ଗୋଳମାଳିଆ ଧରିପାରେ ୨୯ ଆସନ: ବିଜୟ ବ୍ୟବଧାନ ୫ ହଜାରରୁ କମ୍ ଥିଲା

୪ଟି ଆସନରେ ହଜାରେ ତଳକୁ ଥିଲା ବ୍ୟବଧାନ, ସ୍ବତନ୍ତ୍ର ରଣନୀତି କରୁଛନ୍ତି ପ୍ରମୁଖ ଦଳ

ଭୁବନେଶ୍ବର: ୨୦୧୯ରେ କଣ୍ଟାବାଞ୍ଜିରେ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂହ ସାଲୁଜା ଜିତିଥିଲେ। ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କଠାରୁ ତାଙ୍କ ବିଜୟ ବ୍ୟବଧାନ ଥିଲା ମାତ୍ର ୧୨୮ ଭୋଟ୍‌। ତୃତୀୟରେ ଥିଲେ ବିଜେଡି ପ୍ରାର୍ଥୀ। ଏଥର ଚିତ୍ର ବଦଳିଛି। କଂଗ୍ରେସ ଓ ବିଜେପି ପ୍ରାର୍ଥୀ ସମାନ ରହିଛନ୍ତି। କିନ୍ତୁ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୋଟ୍ ଗଣିତ ଏଠି କେମିତି ବଦଳୁଛି, ତାହା ଉପରେ ସମସ୍ତଙ୍କ ନଜର। ଗତ ନିର୍ବାଚନରେ ପରଜଙ୍ଗରେ ବିଜେଡି ପ୍ରାର୍ଥୀ ନୃସିଂହ ସାହୁଙ୍କ ବିଜୟ ବ୍ୟବଧାନ ଥିଲା ମାତ୍ର ୭୪୦। ବିଜେପିର ବିଭୂତି ପ୍ରଧାନ ତାଙ୍କୁ କଡ଼ା ଟକ୍କର ଦେଇଥିଲେ। ଏଥର ନୃସିଂହ ପୁଣି ବିଜେଡି ପ୍ରାର୍ଥୀ ହୋଇଛନ୍ତି। ବିଜେପି ବି ପ୍ରାର୍ଥୀ ବଦଳାଇ ନାହିଁ। ତେଣୁ ପୁଣି ଟକରାଟକରି ସ୍ଥିତିରେ ଉଭୟ ଦଳ। ଲକ୍ଷ୍ମୀପୁରରେ ବିଜେଡି ପ୍ରାର୍ଥୀ ପ୍ରଭୁ ଜାନି ୨୦୧୯ରେ ନିଜର ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସର କୈଳାସ କୁଲେସିକାଙ୍କୁ ୨୨୯ ଭୋଟ୍‌ରେ ହରାଇଥିଲେ। ଏଥର ପ୍ରଭୁ ଜାନି ପୁଣି ବିଜେଡି ପକ୍ଷରୁ ମଇଦାନକୁ ଓହ୍ଲାଇଛନ୍ତି। କିନ୍ତୁ କୁଲେସିକା ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି। କଂଗ୍ରେସରୁ ନୂଆ ପ୍ରାର୍ଥୀ ହୋଇଛନ୍ତି ପବିତ୍ର ସାଉଁଟା। ଗତ ଥର ଭୋଟ୍ ବ୍ୟବଧାନ କମ୍ ଥିବାରୁ ଏଥର ଏଠାରେ କିପରି ଫଳାଫଳ ହେଉଛି, ତାହା କେହି ଅନୁମାନ ଲଗାଇ ପାରୁନାହାନ୍ତି।

