ବିବାହ କରିବାକୁ ପ୍ରେମିକା ମନା କରିବାରୁ ୫ ଲକ୍ଷ ଟଙ୍କାରେ ନିଆଁ ଲଗାଇ ଦେଲା ପ୍ରେମିକ!

ପ୍ରେମିକା ବିବାହ କରିବାକୁ ମନା କରିବାରୁ ୫ ଲକ୍ଷ ଟଙ୍କା ନୋଟରେ ନିଆଁ ଲଗାଇ ଦେଇଛି ପ୍ରେମିକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ସିହୋରଠାରେ।

ମିଳିଥିବା ସୂଚନା ଅନୁଯାୟୀ, ସମ୍ପୃକ୍ତ ପ୍ରେମିକ ଜଣଙ୍କ ଏକ ପ୍ରାଇଭେଟ କମ୍ପାନୀରେ କ୍ୟାସିୟର କାମ କରୁଥିଲେ। ତେବେ ଏହି ଟଙ୍କାକୁ ସେ କମ୍ପାନୀର ଟ୍ରେଜେରୀରୁ ଆଣିଥିଲେ। ପୋଲିସ ସମ୍ପୃକ୍ତ କ୍ୟାସିୟର ଜିତେନ୍ଦ୍ର ଗୋୟଲକୁ ଗିରଫ କରିଛି। ତେବେ ଏହି ବାବଦରେ ପୋଲିସର କହିବା କଥା, ଏହି ଟଙ୍କା ଜିତେନ୍ଦ୍ର ନିଜ ପ୍ରେମିକାଙ୍କୁ ଦେଖାଇବାକୁ କମ୍ପାନୀରୁ ଆଣିଥିଲା। ଯେପରି ପ୍ରେମିକା ଟଙ୍କା ଦେଖି ବିବାହ ପାଇଁ ରାଜି ହୋଇଯିବ। କିନ୍ତୁ ପ୍ରେମିକାର ବିବାହ ଅନ୍ୟ କାହା ସହ ହେବା ପାଇଁ ସ୍ଥିର ହୋଇଯିବା ପରେ ସେ ଜିତେନ୍ଦ୍ରକୁ ବିବାହ ପାଇଁ ମନା କରିଦେଇଥିଲେ। ଆଉ ଏହି ଘଟଣାରେ କ୍ରୋଧିତ ହୋଇ ଜିତେନ୍ଦ୍ର ତାଙ୍କ ପାଖରେ ଥିବା ୫ଲକ୍ଷ ଟଙ୍କାରେ ନିଆଁ ଲଗାଇ ଦେଇଥିଲେ।

ସୂଚନା ଅନୁଯାୟୀ, ସ୍ପନ୍ଦନା ସ୍ଫୃର୍ତି ଫାଇନାନ୍‌ସ କମ୍ପାନୀରେ ପ୍ରାଇଭେଟ ଫାଇନାନ୍‌ସ କରାଯାଇଥାଏ। ଆଉ ଏଠାରେ ଜିତେନ୍ଦ୍ର ଗୋୟଲ କ୍ୟାସିୟର କାମ କରୁଥିଲେ। ଆଉ କମ୍ପାନୀର ଚାବି ଜିତେନ୍ଦ୍ରଙ୍କ ପାଖରେ ହିଁ ରହୁଥିଲା। ଏପିଲ ୧୭-୧୮ ତାରିଖ ରାତିରେ କ୍ୟାସିୟର ଜିତେନ୍ଦ୍ର କମ୍ପାନୀ ଟ୍ରେଜେରୀରୁ ୬ ଲକ୍ଷ ୭୪ ହଜାର ଟଙ୍କା ନେଇ ଫେରାର ହୋଇଯାଇଥିଲେ।

କମ୍ପାନୀ ମ୍ୟାନେଜରଙ୍କ ଅଭିଯୋଗ ଆଧାରରେ ନସରୁଲାଗଞ୍ଜ ପୋଲିସ ଜିତେନ୍ଦ୍ର ଗୋୟଲଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତେବେ ଜଳିଯାଇଥିବା ନୋଟ ଗୁଡକି ମଧ୍ୟରେ ୨୦୦୦ ଟଙ୍କାର ନୋଟ ଠାରୁ ଆରମ୍ଭ କରି ୫୦୦ ଟଙ୍କା, ୨୦୦ ଟଙ୍କା ଏବଂ ୧୦୦ ଟଙ୍କାର ନୋଟ ମଧ୍ୟ ରହିଥିଲା। ଗିରଫ ପରେ ଜିତେନ୍ଦ୍ର ଠାରୁ ୪୬ ହଜାର ଟଙ୍କା ଜବତ କରିଛି ପୋଲିସ।

ସମ୍ବନ୍ଧିତ ଖବର