ଦଣ୍ଡ କୋହଳ କରିବାକୁ ରାଜସ୍ଥାନ ରାଜ୍ୟପାଳଙ୍କୁ ଆବେଦନ କଲେ ଆଶାରାମ୍‌

ଜୟପୁର: ଆତ୍ମଘୋଷିତ ଧର୍ମଗୁରୁ ଆଶାରାମ୍‌ ବାପୁ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେବାପରେ ରାଜସ୍ଥାନର ରାଜ୍ୟପାଳଙ୍କ ନିକଟରେ ଦଣ୍ଡ କୋହଳ ଲାଗି ଆବେଦନ କରିଛନ୍ତି। ରାଜ୍ୟସ୍ଥାନର ରାଜ୍ୟପାଳ କଲ୍ୟାଣ ସିଂଙ୍କ ନିକଟକୁ ସେ ଆବେଦନରେ ଦର୍ଶାଇଛନ୍ତି କି ତାଙ୍କର ବୟସାଧିକ୍ୟ ହେତୁ ଆଜୀବନ କାରାଦଣ୍ଡ ଅତ୍ୟନ୍ତ ନିଷ୍ଠୁର ଦଣ୍ଡ। ଏଣୁ ତାଙ୍କ ଦଣ୍ଡ କୋହଳ କରାଯାଇ ଅଜୀବନ କାରାଦଣ୍ଡରୁ ମୁକ୍ତ କରାଯାଉ।

ଆଶାରାମଙ୍କ ଏହି ଆବେଦନକୁ ଗ୍ରହଣ କରି ରାଜସ୍ଥାନ ରାଜ୍ୟପାଳ ଏ ନେଇ ଗୃହ ବିଭାଗର ମତାମତ ଲୋଡ଼ିଛନ୍ତି। ଗୃହ ବିଭାଗ ଏହାକୁ ଯୋଧପୁର ସେଣ୍ଟ୍ରାଲ୍‌ ଜେଲ୍‌କୁ ସବିଶେଷ ବିବରଣୀ ଦେବାକୁ ପଠାଇଛି। ଯୋଧପୁର ଜେଲ ସୁପରିଟେଣ୍ଡେଣ୍ଟ୍‌ ଏ ନେଇ ଜିଲ୍ଲା ପ୍ରଶାସନ ଓ ପୁଲିସକୁ ଏକ ରିପୋର୍ଟ ଦେବାକୁ ଅନୁରୋଧ କରିଛନ୍ତି। ଏହି ସବୁ ରିପୋର୍ଟ ଆସିବା ପରେ ଆଶରାମ୍‌ ବାପୁଙ୍କ ଆବେଦନ ଉପରେ ବିଚାର କରାଯିବ ବୋଲି ଜଣାପଡ଼ିଛି।

Zee News – India.com

ଉଲ୍ଲେଖଯୋଗ୍ୟ କି, ଗତ ଏପ୍ରିଲ ୨୫ ତାରିଖରେ ଯୋଧପୁରର ଏକ ଅଦାଲତ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୨୦୧୩ ମସିହା ଅଗଷ୍ଟ ୧୫ ତାରିଖ ଦିନ ଜଣେ ନାବାଳିକାଙ୍କୁ ଆଶାରାମ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଆଶାରାମଙ୍କୁ ଏହାପରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହି ରାୟର ପୁର୍ନବିଚାର ଲାଗି ଜୁଲାଇ ୨ ତାରିଖରେ ହାଇକୋର୍ଟରେ ଆବେଦନ କରିଥିଲେ। ମାତ୍ର ଏ ଯାଏଁ ମାମଲାର ଶୁଣାଣି ହୋଇନାହିଁ।

ସମ୍ବନ୍ଧିତ ଖବର