ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ପରେ ପୋତି ଦେଇଥିଲେ : ମାଟି ତଳୁ ମିଳିଲା ଦୁଇ ନିଖୋଜ ନାବାଳକଙ୍କ ଶବ

ପାଇକସାହି : ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ରାଣୀବନ୍ଧ ଗ୍ରାମ ନାଳ ନିକଟ ମାଟିତଳୁ ଆଜି ସକାଳେ ଦୁଇଜଣ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଦ୍ବୟ ହେଲେ ହତାଶିମିଳି ଗ୍ରାମର ବିଜୟ ନାୟକଙ୍କ ପୁଅ ସିପୁନ ନାୟକ (୧୪) ଓ ଭୀମସେନ ନାୟକଙ୍କ ପୁଅ ଅମୂଲ୍ୟ ନାୟକ (୧୭)। ଦୀର୍ଘ ୧୨ ଦିନ ଧରି ଏହି ଦୁଇ ନାବାଳକ ନିଖୋଜ ଥିଲେ। ଆଜି ଉଭୟଙ୍କ ଶବ ମାଟି ତଳୁ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ପୁଲିସ ମୃତଦେହ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି।

ପୁଲିସ ସୂତ୍ରରୁ ପ୍ରକାଶ, ଗତ ୨୪ ତାରିଖ ରାତିରେ ସିପୁନ ଓ ଅମୂଲ୍ୟ ମାଛ ମାରିବା ପାଇଁ କହି ଘରୁ ଆସିଥିଲେ। ସେହିଦିନଠାରୁ ଉଭୟ ନିଖୋଜ ଥିଲେ। ଆଜି ସକାଳେ ଗ୍ରାମର କିଛି ଯୁବକ ମାଛ ଧରିବା ପାଇଁ ନାଳ ନିକଟକୁ ଯାଇଥିଲେ। ସେଠାରୁ ଦୁର୍ଗନ୍ଧ ବାହାରିବାରୁ ସେମାନେ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ।

ଗ୍ରାମବାସ ଓ ପୁଲିସ୍‌ ଦୁଇ ନାବାଳକଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଆଠମଲ୍ଲିକ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ବନ୍ୟପ୍ରାଣୀ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତା’ର ଆଘାତରେ ଦୁଇ ନାବାଳକଙ୍କ ମୃତ୍ୟୁ ହେବା ପରେ ନାଳ ନିକଟରେ ପୋତି ଦିଆଯାଇଛି ବୋଲି ପୁଲିସ ସନ୍ଦେହ କରୁଥିବା ବେଳେ ଏମାନଙ୍କୁ ହତ୍ୟା କରାଯାଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର