯିବା ପରେ, ଆଉ ଜଣେ ଜାପାନୀଙ୍କୁ ଏହି ପୁରସ୍କାର ମିଳିଥିବାରୁ ଆନନ୍ଦଉଲ୍ଲାସ ପ୍ରକାଶ କରିଥିଲେ।

ଅବଶ୍ୟ ଇସିଗୁରୋଙ୍କ ବ୍ରିଟିସ୍‌ ବ୍ୟକ୍ତିସତ୍ତା ସପକ୍ଷରେ ଏତିକି କୁହାଯାଇପାରେ ଯେ ମୁରାକାମି ଜାପାନୀ ଭାଷାରେ ଲେଖୁଥିବା ବେଳେ ଇସିଗୁରୋ ଇଂରେଜୀ ଭାଷାରେ ଲେଖନ୍ତି; ଆଉ ଇସିଗୁରୋଙ୍କ ପ୍ରସିଦ୍ଧତମ ଉପନ୍ୟାସ ‘ଦି ରିମେନ୍‌ସ ଅଫ୍‌ ଦି ଡେ’ର ସ୍ଥାନ, କାଳ, ପାତ୍ର ଏପରି ସମ୍ପୂର୍ଣ୍ଣ ବ୍ରିଟିସ୍‌ ଯେ ଏହା ଜଣେ ଜାପାନୀ ଲେଖକଙ୍କ କୃତି ରୂପେ ବିଶ୍ୱାସ କରିବା କଷ୍ଟ। ଇସିଗୁରୋଙ୍କୁ ନୋବେଲ ପୁରସ୍କାର ପ୍ରଦାନ ପାଠକ ମହଲରେ ଏକ ନିଶ୍ଚିତତା ଭାବ ସୃଷ୍ଟି କରିବାରେ ସଫଳ ହୋଇଥିଲେ ହେଁ, ଏକ ଅନିଶ୍ଚିତ କାଳ ହେଉଛି ଇସିଗୁରୋଙ୍କ ସାହିତ୍ୟର ପ୍ରମୁଖ ପରିବେଶ। ଯେମିତି ‘ଦି ରିମେନ୍‌ସ ଅଫ୍‌ ଦି ଡେ’ର ପାଠକମାନେ ଲକ୍ଷ୍ୟ କରିଥିବେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପାଇଁ ପ୍ରସ୍ତୁତି କାଳ ଉପରେ ଆଂଶିକ ଭାବରେ ସ୍ଥାପିତ ଏହି କାହାଣୀ ଏକ ଅନିଶ୍ଚିତ ସମୟର ଛାପ ବହନ କରିବା ସ୍ୱାଭାବିକ। କାହାଣୀର ମୁଖ୍ୟସ୍ରୋତ ହେଉଛି ପରମ୍ପରାର ବୋଝ ତଳେ ନିଜର ଭାବପ୍ରବଣତାକୁ ଚାପି ରଖୁଥିବା ଏକ ସମ୍ଭ୍ରାନ୍ତ ଧନିକ ପରିବାରର ମୁଖ୍ୟ ପରିଚାରକ (ବଟ୍‌ଲର) ଷ୍ଟିଭେନ୍‌ସ ଓ ଅନ୍ୟତମ ପରିଚାରିକା ମିସ୍‌ କେଣ୍ଟନ୍‌ଙ୍କ ମଧ୍ୟରେ ପ୍ରତିଦାନହୀନ ପ୍ରେମ। କିନ୍ତୁ ସେ ଦୁହିଁଙ୍କର ଅବଦମିତ ପ୍ରେମ କାହାଣୀର ସୂକ୍ଷ୍ମ ଅନାବରଣ ସହିତ ତାଳ ଦେଇ ସମାନ୍ତରାଳ ଭାବରେ ଆଉ ଯାହା ଆତ୍ମପ୍ରକାଶ କରିଛି, ତାହା ହେଲା ଷ୍ଟିଭେନ୍‌ସର ପୂର୍ବତନ ମାଲିକ ଲର୍ଡ ଡାର୍ଲିଙ୍ଗ୍‌ଟନ୍‌ଙ୍କର ନାତ୍‌ସିମାନଙ୍କ ପ୍ରତି ଥିବା ଗୁପ୍ତ ଆନୁଗତ୍ୟ। ଦ୍ୱିତୀୟ ବିଶ୍ୱଯୁଦ୍ଧର ରଚୟିତା ନାତ୍‌ସିମାନେ ସାରା ପୃଥିବୀକୁ ଏକ ସୁଦୀର୍ଘ ଅନିଶ୍ଚିତତା ମଧ୍ୟକୁ ଠେଲି ଦେଇଥିଲେ।