ସମାନ ଚର୍ଚ୍ଚା ରାଜଗାଙ୍ଗପୁରକୁ ନେଇ। ଗତ ଥର କଂଗ୍ରେସ ପ୍ରାର୍ଥୀ ସି ଏସ୍ ରାଜନ୍ ଏକ୍କା ନିଜ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେଡିର ଭେଟେରାନ୍ ମଙ୍ଗଳା କିଷାନ୍‌ଙ୍କୁ ହରାଇଥିଲେ। କିନ୍ତୁ ଭୋଟ୍ ବ୍ୟବଧାନ ଥିଲା ମାତ୍ର ୯୪୬। ଏଥର ରାଜନ୍ ଏକ୍କା ପୁଣି ପ୍ରାର୍ଥୀ ହୋଇଛନ୍ତି। ତେବେ ବିଜେଡିରେ ମଙ୍ଗଳାଙ୍କ ପୁଅ ଅନିଲ ପରୱା ପ୍ରାର୍ଥୀ ହୋଇଛନ୍ତି। ବିଜେପି ତା’ର ପୁରୁଣା ପ୍ରାର୍ଥୀ ନରସିଂହ ମିଞ୍ଜଙ୍କୁ ଆଉ ଥରେ ଟିକେଟ ଦେଇଛି। ତିନି ଦଳ ମଧ୍ୟରେ କଡ଼ା ମୁକାବିଲା ହେବା ଥୟ। ସେହିଭଳି ୨୦୧୯ ନିର୍ବାଚନରେ ଏହି ଚାରିଟି ଆସନରେ ବିଜୟୀ ପ୍ରାର୍ଥୀଙ୍କ ବିଜୟ ବ୍ୟବଧାନ ଏକ ହଜାର ଭିତରେ ରହିଥିଲା। ଯେକୌଣସି ବିଧାନସଭା ଆସନର ଫଳାଫଳ ଦୃଷ୍ଟିରୁ ଏହି ସଂଖ୍ୟା ଅତି ନଗଣ୍ୟ। ତେଣୁ ଏହି ଆସନଗୁଡ଼ିକ ଉପରେ ରାଜନୈତିକ ମହଲରେ ଚର୍ଚ୍ଚା ରହିବା ସ୍ବାଭାବିକ। ଏହାବାଦ୍ ଗତ ନିର୍ବାଚନରେ ଆଉ ୨୫ଟି ଆସନରେ ଫଳାଫଳ ବିଜୟୀ ପ୍ରାର୍ଥୀଙ୍କ ପାଇଁ ବିଶେଷ ଉତ୍ସାହ ରଖି ନଥିଲା। କାରଣ ବିଜୟ ବ୍ୟବଧାନ ୫ ହଜାର ଭିତରେ ସୀମିତ ଥିଲା। ମୋଟ୍ ଉପରେ ୨୯ଟି ଏମିତି ଆସନ ରହିଥିଲା ଯେଉଁଠି ବିଜୟୀ ଓ ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରେ ବିଜୟ ବ୍ୟବଧାନ ୫ ହଜାର ତଳକୁ ସୀମିତ ରହିଥିଲା।

ବିଜୟ ବ୍ୟବଧାନ ୫ ହଜାରରୁ କମ୍ ଥିଲା
୪ଟି ଆସନରେ ହଜାରେ ତଳକୁ ଥିଲା ବ୍ୟବଧାନ
ସ୍ବତନ୍ତ୍ର ରଣନୀତି କରୁଛନ୍ତି ପ୍ରମୁଖ ଦଳ

