ପାରାଦୀପ ପ୍ରକଳ୍ପ ପାଇଁ ଚୀନ୍ ସଂସ୍ଥା ସହ ଜେଏସ୍‌ଡବ୍ଲ୍ୟୁର ଆଲୋଚନା: ‌ଲିଥିଅମ୍‌-ଆୟନ୍ ବ୍ୟାଟେରି ତିଆରି ହେବ

ଭୁବନେଶ୍ବର: ସଜ୍ଜନ ଜିନ୍ଦଲଙ୍କ କମ୍ପାନି ଜେଏସ୍‌ଡବ୍ଲୁ ‌ଷ୍ଟିଲ୍‌ ଓଡ଼ିଶାରେ ଇଲେକ୍ଟ୍ରିକ୍ ଯାନ (ଇଭି) ଓ ତାହାର ବିଭିନ୍ନ ଉପକରଣ ତିଆରି କରିବା ଲାଗି ୪୦ ହଜାର କୋଟି ଟଙ୍କା ନିବେଶ କରିବାକୁ ଘୋଷଣା କରିଥିଲା। କମ୍ପାନି ରାଜ୍ୟର ପାରାଦୀପରେ ଏକ ଲିଥିଅମ୍ ଆୟନ୍ ବ୍ୟାଟେରି କାରଖାନା ସ୍ଥାପନ କରିବାକୁ ଯାଉଛି। ସେଥିପାଇଁ ଚୀନ୍‌ର ଏକ ସଂସ୍ଥ‌ା ସହ କମ୍ପାନି ଆଲୋଚନା କରୁଥିବା ଜଣାପଡ଼ିଛି। ତେବେ ସେହି କମ୍ପାନି ସମ୍ପର୍କରେ କୌଣସି ତଥ୍ୟ ସାମ୍ନାକୁ ଆସିନାହିଁ। ଆସନ୍ତା ମାସେ କିମ୍ବା ଦେଢ଼ ମାସ ଭିତରେ ଆଲୋଚନା ଚୂଡ଼ାନ୍ତ ହେବା ସମ୍ଭାବନା ରହିଛି। କମ୍ପାନିର ଲିଥିଅମ୍-ଆୟନ ରିଫାଇନାରି ଓ ବ୍ୟାଟେରି ଉତ୍ପାଦନ କାରଖାନାର କ୍ଷମତା ୬୦,୦୦୦ ଟନ୍ ରହିବ।

ପାରାଦୀପରେ ଜେଏସ୍‌ଡବ୍ଲୁର ଇଭି ପ୍ରକଳ୍ପ ଆସନ୍ତା ତିନିରୁ ଚାରି ବର୍ଷ ଭିତରେ କାର୍ଯ୍ୟକ୍ଷମ ହେବ। ଇଭିକୁ ନେଇ କମ୍ପାନି ମହତ୍ବକାଂକ୍ଷୀ ଯୋଜନା ରଖିଛି। ଚଳିତ ଦଶନ୍ଧି ଶେ‌ଷ ସୁଦ୍ଧା କମ୍ପାନି ୧୦ ଲକ୍ଷ ଇଭି ବିକ୍ରି କରିବାକୁ ଚାହୁଛି। ଭାରତୀୟ ଇଭି କାର୍‌ ବଜାରର ଏକ ତୃତୀୟାଂଶ ଅଂଶକୁ କମ୍ପାନି ହାସଲ କରିବାକୁ ଯୋଜନା ରଖିଛି। କମ୍ପାନି ଏଭଳି ଇଭି ତିଆରି କରିବାକୁ ଚାହୁଛି ଯାହା ଦ୍ବାରା ଏହା ବଜାରରେ ଅନ୍ୟ କମ୍ପାନିଗୁଡ଼ିକ ସହ ସହଜରେ ପ୍ରତିଦ୍ବନ୍ଦ୍ବିତା କରିପାରିବ। ଜେଏସ୍‌ଡବ୍ଲୁ ଓଡ଼ିଶାରେ ଦୁଇଟି ପର୍ଯ୍ୟାୟରେ ୪୦ ହଜାର କୋଟି ଟଙ୍କା ନିବେଶ କରିବ। ଏହା କଟକରେ ୨୫ ହଜାର କୋଟି ଟଙ୍କା ନିବେଶ କରି ଇଭି ଓ ବ୍ୟାଟେରି ଉତ୍ପାଦନ କମ୍ପ୍ଲେକ୍ସ ସ୍ଥାପନ କରିବ। ଅବଶି‌ଷ୍ଟ ୧୫ ହଜାର କୋଟି ଟଙ୍କାକୁ ପାରାଦୀପରେ ଇଭି ଉପକରଣ ତିଆରି କାରଖାନା ସ୍ଥାପନ କରିବାରେ ବ୍ୟବହାର କରିବ। କମ୍ପାନିର ଏହି ପ୍ରକଳ୍ପ ଦ୍ବାରା ରାଜ୍ୟରେ ୧୧ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସୁଲଭ ମୂଲ୍ୟରେ ଉନ୍ନତ ମାନର ବ୍ୟାଟେରି ଉତ୍ପାଦନ କରିବା ଲାଗି ବିଶ୍ବର ବିଭିନ୍ନ କମ୍ପାନି ଚୀନ୍‌ ପ୍ରଯୁକ୍ତି ବ୍ୟବହାର କରିବା ଉପରେ ଜୋର ଦେଉଛନ୍ତି। ଭାରତୀୟ କମ୍ପାନିଗୁଡ଼ିକ ଚୀନ୍‌ର ବିଭିନ୍ନ ସଂସ୍ଥା ସହ ଯୌଥ ଉଦ୍ୟୋଗ ସ୍ଥାପନ କରୁଛନ୍ତି।

ସମ୍ବନ୍ଧିତ ଖବର