ହୋସ୍‌ ଉଡ଼ାଇଲା ଫର୍ମାଲିନ୍‌

ଭୁବନେଶ୍ୱର: ରାଜଧାନୀରେ ବିକ୍ରି ହେଉଥିବା ପମ୍ପଫ୍ରେଟ୍‌ ମାଛରେ ମିଶିଛି ଫର୍ମାଲିନ୍‌ ଭଳି ବିଷାକ୍ତ ରସାୟନ। ଆଜି ୟୁନିଟ୍‌-୪ସ୍ଥିତ ମାଛ ମାର୍କେଟ୍‌ରେ ଯାଞ୍ଚ ସମୟରେ ଏଭଳି ସତ ପଦାକୁ ଆସିଛି। ଯାହାକୁ ନେଇ ରାଜଧାନୀରେ ହଇଚଇ ସୃଷ୍ଟି ହୋଇଛି। ଗୋଟିଏ ଦିନରେ ମାଛ ବ୍ୟବସାୟ ୪୦ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଥିବା ଜଣାପଡ଼ିଛି। ଏପରିକି ମାଛ ଦର ହଠାତ୍‌ ୩୦/୪୦ଟଙ୍କାକୁ ଖସି ଆସିଛି। ଆସନ୍ତା କିଛିଦିନ ପାଇଁ ମାଛ ବ୍ୟବସାୟରେ ଏଭଳି ମାନ୍ଦାବସ୍ଥା ଲାଗି ରହିବ ବୋଲି ବ୍ୟବସାୟୀମାନେ ଆଶଙ୍କା କରୁଛନ୍ତି। ଆଜି ସକାଳେ ମତ୍ସ୍ୟ ଓ ପଶୁସଂପଦ ବିଭାଗର ୧୩ଜଣିଆ ଟିମ୍‌ ୟୁନିଟ୍‌-୪ସ୍ଥିତ ମାଛ ମାର୍କେଟ୍‌କୁ ଯାଇ ମାଛ ନମୁନା ଯାଞ୍ଚ କରିଥିଲେ। ପ୍ରାୟ ୯ଟି ପ୍ରକାରର ମାଛର ନମୁନା ପରୀକ୍ଷା କରାଯାଇଥିଲା। ତେବେ ପମ୍ପଫ୍ରେଟ୍‌ ମାଛର ନମୁନା ପରୀକ୍ଷା ସମୟରେ ରଂଗ ବଦଳି ଯାଇଥିଲା। ଫଳରେ ମାଛରେ ଫର୍ମାଲିନ୍‌ ଭଳି ବିଷାକ୍ତ ରସାୟନ ମିଶୁଥିବାର ଆଶଙ୍କା ସତ ହୋଇଥିଲା। ଯଦିଓ ଏହି ମାଛ କେଉଁଠାରୁ ଆସିଛି ତାହା ସ୍ପଷ୍ଟ ହୋଇ ନାହିଁ ମାତ୍ର ରାଜଧାନୀ ବଜାରରେ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ଫର୍ମାଲିନ୍‌ଯୁକ୍ତ ମାଛ ଖାଇଲେ କର୍କଟ ରୋଗ ହେବାର ଆଶଙ୍କା ଥିବାରୁ ଲୋକମାନେ ମାଛ କିଣିବା ଏକପ୍ରକାର ବନ୍ଦ କରି ଦେଇଛନ୍ତି।

