ଭାରସାମ୍ୟ ହରାଇ ଓଲଟିଲା ୬୬୬ କୋଟି ଟଙ୍କାର ସୁନାଗହଣା ନେଇଯାଉଥିବା ଟ୍ରକ

ଚେନ୍ନାଇ: ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଲା ୬୬୬ କୋଟି ଟଙ୍କାର ସୁନାଗହଣା ନେଇଯାଉଥିବା ଟ୍ରକ | ଆଉ ଏବାବଦରେ ସୂଚନା ପାଇବା ପରେ ପୁଲିସ ତ୍ୱରିତ ପଦକ୍ଷେପ ନେଇ ଘଟଣାସ୍ଥଳରେ ପହଁଚିଲା ଆଉ ଲୁଟ ହେବା ଆଗରୁ ସୁନାଗହଣାକୁ ଗନ୍ତବ୍ୟ ସ୍ଥଳ ଅଭିମୁଖେ ପଠାଇଲା | ତାମିଲନାଡୁର ଇରୋଡ ନିକଟ ଚିତ୍ତୋଡରେ ଏଭଳି ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ୬୬୬ କୋଟି ଟଙ୍କା ମୂଲ୍ୟର ୮୧୦ କିଲୋଗ୍ରାମ ସୁନା ଅଳଙ୍କାର ନେଇଥିବା ଏକ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିଥିଲା | ପୁଲିସ କହିଛି ଯେ ଏକ ଘରୋଇ ଲଜିଷ୍ଟିକ୍ କମ୍ପାନୀ ପକ୍ଷରୁ ଏହି ବିପୁଳ ପରିମାଣର ଅଳଙ୍କାର ନେଇ କଣ୍ଟେନର କୋଏମ୍ବାଟୁରରୁ ସାଲେମକୁ ଯାଉଥିଲା। ତେବେ ରାସ୍ତାରେ ଭାରସାମ୍ୟ ହରାଇ ଏହା ଓଲଟିପଡିଥିଲା |

ଏହି ଦୁର୍ଘଟଣାରେ ଡ୍ରାଇଭର ଶଶି କୁମାର ଏବଂ ସଶସ୍ତ୍ର ସୁରକ୍ଷା କର୍ମୀ ବଲରାଜ ଗୁରୁତର ଆହତ ହୋଇଛନ୍ତି। ସୂଚନା ମୁତାବକ ଚିତୋଡ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛି। ତେବେ କଣ୍ଟେନରରେ ଥିବା ଅଳଙ୍କାର ସୁରକ୍ଷିତ ରହିଛି | ଦୁର୍ଘଟଣା ପରେ ଅଳଙ୍କାରର ରସିଦ ଦେଖି ପୁଲିସ ଗହଣା ପଠାଇଥିବା ସଂସ୍ଥା ସହ ଯୋଗାଯୋଗ କରିଥିଲା | ଘଟଣା ସମ୍ପର୍କରେ ସଂସ୍ଥା ପକ୍ଷରୁ ସୂଚନା ପାଇବା ପରେ ଏକ ଗାଡି ଏବଂ ସୁରକ୍ଷାକର୍ମୀଙ୍କୁ ଘଟଣାସ୍ଥଳକୁ ପଠାଯାଇଥିଲା। ଏହା ପରେ ଅଳଙ୍କାରକୁ ଅନ୍ୟ ଏକ ଗାଡିରେ ସାଲେମକୁ ପଠାଯାଇଥିଲା।

ସମ୍ବନ୍ଧିତ ଖବର