ଆଉ ୫ଟି ଜିଲ୍ଲା କ୍ଷୁଦ୍ର ଶସ୍ୟ ମିସନରେ ସାମିଲ

ଭୁବନେଶ୍ୱର : କ୍ଷୁଦ୍ର ଶସ୍ୟ(ମିଲେଟ୍‌) ଚାଷ ରାଜ୍ୟରେ ପୋଷଣ ନିରାପତ୍ତା ବୃଦ୍ଧି କରିବା ସହ କୃଷକଙ୍କ ପାଇଁ ଲାଭଜନକ। ଗତବର୍ଷ ରାଜ୍ୟର ୭ଟି ଜିଲ୍ଲାର ୩୦ଟି ବ୍ଲକ୍‌ରେ କ୍ଷୁଦ୍ର ଶସ୍ୟ ବା ମିଲେଟ୍‌ ମିସନ୍‌ରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଏଥର ଆଉ ୫ଟି ଜିଲ୍ଲାର ୩୨ଟି ବ୍ଲକ୍‌କୁ ଏହି ମିସନ୍‌ରେ ସାମିଲ କରାଯାଇଛି। ଫଳରେ ରାଜ୍ୟର ୧୨ଟି ଜିଲ୍ଲାର ୬୨ଟି ବ୍ଲକ୍‌ ମିସନ ପରିସରଭୁକ୍ତ ହୋଇଛି।

ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଭିଡିଓ କନ୍‌ଫରେନ୍ସିଂ ଯୋଗେ ଜିଲ୍ଲାପାଳ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହିତ ଏହି ମିସନର କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ। ବ୍ଲକ ସ୍ତରରେ କୃଷକ ସଂପର୍କ ଓ ପରାମର୍ଶ କେନ୍ଦ୍ରର ବୈଠକ ନିୟମିତ ଭାବେ ଆୟୋଜନ କରି ଅଗ୍ରାଧିକାର ଭିତ୍ତିରେ କୃଷି ସମ୍ବନ୍ଧୀୟ ସମସ୍ୟାର ସମାଧାନ କରିବାକୁ ସେ ନିର୍ଦେଶ ଦେଇଥିଲେ। ଚଳିତ ଖରିଫରେ ପ୍ରତି ୧୫ ଦିନ ଅନ୍ତରରେ ବୈଠକ ଆୟୋଜନ କରିବା ପାଇଁ ମଧ୍ୟ ନିର୍ଦେଶ ଦିଆଯାଇଥିଲା। ଏ ନେଇ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ କହିଥିଲେ, ରାଜ୍ୟର ସମସ୍ତ ବ୍ଲକରେ କୃଷକ ସଂପର୍କ ଓ ପରାମର୍ଶ କେନ୍ଦ୍ରଗୁଡ଼ିକୁ କାର୍ଯ୍ୟକ୍ଷମ କରାଯାଇଛି।

ସୂଚନାଯୋଗ୍ୟ, ଗତବର୍ଷ ରାୟଗଡ଼ା, ନୂଆପଡ଼ା, ମାଲକାନଗିରି, କୋରାପୁଟ, କନ୍ଧମାଳ, କଳାହାଣ୍ଡି, ଗଜପତି ଆଦି ୭ଟି ଜିଲ୍ଲାରେ କ୍ଷୁଦ୍ର ଶସ୍ୟ ମିସନ କାର୍ଯ୍ୟକାରୀ ହୋଇଥିଲା। ଚଳିତ ଖରିଫରେ ସୁନ୍ଦରଗଡ଼, ମୟୂରଭଞ୍ଜ, ବଲାଙ୍ଗୀର ଓ ଗଞ୍ଜାମ ଜିଲ୍ଲାରେ ଏହି ମିସନ କାର୍ଯ୍ୟ ଆରମ୍ଭ କରିସାରିଛି। କେନ୍ଦୁଝର ଜିଲ୍ଲାର ୭ଟି ବ୍ଲକ ଏବଂ ବରଗଡ଼ ଓ ନବରଙ୍ଗପୁର ଜିଲ୍ଲାରେ ମଧ୍ୟରେ ମିସନ କାର୍ଯ୍ୟ ଆରମ୍ଭ ହେବ ବୋଲି ବୈଠକରେ ଆଲୋଚନା ହୋଇଥିଲା।

ସମ୍ବନ୍ଧିତ ଖବର