ଗୋଟିଏ ଦିନରେ ୪୦% ବେପାର କମିଲା
ରାଜଧାନୀର ପ୍ରମୁଖ ମାଛ ବଜାର ହେଉଛି ୟୁନିଟ-୪ସ୍ଥିତ ମାଛ ମାର୍କେଟ୍‌। ମାର୍କେଟରେ ୧୦୦/୧୫୦ପ୍ରକାରର ମାଛ ସମେତ ଚିଙ୍ଗୁଡ଼ି ଓ କଙ୍କଡ଼ା ବିକ୍ରି ହୋଇଥାଏ। ମାର୍କେଟ୍‌ରେ ୪୦ଜଣ ହୋଲସେଲର ଥିବା ବେଳେ ୨୫୦ରୁ ଅଧିକ ଖୁଚୁରା ବ୍ୟବସାୟୀ ରହିଛନ୍ତି। ବୁଧ, ଶୁକ୍ର ଓ ରବିବାର ଭଳି ଆମିଷ ବାରରେ ୧୦୦/୧୨୦ ଟନ୍‌ ମାଛ ବିକ୍ରି ହୋଇଥାଏ। ପ୍ରାୟ ୯୦ ଟନ୍‌ ମାଛ ଆନ୍ଧ୍ରରୁ ଆସୁଥିବା ବେଳେ ବଳକା ସ୍ଥାନୀୟ ବଜାର ଚାହିଦା ପୂରଣ କରିଥାନ୍ତି। ତେବେ ମାଛରେ ଫର୍ମାଲିନ୍‌ ଖବର ମାଛ ବ୍ୟବସାୟୀଙ୍କ ବେପାରକୁ ମାନ୍ଦା କରି ଦେଇଛି। ଗୋଟିଏ ଦିନରେ ୪୦ପ୍ରତିଶତ ପର୍ଯ୍ୟନ୍ତ ମାଛ ବ୍ୟବସାୟ କମି ଯାଇଥିବା ୟୁନିଟ୍‌-୪ସ୍ଥିତ ବ୍ୟବସାୟୀ ସଂଘର ସଭାପତି ଶେଖ୍‌ ମୁସ୍ତଫା। ତାଙ୍କ କହିବାନୁଯାୟୀ, ଲୋକମାନେ ଭୟରେ ମାଛ କିଣି ନାହାନ୍ତି। ତେବେ ପମ୍ପଫ୍ରେଟ ମାଛକୁ ଛାଡ଼ି ଦେଲେ ଅନ୍ୟ କୌଣସି ମାଛରେ ଫର୍ମାଲିନ୍‌ର ଉପସ୍ଥିତି ଜଣା ପଡ଼ିନାହିଁ। ମାତ୍ର ଲୋକମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଭୟ ଯୋଗୁଁ ଆଗାମୀ କିଛିଦିନ ପର୍ଯ୍ୟନ୍ତ ମାଛ ବ୍ୟବସାୟରେ ମାନ୍ଦାବସ୍ଥା ଲାଗି ରହିପାରେ ବୋଲି ମୁସ୍ତଫା କହିଛନ୍ତି।

ଡିମାଣ୍ଡରେ ଜିଅନ୍ତା ମାଛ
ଆଜି ହଠାତ୍‌ ଖୁଚୁରା ମାଛ ବଜାରରେ ଦର ଖସି ଯାଇଥିଲା। ବେପାର ନ ହେବାରୁ ବ୍ୟବସାୟୀ ବାଧ୍ୟରେ ୧୧୦/୧୨୦ଟଙ୍କା ଦରରେ ମାଛ ବିକ୍ରି କରିଥିବା ସୂଚନା ମିଳିଛି। ବିଶେଷକରି ଜିଅନ୍ତା ମାଛ ଆଜି ଡିମାଣ୍ଡରେ ରହିଥିଲା। ଏହା କେଜି ୧୬୦ଟଙ୍କା ଦରରେ ବିକ୍ରି ହୋଇଥିବା ଜଣାପଡ଼ିଛି।

ଖାଦ୍ୟ ସୁରକ୍ଷା ପକ୍ଷରୁ ୧୦ ନମୁନା ସଂଗ୍ରହ
ସକାଳେ ଆଜି ମତ୍ସ୍ୟ ଓ ପଶୁସଂପଦ ବିଭାଗ ୟୁନିଟ୍‌-୪ସ୍ଥିତ ମାଛ ମାର୍କେଟ୍‌ରେ ନମୁନା ଯାଞ୍ଚ କରିବା ପରେ ଖାଦ୍ୟ ସୁରକ୍ଷା ପକ୍ଷରୁ ମଧ୍ୟ ଏଠାରେ ନମୁନା ସଂଗ୍ରହ କରାଯାଇଛି। ଖାଦ୍ୟ ସୁରକ୍ଷାର ୧୦ଜଣିଆ ଟିମ୍‌ ୟୁନିଟ୍‌-୪ ମାଛ ମାର୍କେଟ୍‌ରେ ପହଞ୍ଚି ବିଭିନ୍ନ ମାଛରୁ ୧୦ଟି ନମୁନା ସଂଗ୍ରହ କରିଛନ୍ତି। ବିଶେଷକରି ଆନ୍ଧ୍ରରୁ ଆସୁଥିବା ରୋହୀ, ଚାନ୍ଦି, ପମ୍ପଫ୍ରେଟ୍‌ ଓ ଚିଙ୍ଗୁଡ଼ି ଆଦିର ନମୁନା ସଂଗ୍ରହ କରାଯାଇଛି। ସଂଗୃହୀତ ନମୁନାଗୁଡ଼ିକୁ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ଆସନ୍ତା ୧୪ ଦିନ ମଧ୍ୟରେ ଏହାର ରିପୋର୍ଟ ଆସିବ ବୋଲି ଖାଦ୍ୟ ସୁରକ୍ଷାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ବା ଏଫ୍‌ଏସ୍‌ଏସ୍‌ଏଆଇର ଗାଇଡଲାଇନ୍‌ରେ ଖାଦ୍ୟପଦାର୍ଥ ବିଶେଷକରି ମାଛଜାତୀୟ ଜିନିଷରେ କେତେ ପର୍ଯ୍ୟନ୍ତ ବ୍ୟବହାର କରାଯାଇପାରିବ ତାହାର କୌଣସି ମାନ ଧାର୍ଯ୍ୟ କରାଯାଇ ନାହିଁ। ତେଣୁ ପରୀକ୍ଷା ରିପୋର୍ଟ ଆସିବା ପରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯିବ ତାହା ବିଚାର କରାଯିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

