ହାଜତ ମୃତ୍ୟୁକୁ ନେଇ ଉତ୍ତେଜନା : ରାଜଗାଙ୍ଗପୁରରେ ୧୯ ପ୍ଲାଟୁନ୍ ଫୋର୍ସ ମୁତୟନ
‘ମୋ ପୁଅଙ୍କୁ ପିଟିପିଟି ମାରି ଦିଆଯାଇଛି’: ମୃତକଙ୍କ ବାପା, ବିଧାୟକ ମଙ୍ଗଳା କିଷାନଙ୍କୁ ଟାଣିଲେ
ରାଜଗାଙ୍ଗପୁର : ହାଜତ ମୃତ୍ୟୁକୁ ନେଇ ଆଜି ରାଜଗାଙ୍ଗପୁର ଉଠିଛିପଡ଼ିଛି। ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାରୁ ୧୯ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ମୃତକଙ୍କ ପିତା ବୁଧୁରାମ ଲାକ୍ରା ‘ମୋ ପୁଅକୁ ପିଟିପିଟି ମାରିଦିଆଯାଇଛି’ ବୋଲି ଅଭିଯୋଗ କରିବା ସହିତ ଘଟଣାରେ ସ୍ଥାନୀୟ ବିଧାୟକ ମଙ୍ଗଳା କିଷାନଙ୍କୁ ଯୋଡ଼ିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ହାଜତରେ ମୃତ ରାଇକାକଚ୍ଛାରର ମୂଳନିବାସୀ ଜୟ ଲାକ୍ରାଙ୍କୁ ୫ ଦିନ ପୂର୍ବେ ପୁଲିସ ନିଜ ସଂପର୍କୀୟଙ୍କ ଘରୁ ଉଠାଇ ଆଣି ଦୁଇ ଅଭିଯୋଗକାରୀଙ୍କ ସହ ମିଶି ନିଧୁର୍ମ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପରେ ଜୟଙ୍କର ମୃତ୍ୟୁ ଘଟିଛି। ତେବେ, ବୁଧୁରାମ ଅଭିଯୋଗ କରିଛନ୍ତି ଯେ, ତାଙ୍କ ପୁଅକୁ ୧ ତାରିଖ ଦିନ ଥାନାକୁ ଆଣିଥିବାବେଳେ ପୁଲିସ୍ ବେଆଇନ୍ ଭାବେ ୫ ତାରିଖ ପର୍ଯ୍ୟନ୍ତ ଅଟକାଇ ରଖିଥିଲା।
ସେ ଅଭିଯୋଗ କରିଛନ୍ତି ଯେ, ବିଳମ୍ବିତ ରାତିରେ ରବୀନ୍ଦ୍ର ଲାକ୍ରା ଓ ଦାଦା ନବୀନ ଲାକ୍ରା ଆଉ ଦୁଇଜଣ ବ୍ୟକ୍ତିଙ୍କ ସହ ଘରେ ପଶି ଜୟଙ୍କୁ ଘୋସାରି ଘୋସାରି ନେଇଥିଲେ। ଭିଣୋଇ ଏହାକୁ ବାରଣ କରିବାରୁ ଅର୍ଥ ଠକେଇ ମାମଲାରେ ରାଜଗାଙ୍ଗପୁର ପୁଲିସ ଜୟଙ୍କୁ ଗିରଫ କରୁଥିବା ଦୁଇ ସାଦା ପୋଷାକଧାରୀ କହିଥିଲେ। ତେବେ ଜୟଙ୍କୁ ମାଡ଼ ନ ମାରିବାକୁ ମନୋଜ ବାରମ୍ବାର ଅନୁରୋଧ କରିଥିଲେ ସୁଦ୍ଧା ରାଜଗାଙ୍ଗପୁର ଥାନା ପୁଲିସ ପରିଚୟ ଦେଇଥିବା ଦୁଇ ବ୍ୟକ୍ତି ଓ ନବୀନ, ରବୀନ୍ଦ୍ର ନିଧୁର୍ମ ମାଡ଼ ମାରିବା ସହ ସେଠାରୁ ନେଇଆସିଥିଲେ। ତା’ ପରଦିନ, ଅର୍ଥାତ୍ ୨ ତାରିଖରେ ଭିଣୋଇ ମନୋଜ ବ୍ରାହ୍ମଣୀତରଙ୍ଗ ଥାନା ଯାଇ ପଚରାଉଚରା କରିବାପରେ ରାଜଗାଙ୍ଗପୁର ପୁଲିସ ଜୟଙ୍କୁ ଗିରଫ କରିଥିବା କହିଥିଲେ। ରାଜଗାଙ୍ଗପୁର ପୁଲିସ ୨ ତାରିଖରେ ହିଁ ଜୟଙ୍କ ନାଁରେ ମାମଲା ରୁଜୁ କରିଥିଲା। ଏହାର ଦୁଇ ଦିନ ପରେ, ୪ ତାରିଖରେ ମନୋଜ ରାଜଗାଙ୍ଗପୁର ଥାନାକୁ ଯାଇ ଅଟକ ଥିବା ଜୟଙ୍କୁ ଭେଟିବା ସହ କଥାବାର୍ତ୍ତା ହୋଇଥିଲେ। ସେତେବେଳେ ଜୟ କୁଆଡ଼େ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଇଥିବା କହିଥିଲେ। ତିନିଦିନ ଧରି ଥାନାରେ ଅଟକ ରଖାଯାଇଥିବା ନେଇ ମନୋଜ ସଂପୃକ୍ତ ଥାନାଧିକାରୀଙ୍କୁ ପଚାରିବାରୁୁ ତାଙ୍କୁ କୌଣସି ସନ୍ତୋଷଜନକ ଉତ୍ତର ମିଳିପାରି ନ ଥିଲା। ଅଭିଯୋଗକାରୀ ରବୀନ୍ଦ୍ରର ଦାଦା ନବୀନ ବିଜେଡିର ଜଣେ ସମିତି ସଭ୍ୟ ଥିବାବେଳେ ସ୍ଥାନୀୟ ବିଧାୟକଙ୍କ ଚାପରେ ପୁଲିସ ଜୋରଜବରଦସ୍ତ ଘରୁ ଉଠାଇ ଆଣି ମାଡ଼ପିଟ କରି ଜୟଙ୍କୁ ଜୀବନରୁ ମାରିଦେଇ ଗତକାଲି ସଂଧ୍ୟାରେ ଥାନାର ପାଇଖାନାରେ ଝୁଲାଇ ଦେଇଥିବା ଅଭିଯୋଗ କରିଛନ୍ତି। ତେବେ, ଏହି ଅଭିଯୋଗକୁ ଖଣ୍ଡନ କରିବା ସହିତ ଘଟଣା ସହିତ ତାଙ୍କର କୌଣସି ସମ୍ପର୍କ ନଥିବା ବିଧାୟକ ଶ୍ରୀ କିଷାନ କହିଛନ୍ତି।
ଆଜି ପୂର୍ବାହ୍ନରେ ବୁଧୁରାମ ଅଭିଯୁକ୍ତ ରବୀନ୍ଦ୍ର ଓ ନବୀନଙ୍କ ସମେତ ସଂପୃକ୍ତ ପୁଲିସ କର୍ମଚାରୀଙ୍କୁ ଗିରଫ ଦାବିରେ ଶବ ବ୍ୟବଚ୍ଛେଦ ପାଇଁ ମନା କରିଦେଇଥିଲେ। ଦୀର୍ଘ ସମୟଧରି ଜିଲ୍ଲା ପୁଲିସ ବୁଝାସୁଝା କରିବା ସହ ରବୀନ୍ଦ୍ର ଓ ନବୀନଙ୍କୁ ଗିରଫ କରିବାପରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ବ୍ୟବଚ୍ଛେଦପରେ ଶବକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଥାନା ପରିସରରେ ଦୀର୍ଘ ସମୟଧରି ଉତ୍ତେଜନା ଲାଗି ରହିବାରୁ ଆଇନ ଶୃଙ୍ଖଳା ରକ୍ଷା ପାଇଁ ଥାନା ପରିସରରେ ୧୯ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ।