ସାଙ୍ଗ ସହ ଭିଡିଓ ଚାଟ୍‌ କରୁଥିବା ବେଳେ ଋଷିଆନ୍‌ ରୁଲେଟ୍‌ ଖେଳ ସାଜିଲା କାଳ; ପିତାଙ୍କ ରିଭଲଭରରେ ଚାଲିଗଲା ୨୧ ବର୍ଷୀୟା ଯୁବତୀର ପ୍ରାଣ

ଭୋପାଳ (ମଧ୍ୟପ୍ରଦେଶ): ଭିଡିଓ କଲ୍‌ ଜରିଆରେ ଋଷିଆନ୍‌ ରୁଲେଟ୍‌ ଖେଳ ଖେଳିବା ଜଣେ ୨୧ ବର୍ଷୀୟା ଯୁବତୀଙ୍କ ପାଇଁ କାଳ ସାବ୍ୟସ୍ତ ହୋଇଛି। ଜଣେ ବାନ୍ଧବୀଙ୍କ ସହ ଭିଡିଓ କଲ୍‌ ମାଧ୍ୟମରେ କଥା ହେଉଥିବା ବେଳେ ନିଜ ପିତାଙ୍କ ରିଭଲଭରରେ ଋଷିଆନ୍‌ ରୁଲେଟ୍‌ (୬ଟି ଗୁଳି ଧରୁଥିବା ରିଭଲଭରର ଚାମ୍ବରରେ ଗୋଟିଏ ଗୁଳି ପୂରାଇ ଚାମ୍ବରଟିକୁ ବୁଲାଇଦେବା ସହ ରିଭଲଭରଟିକୁ ନିଜ ଆଡ଼କୁ ଫୁଟାଇ; ଭାଗ୍ୟ ଜୀବନ ନା ମୁତ୍ୟୁ କ’ଣ ଦେଉଛି ପରୀକ୍ଷା କରି ଦେଖିବା) ଖେଳ ଖେଳି ପ୍ରାଣ ହରାଇଛନ୍ତି ଗୋଓ୍ଵାଲିୟରର କରିସ୍ମା ଯାଦବ।

ଏହି ଘଟଣାର ତଦନ୍ତ କରୁଥିବା ପୁଲିସ୍‌ ଅଧିକାରୀ ସୁଦେଶ ତିଓ୍ଵାରୀଙ୍କ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଏହି ଦୁଃଖଦ ଘଟଣା ଘଟିଛି ଗତ ଶୁକ୍ରବାର। କରିସ୍ମା ଶୁକ୍ରବାର ଦିନ ଦିଲ୍ଲୀରେ ରହୁଥିବା ତାଙ୍କର ଜଣେ ବାନ୍ଧବୀ ନଜ୍‌ମାଙ୍କୁ ଏକ ଭିଡିଓ କଲ୍‌ କରିଥିଲେ। ସେହି ସମୟରେ ନଜ୍‌ମା ଦିଲ୍ଲୀର ଏକ ମେଟ୍ରୋ ଟ୍ରେନ୍‌ରେ ଯାତ୍ରା କରୁଥିଲେ। ନଜ୍‌ମାଙ୍କ ସହ ଭିଡିଓ ଚାଟିଂ କାଳରେ କରିସ୍ମା ନିଜ ପିତାଙ୍କର ଏକ ରିଭଲଭର ତାଙ୍କୁ ଦେଖାଇଥିଲେ। ଏବଂ କହିଥିଲେ, ଏହି ରିଭଲଭରର ଚାମ୍ବରରେ କେବଳ ମାତ୍ର ଗୋଟିଏ ଗୁଳି ରହିଛି; ଆଉ ସେଇଟି କେଉଁଠି ରହିଛି ମୁଁ ମଧ୍ୟ ଜାଣେ ନାହିଁ। ମୁଁ ଏବେ ଏଇ ରିଭଲଭରରେ ଋଷିଆନ୍‌ ରୁଲେଟ ଖେଳି ପରୀକ୍ଷା କରି ଦେଖିବାକୁ ଚାହୁଁଛି, ଭାଗ୍ୟ ମୋ ପାଇଁ କ’ଣ ରଖିଛି ଜୀବନ ନା ମୁତ୍ୟୁ? ଏ ଘଟଣା ଦେଖି ନଜ୍‌ମା ଭାବିଲେ କରିସ୍ମା ବୋଧହୁଏ ତା’ ସହ ମଜା କରୁଛି। ତଥାପି, ଏପରି ବିପଦପୂର୍ଣ୍ଣ ଜିନିଷ ନ ଧରିବା ସହ ଏପରି ଖେଳ ନଖେଳିବା ପାଇଁ କରିସ୍ମାଙ୍କୁ ପରାମର୍ଶ ଦେଇଥିଲେ ସେ। ଏହାପରେ କରିସ୍ମା ହାତରେ ଧରିଥିବା ରିଭଲଭରଟିକୁ ତଳେ ଥୋଇ ଦେଇଥିଲେ। ପୁଣି କିଛି ସେକେଣ୍ଡର ବ୍ୟବଧାନ ପରେ ରିଭଲଭରଟିକୁ ନିଜ କାନ ମୁଣ୍ଡାରେ ଲଗାଇ, ଦେଖିବା ଭାଗ୍ୟ ମୋ ପାଇଁ କ’ଣ ରଖିଛି ବୋଲି କହି ରିଭଲଭରର ଟ୍ରିଗର (ଘୋଡ଼ା)ଟିକୁ ଦବାଇ ଦେଇଥିଲେ। ଏହି ସମୟରେ ତାଙ୍କ ଫୋନ୍‌ କଟି ଯାଇଥିଲା ଏବଂ ରିଭଲଭରରେ ଥିବା ଗୁଳିଟି ତାଙ୍କ ତାଙ୍କ ମୁଣ୍ଡା ଭିତର ଦେଇ ମୁଣ୍ଡ ଭିତରକୁ ପଶି ଯାଇଥିଲା। ରକ୍ତ ଜୁଡ଼ୁବୁଡ଼ୁ ହୋଇ ତଳେ ପଡ଼ି ଯାଇଥିଲେ।

ପରେ ନଜ୍‌ମାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲକୁ ନିଆ ଯାଇଥିବା ବେଳେ ସେଠାରେ ଡାକ୍ତରମାନେ ତାଙ୍କୁୁ ମୃତ ଘୋଷଣା କରିଥିଲେ। କରିସ୍ମାଙ୍କ ପିତା ଅରବିନ୍ଦ ସିଂହ ଯାଦବ ପୁଲିସ୍‌ରେ ସୁବେଦାର ଥିବା ବେଳେ ଗତ ଚାରି ମାସ ତଳେ ଚାକିରୀରୁ ଅବସର ଗ୍ରହଣ କରିଥିଲେ। କରିସ୍ମାଙ୍କ ବଡ଼ ଭାଇ ଶିବମ୍‌ ଭାରତୀୟ ସେନା ବାହିନୀରେ ଜଣେ ଯବାନ। କରିସ୍ମା ଦିଲ୍ଲୀର ଏକ କଲେଜରେ ବିକମ୍‌ ପଢ଼ୁଥିବା ବେଳେ ଗତ କିଛି ଦିନ ତଳେ ଛୁଟି କଟାଇବା ପାଇଁ ଘରକୁ ଆସିଥିଲେ।

ସମ୍ବନ୍ଧିତ ଖବର