ଆଗରୁ ଚିଙ୍ଗୁଡ଼ିରେ ଦିଆଯାଉଥିଲା, ଏବେ ମାଛରେ
ଫର୍ମାଲିନ୍‌ର ବ୍ୟବହାର ପ୍ରଥମେ ଚିଙ୍ଗୁଡ଼ିରେ ଆରମ୍ଭ ହୋଇଥିଲା। ମୃତ ଚିଙ୍ଗୁଡ଼ିକୁ ଅଧିକ ଦିନ ପର୍ଯ୍ୟନ୍ତ ତାଜା ରଖିବା ପାଇଁ ଏଥିରେ ଫର୍ମାଲିନ୍‌ ଦିଆଯାଉଥିଲା। ମାତ୍ର ଏବେ ମାଛରେ ମଧ୍ୟ ଏହାକୁ ବ୍ୟବହାର କରାଯାଉଛି। ଯାହାକି ଠିକ୍‌ ନୁହେଁ ବୋଲି କହିଛନ୍ତି ଓୟୁଏଟିର ଅବସରପ୍ରାପ୍ତ ପ୍ରଫେସର ବିଭୂତି ମିଶ୍ର। ପ୍ରଫେସର ମିଶ୍ରଙ୍କ କହିବାନୁଯାୟୀ, ଫର୍ମାଲ ଡିହାଇଡ୍ରେଡ୍‌ରୁ ଏହାକୁ ପ୍ରସ୍ତୁତି କରାଯାଇଥାଏ। ପାଣିରେ ମିଶିବା ପରେ ଏହା ଫର୍ମାଲିନ୍‌ରେ ପରିଣତ ହୋଇଥାଏ। ଏହା ଅତ୍ୟନ୍ତ ବିଷାକ୍ତ। ଫର୍ମାଲିନ୍‌ର ସଂପର୍କରେ ଆସିଲେ ଆଖି ପୋଡ଼ିବା ସହିତ, ନାକ ଓ ତଣ୍ଟି ଜଳାପୋଡ଼ା ହେବା, ଚମଡ଼ା କୁଣ୍ଡାଇ ହେବା ଭଳି ଲକ୍ଷଣ ଦେଖା ଦେଇଥାଏ। ଜଣେ ବ୍ୟକ୍ତି ଯଦି ଦୀର୍ଘଦିନ ଧରି ଫର୍ମାଲିନ୍‌କୁ ଗ୍ରହଣ କରେ ତେବେ ଏହା ରକ୍ତରେ ମିଶି ଯାଇଥାଏ। ପରବର୍ତୀ ସମୟରେ ଶରୀରର ସେଲ୍‌କୁ ନଷ୍ଟ କରିବା ସହିତ କର୍କଟ ଭଳି ରୋଗ ସୃଷ୍ଟି କରିଥାଏ। ଶରୀରରେ ହେଉଥିବା ବିଭିନ୍ନ ପ୍ରକାର ଲକ୍ଷଣରୁ କେବଳ ଫର୍ମାଲିନ୍‌ର ଉପସ୍ଥିତି ସଂପର୍କରେ ଜାଣିହେବ ବୋଲି ପ୍ରଫେସର ମିଶ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର