ଗୋରକ୍ଷା ଆଳରେ ଆଇନ୍‌ ହାତକୁ ନେଇ ଲୋକଙ୍କୁ ପିଟି ପିଟି ହତ୍ୟା କରିବା ଅପରାଧ: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଗୋରକ୍ଷା ଆଳରେ ଓ ପିଲାଚୋର ସନ୍ଦେହରେ ସଂପ୍ରତି ଦେଶର ବିଭିନ୍ନ ରାଜ୍ୟରେ ଲୋକମାନେ ସଂଘବଦ୍ଧ ହୋଇ ଆଇନ୍‌କୁ ହାତକୁ ନେବା ସହ ଲୋକଙ୍କୁ ଯେପରି ପିଟି ପିଟି ହତ୍ୟା କରୁଛନ୍ତି ତାହା ହେଉଛି ଅପରାଧ। ଏବଂ ଅପରାଧରେ ସଂପୃକ୍ତ ଅପରାଧୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏପରି ଘଟଣା ଯେପରି ନଘଟେ ତାହାକୁ ନିଶ୍ଚିତ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଜି ସୁପ୍ରିମ୍‌ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମ୍‌ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ଏ ଏମ୍‌ ଖାନ୍‌ଓ୍ଵିଲ୍‌କର ଓ ଜଷ୍ଟିସ୍‌ ଡି ଓ୍ଵାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଏକ ତିନି ଜଣିଆ ଖଣ୍ଡପୀଠ ଏସଂକ୍ରାନ୍ତରେ ଆଗତ ଏକ ମାମଲାର ଶୁଣାଣି କରିବା ଅବସରରେ ଏହି ନିର୍ଦ୍ଦେଶ ଦେବା ସହ ରାଜ୍ୟ ସରକାରମାନେ ଏଦିଗରେ ଅଧିକ ସଚେତନ ରହିବା ସହ ଏପରି ଘଟଣାର ଯେପରି ପୁନରାବୃତ୍ତି ନଘଟେ ତାହାକୁ ନିଶ୍ଚିିତ କରିବାକୁ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ଶୁଣାଣି କାଳରେ ଅତିରିକ୍ତ ସଲିସିଟର ଜେନେରାଲ ପି ଏସ୍‌ ନରସିଂହା ସ୍ୱୀକାର କରି କହିଥିଲେ ଯେ ଏପରି ଘଟଣା ସବୁ ଏବେ ଦେଶର ଆଇନ୍‌ ଶୃଙ୍ଖଳା ରକ୍ଷା କ୍ଷେତ୍ରରେ ଏକ ବଡ଼ ସମସ୍ୟା ରୂପେ ଦେଖା ଦେଇଛି। ଏପରିସ୍ଥିତିରେ ସୁପ୍ରିମ୍‌ କୋର୍ଟ ସ୍ପଷ୍ଟ କରି ଦେଇଛନ୍ତି ଯେ ଆଇନ୍‌କୁ ହାତକୁ ନେବାର ଅଧିକାର କାହାର ନାହିଁ। ଯଦି କେହି ଆଇନ୍‌କୁ ହାତକୁ ନେଇ ଏପ୍ରକାରର ଅପରାଧ ଘଟାଏ ତେବେ ତା’ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର