ରାଧାପାଦ ଦର୍ଶନ ପୂର୍ବରୁ ବିବାଦ : ୮ ଘଣ୍ଟା ଉପବାସ ରହିଲେ ଠାକୁର

ନୀତି ବନ୍ଦ କରି ଧାରଣାରେ ବସିଲେ ‌ସେବାୟତ, ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ

ପୁରୀ/ସାକ୍ଷୀଗୋପାଳ : ଆସନ୍ତାକାଲି ପବିତ୍ର ଅଁଳା ନବମୀ ଅବସରରେ ସାକ୍ଷୀଗୋପାଳ ମନ୍ଦିରରେ ଦୁର୍ଲଭ ରାଧାପାଦ ଦର୍ଶନ ଅନୁଷ୍ଠିତ ହେବ। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚୂଡାନ୍ତ ହୋଇଥିବାବେଳେ ଦିନକ ପୂର୍ବରୁ ଆଜି ସାକ୍ଷୀଗୋପାଳ ମନ୍ଦିରରେ ଏକ ଅଭାବନୀୟ ଘଟଣା  ଘଟିଛି। ରାଧାପାଦ ସ୍ପର୍ଶ କଟକଣାକୁ କଡ଼ାକଡ଼ି କରାଯାଇଥିବାରୁ ସେବକମାନେ ସିଧାସଳଖ କ୍ଷତିପୂରଣ ଦାବିରେ ଠାକୁରଙ୍କୁ ଉପବାସ ରଖିବାକୁ ମଧ୍ୟ ପଛାଇ ନାହାନ୍ତି। ନିଜ ଜିଦ୍ ଓ କ୍ଷତିପୂରଣ ପାଇଁ ପାଇଁ ବଲ୍ଲଭ ପରେ ଠାକୁରଙ୍କ ସମସ୍ତ ନୀତି ବନ୍ଦ କରିଛନ୍ତି। ସେବାୟତମାନେ ନୀତି ବନ୍ଦ କରି ଧାରଣାରେ ବସି ରହିବା ଫଳରେ ଶ୍ରୀଗୋପାଳଜିଉଙ୍କୁ ୮ ଘଣ୍ଟା ଉପବାସ ରହିବାକୁ ପଡିଛି।

ମିଳିଥିବା ସୂଚନା ଅନୁସାରେ, ମନ୍ଦିରରେ ପୂର୍ବାହ୍ନ ୧୧ଟାରୁ ୬ଟା ପର୍ଯ୍ୟନ୍ତ ସେବାୟତମାନେ ଧାରଣା ଦେଇଥିଲେ। ୫ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ, ଭିଆଇପି ପାସ୍ ବ୍ୟବସ୍ଥାକୁ ବନ୍ଦ କରିବା, ସେବାୟତ ପରିବାରଙ୍କୁ ସୁରକ୍ଷା, ମନ୍ଦିର ପରିସରସ୍ଥ ଭୋଗ ଦୋକାନକୁ ବନ୍ଦ ନ କରିବା ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାସ ମିଶ୍ରଙ୍କ ବହିଷ୍କାର କରିବା ଦାବିରେ ସେବାୟତମାନେ ଧାରଣା ଦେଇଥିଲେ। ଯେଉଁଥିପାଇଁ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିସହିତ, ସେବାୟତମାନେ ଦାବି ପୂରଣ ନ ହେବା ଯାଏ ନୀତି ବନ୍ଦ ରହିବ ବୋଲି ଚେତାବନୀ ଦେଇଥିଲେ। ତେବେ, ଅପରାହ୍ନରେ ଜିଲ୍ଲା‌ପାଳ ଜ୍ୟୋତିପ୍ରକାଶ ଦାଶ, ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ, ଦେବୋତ୍ତର ଉପାୟୁକ୍ତ ପାର୍ଥସାରଥୀ ପଟ୍ଟନାୟକ, ଆରକ୍ଷୀ ଅଧିକ୍ଷକ ଡା. ସାର୍ଥକ ଷଡଙ୍ଗୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଧୀରେନ ନନ୍ଦ ଓ ଉପଜିଲ୍ଲାପାଳ ଭବତାରଣ ସାହୁ ପ୍ରମୁଖ ପହଞ୍ଚି ଏକ ରୁଦ୍ଧଦ୍ବାର ବୈଠକ କରିଥିଲେ। ଏହି ଆଲୋଚନାରେ ଭିଅ‌ାଇପି ପାସ୍‌ ବଦଳରେ ୧୮୦୦ ଟୋକନ ବ୍ୟବସ୍ଥା କରାଯାଇଥିଲା। ଏହି ନିଷ୍ପତ୍ତି ପରେ ସେବାୟତମାନେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ। ଦେବନୀତି ବନ୍ଦ ରହିଥିଲେ ମଧ୍ୟ ମନ୍ଦିର ଖୋଲା ରହିଥିଲା।

ଅନ୍ୟପକ୍ଷରେ,  ଠାକୁରଙ୍କୁ ପ୍ରାୟ ୮ ଘଣ୍ଟା ଉପବାସରେ ରଖିବା ଘଟଣାକୁ ସାଧାରଣ ଭକ୍ତ ଓ ବୁଦ୍ଧିଜୀବୀ ଗ୍ରହଣ କରିପାରିନାହାନ୍ତି। ସେବାୟତଙ୍କ ସ୍ବାର୍ଥରେ ବାଧା ଉପୁଜିବାରୁ ସେମାନେ ଠାକୁରଙ୍କ ବାଜିରେ ଲଗାଇ ନିଜର ଦାବି ହାସଲ କରିବାକୁ ଆଗଭର ହୋଇଥିବା କହିଛନ୍ତି।    ପୂର୍ବରୁ ମନ୍ଦିରରେ ସିସିଟିଭି ଲଗାଇବାକୁ ମଧ୍ୟ ସେବାୟତ ବିରୋଧ କରିଥିଲେ। ଫଳରେ ପ୍ରଶାସନ ସିସିଟିଭି ଖୋଲିବାକୁ ବାଧ୍ୟ ହୋଇଥିଲେ। ସେ ଦିନ ମଧ୍ୟ କିଛି ସମୟ ପାଇଁ ନୀତି ବନ୍ଦ ରଖିଥିଲେ ବୋଲି ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର