୬ ମାସ ହେଲା ଅନ୍ଧାରରେ ୧୦ଟି ଗାଁ

ରାୟଗଡ଼ା : ଗ୍ରାମ୍ୟ ବିଦ୍ୟୁତ୍‌କରଣ ଯୋଜନାରେ ଗ୍ରାମାଞ୍ଚଳ ଲୋକଙ୍କୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଉଥିବା ବେଳେ ଗତ ୬ ମାସ ହେଲା ଦୁଇଟି ଗ୍ରାମ ପଞ୍ଚାୟତ ବାଇସିଂ ଓ କାରୁବାଇ ଅଞ୍ଚଳରେ ବିଦ୍ୟୁତ ଯୋଗାଣ ବନ୍ଦ ରହିଛି। ବିଦ୍ୟୁତ୍‌ ଯୋଗାଣ ବନ୍ଦ ଯୋଗୁଁ ଅଞ୍ଚଳବାସୀ ନାହିଁ ନଥିବା ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟା ସଂପର୍କରେ ସାଉଥକୋ ଓ ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ବି କୈାଣସି ସୁଫଳ ମିଳିନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । କେଉଁ କାରଣରୁ ବିଦ୍ୟୁତ ଯୋଗାଣ ବନ୍ଦ ରହିଛି ସେଥିନେଇ ବି ବିଭାଗୀୟ ଅଧିକାରୀ କହୁନାହାନ୍ତି। ୬ ମାସ ଧରି ବିଦ୍ୟୁତ ନଥିବା ବେଳେ ବିଲ ନିୟମିତ ଆସୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ସଂପର୍କରେ ଦୁଇଟି ପଞ୍ଚାୟତର ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ ଗତ ୨୦୧୫ ମସିହାରେ ଏହି ଅଞ୍ଚଳକୁ ବିଦ୍ୟୁତ ସଂଯୋଗ କରାଯାଇ ୯୦ ପ୍ରତିଶତ ଘରେ ବିଦ୍ୟୁତ ସଂଯୋଗ କରାଯାଇଥିଲା। ନିୟମିତ ବିଦ୍ୟୁତ ଦେୟ ପୈଠ କରୁଥିବା ବେଳେ ୬ ମାସ ହେଲା ଦୁଇଟି ପଞ୍ଚାୟତର ପ୍ରାୟ ୧୦ଟି ଗ୍ରାମକୁ ବିଦ୍ୟୁତ ଯୋଗାଣ ବନ୍ଦ ରହିଛି। ବିଦ୍ୟୁତ୍‌ ବନ୍ଦ ଯୋଗୁଁ ଗାଁ ଓ ଘର ଅନ୍ଧାରରେ ରହିବା ସହ ପିଲାଙ୍କ ପାଠପଢାରେ ଅନ୍ତରାୟ ସୃଷ୍ଟି ହୋଇଛି। ବିଦ୍ୟୁତ୍‌ ବନ୍ଦ ଯୋଗୁଁ କୈାଣସି ଖବର ଜାଣିପାରୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତୁରନ୍ତ ଦୁଇଟି ଗ୍ରାମ ପଞ୍ଚାୟତରେ ପୁନଃ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା କରିବାକୁ ପ୍ରତିନିଧି ଦଳର ମୁଖ୍ୟ ତଥା ରାୟଗଡ଼ା ଜିଲ୍ଲା ଆଦିବାସୀ ବିକାଶ ପରିଷଦର ସଦସ୍ୟ ପ୍ରକାଶ ମାଣାଂଗି ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିିଛନ୍ତି । ଅଭିଯୋଗକୁ ଜେକେପୁରସ୍ଥିତ ସାଉଥକୋ କନିଷ୍ଠ ଯନ୍ତ୍ରୀ ରୁପକ ଦାଶ ଅସ୍ୱୀକାର କରିଛନ୍ତି। ବିଦ୍ୟୁତ ବିଭ୍ରାଟ ହେଉଥିବା କଥା ସତ, ଦୁଇ ତିନି ଦିନ ସମସ୍ୟା ହେବାପରେ ଠିକ କରାଯାଇଥିଲା । ଏବେ ପୁଣି ସମସ୍ୟା ହେଉଛି ତେବେ ଲଗାତର ୬ ମାସ ବିଦ୍ୟୁତ ଯୋଗାଣ ବନ୍ଦ ହୋଇନାହିଁ ବୋଲି କନିଷ୍ଠଯନ୍ତ୍ରୀ ପ୍ରକାଶ କରିିଛନ୍ତି। ଘଡ଼ଘଡ଼ି ଯୋଗୁଁ ବକ୍ସ ଗୁଡ଼ାକ ଫାଟିଯାଇ ନଷ୍ଟ ହୋଇଯାଇଥିବାରୁ ବିଦ୍ୟୁତ ଯୋଗାଣରେ ସମସ୍ୟା ହେଉଛି। ଯେଉଁ ଗ୍ରାମରେ ବିଦ୍ୟୁତ ଯୋଗାଣ ବନ୍ଦ ରହିଥିଲା ବର୍ତମାନ ସବୁ ଠିକଠାକ୍‌ ହୋଇଯାଇଛି ବୋଲି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର