ଦାବି ରହିଲା, ଏଡିପିରେ ଓଡ଼ିଶା କ୍ୟାଡର ଅଧିକାରୀ : ମୁଖ୍ୟ ସଚିବଙ୍କୁ ଚିଠି ଲେଖିଲେ ଆୟୋଗ

ଭୁବନେଶ୍ୱର :  କେନ୍ଦ୍ର ସରକାରଙ୍କ ବହୁ ପ୍ରଚାରିତ ପଛୁଆ ଜିଲ୍ଲା ବିକାଶ କାର୍ଯ୍ୟକ୍ରମ (ଏଡିପି) ପ୍ରସଙ୍ଗକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଯେଉଁ ମୁକାବିଲା ପରିସ୍ଥିତି ସୃଷ୍ଟି ହୋଇଥିଲା ତାହାର ଆପାତତଃ ଅବସାନ ଘଟିଛି। ପୂର୍ବରୁ ଓଡ଼ିଶାର ୮ଟି ଜିଲ୍ଲାକୁ ଏଡିପି ତାଲିକାରେ ରଖାଯାଇଥିଲା ଓ ମୁଖ୍ୟମନ୍ତ୍ରୀଙ୍କ ଦାବି ମୁତାବକ, ଆଉ ଦୁଇଟି ଜିଲ୍ଲା ନବରଙ୍ଗରପୁର ଓ ନୂଆପଡାକୁ ସାମିଲ କରାଯାଇଛି।ଏ ସଂକ୍ରାନ୍ତରେ ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ କାନ୍ତ ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ବିଧିବଦ୍ଧ ସୂଚନା ଦେଇଛନ୍ତି। ପୂର୍ବରୁ ନୀତି ଆୟୋଗ ଏଡିପି ତାଲିକାରେ ଢେଙ୍କାନାଳ, ରାୟଗଡ଼ା, ମାଲକାନଗିରି, କଳାହାଣ୍ଡି, କୋରାପୁଟ, କନ୍ଧମାଳ, ଗଜପତି ଓ ବଲାଙ୍ଗୀର ଜିଲ୍ଲାକୁ ସାମିଲ କରିଥିଲେ। ଆୟୋଗ ୧୦ଟି ଜିଲ୍ଲା ପାଇଁ ପ୍ରଭାରୀଙ୍କୁ ମଧ୍ୟ ନିଯୁକ୍ତି ଦେଇଛନ୍ତି। କେନ୍ଦ୍ରୀୟ ଡେପୁଟେସନ୍‌ରେ ଥିବା ଓଡ଼ିଶା କ୍ୟାଡର୍‌ ଆଇଏଏସ୍‌ ଅଫିସର ସତ୍ୟବ୍ରତ ସାହୁଙ୍କୁ ରାୟଗଡ଼ା ଜିଲ୍ଲାର ପ୍ରଭାରୀ ଭାବେ ଘୋଷଣା କରାଯାଇଥିବା ବେଳେ ଆଉ ୭ ଜଣ ଆଇଏଏସ୍‌ ଅଫିସର ସନ୍ଦୀପ କୁମାର ନାୟକଙ୍କୁ ନୂଆପଡ଼ା, ଯତୀନ୍ଦ୍ରନାଥ ସ୍ୱାଇଁଙ୍କୁ ଢେଙ୍କାନାଳ, ସଞ୍ଜୟ ରସ୍ତୋଗୀଙ୍କୁ ନବରଙ୍ଗପୁର, ସନ୍ତୋଷ କୁମାର ଷଡ଼ଙ୍ଗୀଙ୍କୁ ମାଲକାନଗିରି, ଅପରାଜିତା ଷଡ଼ଙ୍ଗୀଙ୍କୁ କଳାହାଣ୍ଡି, ଉଷା ପାଢ଼ୀଙ୍କୁ କୋରାପୁଟ ଓ ସୁରେଶ କୁମାର ବଶିଷ୍ଠଙ୍କୁ ବଲାଙ୍ଗୀର ଦାୟିତ୍ୱ ଦିଆଯାଇଛି। ଦୁଇ ଜଣ ଆଇଏଫ୍‌ଏସ୍‌ ଅଫିସର ଶିଶିର କୁମାର ରଥଙ୍କୁ କନ୍ଧମାଳ ଓ ସଞ୍ଜିବ କୁମାର ଚଢ଼ାଙ୍କୁ ଗଜପତି ଜିଲ୍ଲାର ପ୍ରଭାରୀ ଭାବେ ଘୋଷଣା କରାଯାଇଛି। ପ୍ରଭାରୀ ଭାବେ ନିଯୁକ୍ତି ପାଇଥିବା ଅଧିକାରୀମାନେ ରାଜ୍ୟ ସରକାରଙ୍କ ସହ ସମନ୍ଵୟ ରକ୍ଷା କରି କାମ କରିବେ।

ସମ୍ବନ୍ଧିତ ଖବର