ନୋବେଲ ପୁରସ୍କାର ଘୋଷଣା ପରେ ଏକ ସାକ୍ଷାତ୍‌କାରରେ ନିଜର ପ୍ରତିକ୍ରିୟା ରଖି ଇସିଗୁରୋ କହିଥିଲେ: ‘‘ପୃଥିବୀ ବର୍ତ୍ତମାନ ଏକ ଅନିଶ୍ଚିତ ମୁହୂର୍ତ୍ତରେ ଅଛି ଏବଂ ମୁଁ ଆଶା କରୁଛି ସମସ୍ତ ନୋବେଲ ପ୍ରାଇଜ୍‌ ମାନ ଆଜିର ମୁହୂର୍ତ୍ତରେ ଦୁନିଆ ପାଇଁ ଏକ ସକାରାତ୍ମକ ଶକ୍ତି ରୂପେ କାର୍ଯ୍ୟ କରିବେ… ମୁଁ ଗଭୀର ଭାବରେ ବିହ୍ଵଳ ହୋଇପଡ଼ିବି ଯଦି ଏକ ଅତ୍ୟନ୍ତ ଅନିଶ୍ଚିତ ସମୟରେ ଏ ବର୍ଷ କୌଣସି ଏକ ସକାରାତ୍ମକ ପରିବେଶ ସୃଷ୍ଟି କରିବାରେ ମୁଁ ଅଂଶୀଦାର ହୋଇ ପାରିବି।’’ ଇସଲାମୀୟ ଆତଙ୍କବାଦରୁ ଉତ୍ତର କୋରିଆର ଆଣବିକ ପାଗଳାମି ପର୍ଯ୍ୟନ୍ତ କିଂବା ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କର ସଂକୀର୍ଣ୍ଣ ଜଗତ୍‌କରଣ- ଓ ପରିବେଶ ସୁରକ୍ଷା ବିରୋଧୀ ମାନସିକତା ଠାରୁ ଅଭୂତପୂର୍ବ ଶରଣାର୍ଥୀ ସମସ୍ୟା ମାନ ଦେଖି ଯଦି ଇସିଗୁରୋଙ୍କ ମନରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପୂର୍ବବର୍ତ୍ତୀ ଅନିଶ୍ଚିତ ସମୟର ପ୍ରତିଧ୍ୱନି ଶୁଭୁଥାଏ, ତାଙ୍କ ବକ୍ତବ୍ୟ ଦ୍ୱାରା ବିସ୍ମିତ ହେବାର କିଛି ନାହିଁ। ଉତ୍ତମ ସାହିତ୍ୟର ଏକ ବିରଳ ଶକ୍ତି ହେଲା ଏହା ଅନାୟାସରେ ସ୍ଥାନ ଓ ସମୟର ସୀମା ଅତିକ୍ରମ କରି ଅନୁରାଗୀମାନଙ୍କୁ ଗୋଟିଏ ଡୋରରେ ବାନ୍ଧି ଦେଇପାରେ। ଇସିଗୁରୋଙ୍କ ସାହିତ୍ୟ ଯେ ସେଇ ଶ୍ରେଣୀର, ତାହା ତାହାର ବିଶ୍ୱବ୍ୟାପୀ ଆଦର ପ୍ରମାଣିତ କରିଥାଏ। ଏହା ଯଦି ଏକ ନିଶ୍ଚିତ ଦୁନିଆ ସୃଷ୍ଟିରେ, ସାମାନ୍ୟ ସାହାଯ୍ୟ କରେ ତେବେ ଇସିଗୁରୋଙ୍କ ଆଶା ଯଥାର୍ଥ ସାବ୍ୟସ୍ତ ହେବ। ଶେଷରେ- ଦୀର୍ଘ ତିନି ଦଶନ୍ଧିରୁ ଅଧିକ କାଳ ଧରି ପତ୍ନୀ ଲୋର୍ନୀ ମ୍ୟାକ୍‌ଡୁଗାଲ୍‌ଙ୍କ ସହିତ ଏକ ସ୍ଥିର, ସୁଖୀ ଦାମ୍ପତ୍ୟ ଜୀବନ ବିତାଉଥିବା ଇସିଗୁରୋଙ୍କ ଜୀବନ ଯେ ଏକ ବିରଳ ନିଶ୍ଚିତତାର ପ୍ରତୀକ, ତାହା ମଧ୍ୟ ଏକ ସକାରାତ୍ମକ ସନ୍ଦେଶ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

twenty − 17 =