ସିପିଇସି ବିବାଦରେ ଚୀନ୍‌ର ସଫେଇ: ଆମର ଗୁପ୍ତ ଏଜେଣ୍ଡା ନାହିଁ

ଇସଲାମାବାଦ: ଚୀନ୍‌-ପାକିସ୍ତାନ ଆର୍ଥିକ କରିଡରକୁ ନେଇ ଏବେ ବିବାଦ ବଢ଼ୁଥିବା ବେଳେ ଏହି ପ୍ରକଳ୍ପର ଅନେକ ମେଗା ନିର୍ମାଣ କାର୍ଯ୍ୟ ଅଟକି ଯାଇଛି। ପାକିସ୍ତାନ ସେନା ପ୍ରକଳ୍ପର ସୁରକ୍ଷା ଦାୟିତ୍ୱ ନିଜ ହାତକୁ ନେବାକୁ ଚୀନ୍‌ ପରାମର୍ଶ ଦେଇଥିବା ବେଳେ ଏ ସଂକ୍ରାନ୍ତରେ ଆଜି ଚୀନ୍‌ କୂଟନୀତିଜ୍ଞ ୟାଓ ଜିଙ୍ଗ କହିଛନ୍ତି ଯେ ସିପିଇସି କାର୍ଯ୍ୟକାରୀ କରିବା ପଛରେ ଚୀନ୍‌ର କିଛି ଗୁପ୍ତ ଏଜେଣ୍ଡା ନାହିଁ। ଏହି ପ୍ରକଳ୍ପ ନେଇ କିଛି ଲୁଚାଇବା ପାଇଁ ନାହିଁ, କେବଳ ବ୍ୟବସାୟିକ ଓ ଦ୍ୱିପାକ୍ଷିକ ସଂପର୍କ ବୃଦ୍ଧି ପାଇଁ ଏହା ଉଦ୍ଦିଷ୍ଟ ବୋଲି ସେ କହିଛନ୍ତି । ଭାରତ ଓ ଆମେରିକାର ନାମ ନନେଇ ଜିଙ୍ଗ୍‌ କହିଛନ୍ତି ଯେ କେତେକ ରାଷ୍ଟ୍ର ସିପିଇସିକୁ ନେଇ ବିଭ୍ରାନ୍ତି କରୁଛନ୍ତି ଏବଂ ସେମାନଙ୍କ ଯୁକ୍ତିରେ କିଛି ଦମ ନାହିଁ। ଯେ କୌଣସି ରାଷ୍ଟ୍ର ସିପିଇସିର କାର୍ଯ୍ୟ ଓ ଭବିଷ୍ୟ କାର୍ଯ୍ୟପନ୍ଥା ସଂପର୍କରେ ଚାହିଲେ ଅବଗତ ହୋଇପାରିବେ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ସିପିଇସି ଅନ୍ତର୍ଜତ ୪ଟି ପ୍ରକଳ୍ପ ପାଇଁ ଅନୁଦାନ ବନ୍ଦ କରିଥିବାରୁ ଚୀନ୍‌ର ଆଭିମୁଖ୍ୟକୁ ନେଇ ପାକିସ୍ତାନର ଅବିଶ୍ୱାସ ବଢ଼ିଛି।

ସମ୍ବନ୍ଧିତ ଖବର