ଏଥର ଯେଉଁ ପ୍ରାର୍ଥୀମାନେ ଏହି ଆସନଗୁଡ଼ିକରେ ମଇଦାନକୁ ଓହ୍ଲାଇଛନ୍ତି, ସେମାନେ ପୂରା ହିସାବ କିତାବ କରି ନିର୍ବାଚନ ପରିଚାଳନା କରୁଛନ୍ତି। କେଉଁ ଗାଁରେ କେଉଁ ବୁଥ୍‌ରେ କେତେ ଭୋଟ୍ କମ୍ ବେଶି ହେଲା, ତାହାର ହିସାବ କରୁଛନ୍ତି। ଜିତିଥିବା ପ୍ରାର୍ଥୀ ଭୋଟ୍ ବ୍ୟବଧାନ କେଉଁ କେଉଁ ଅଞ୍ଚଳରେ ବଢ଼ିପାରିବ, ତାହା ଉପରେ ଫୋକସ୍ କରୁଛନ୍ତି। ସେହିପରି କମ୍ ଭୋଟ୍‌ରେ ହାରିଥିବା ପ୍ରାର୍ଥୀମାନେ ନିଜ ଦୁର୍ବଳତାକୁ ଖୋଜି ଭୋଟ୍ ହାର ବଢ଼ାଇବାକୁ ଗୁରୁତ୍ବ ଦେଉଛନ୍ତି। ଫଳରେ ଏହି ନିର୍ବାଚନମଣ୍ଡଳୀଗୁଡ଼ିକରେ ସ୍ଥିତି ଅତ୍ୟନ୍ତ ସରଗରମ ରହିଛି। ୧୪ଟି ଆସନରେ ବିଜେଡି ପ୍ରାର୍ଥୀ ୫ ହଜାରରୁ କମ୍ ଭୋଟ୍‌ରେ ହାରିଥିଲେ। ଏହି ଆସନଗୁଡ଼ିକ ହେଲା ପୁରୀ, ରାୟଗଡ଼ା, ବ୍ରହ୍ମଗିରି, କଟକ-ବାରବାଟୀ, ଭବାନୀପାଟଣା, ଧାମନଗର, କେନ୍ଦୁଝର, ଖରିଆର, ମୋହନା, ନୀଳଗିରି, ରାଇରଙ୍ଗପୁର, ସମ୍ବଲପୁର, ଉଦଳା ଓ ରାଜଗାଙ୍ଗପୁର। ଅବଶ୍ୟ ଏହି ଆସନଗୁଡ଼ିକରେ ସବୁଠି ପ୍ରାର୍ଥୀ ରିପିଟ୍ ହୋଇନାହାନ୍ତି। ଅଧିକଂଶ ଆସନରେ ରାଜନୈତିକ ଚିତ୍ର-ଚରିତ୍ର ବଦଳିଯାଇଛି। ତଥାପି ବିଜେଡି ସଂଗଠନକୁ ଭିତ୍ତି କରି ଦଳ ଏଠାରେ ବର୍ତ୍ତମାନର ପ୍ରାର୍ଥୀ ରଣନୀତି କରୁଛନ୍ତି। ବିଜେଡିର ରାଜ୍ୟ ନେତୃତ୍ବ ମଧ୍ୟ ଏହା ଉପରେ ସ୍ବତନ୍ତ୍ର ଫୋକସ୍‌ ଦେଉଛନ୍ତି।

ସେହିପରି ୧୧ଟି ଆସନରେ ବିଜେପି ପ୍ରାର୍ଥୀ ୫ ହଜାରରୁ କମ୍ ଭୋଟ୍‌ ପଛରେ ରହିଯାଇଥିଲେ। ସେଗୁଡ଼ିକ ହେଲା ବଡ଼ଚଣା, ବରୀ, ଗୋପାଳପୁର, କଣ୍ଟାମାଳ, କୁଚିଣ୍ଡା, ପରଜଙ୍ଗ, ରଘୁନାଥପାଲ୍ଲୀ, ରଣପୁର, ରେମୁଣା, ସୋରୋ ଓ କଣ୍ଟାବାଞ୍ଜି। ବିଜେପି ବି ଏହି ଆସନଗୁଡ଼ିକ ମଧ୍ୟରୁ ସବୁଥିରେ ପୁରୁଣା ପ୍ରାର୍ଥୀଙ୍କୁ ଟିକେଟ ଦେଇନି। କିଛି ଆସନରେ ପ୍ରାର୍ଥୀ ବଦଳିଛନ୍ତି। କିନ୍ତୁ ଏଠାରେ ବିଜେପିର ସ୍ଥିତି ଭଲ ଅଛି ବୋଲି ଦଳୀୟ ମହଲରେ ବିବେଚନା କରାଯାଉଛି। ତେଣୁ ସେହି ସଂଗଠନକୁ ଭିତ୍ତି କରି ଭୋଟ୍ ହାର ବଢ଼ାଇବାକୁ ପ୍ରାର୍ଥୀମାନେ ଯୋଜନା ପ୍ରସ୍ତୁତ କରିଛନ୍ତି। ୪ଟି ଆସନରେ କଂଗ୍ରେସ ପ୍ରାର୍ଥୀ ୫ ହଜାରରୁ କମ୍ ଭୋଟ୍‌ରେ ହାରିଥିଲେ। ସେଗୁଡ଼ିକ ହେଲା ଚିତ୍ରକୋଣ୍ଡା, କୋଟପାଡ଼, ଲକ୍ଷ୍ମୀପୁର ଓ ପଟ୍ଟାଙ୍ଗୀ। ଏହି ଆସନଗୁଡ଼ିକରେ ବି ରାଜନୈତିକ ଚିତ୍ର ବଦଳିଯାଇଥିବାରୁ କଂଗ୍ରେସର ରଣନୀତି ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର