ରାଜନୀତିର ଚକ୍ରବ୍ୟୂହରେ ରେମୁଣା ବିଧାୟକ : ନିଜ ଦଳରୁ ବିରୋଧ ଓ ଷଡ଼ଯନ୍ତ୍ରର ଶିକାର!

ବାଲେଶ୍ୱର : ବ୍ୟବସାୟରେ ସଫଳ ହେବା ପରେ ନିଜ ଅଞ୍ଚଳର ବିକାଶ ତଥା ଲୋକଙ୍କ ପାଇଁ କିଛି କରିବାର ସଂକଳ୍ପ ନେଇ ରାଜନୀତିକୁ ଆସିଲେ। ଆଉ ଶାସକ ଦଳରୁ ଟିକଟ୍‌ ପାଇ ପ୍ରଥମ ସୁଯୋଗରେ ଜିତିବାର ବି ସୌଭାଗ୍ୟ ପାଇଲେ। ହେଲେ ବିଧାୟକ ହେବାର ୯ ମାସ ନ ପୂରୁଣୁ ରାଜନୀତିର ଚକ୍ରବ୍ୟୂହ୍ୟରେ ଛନ୍ଦି ହୋଇ ଯାଇଛନ୍ତି ବାଲେଶ୍ବର ଜିଲ୍ଲାର ନବନିର୍ବାଚିତ ‌ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା। ଖାସ୍‌ କରି ନିଜ ଦଳରୁ ହିଁ ବିରୋଧ ଓ ଷଡ଼ଯନ୍ତ୍ରର ଶିକାର ହୋଇ ଏହି ଯୁବ ବିଧାୟକ ଜଣକ ଏକପ୍ରକାର କୋଣଠେସା। ରା‌ଜନୈତିକ ମହଲରେ ଏବେ ପ୍ରଶ୍ନ, ବିଜେଡିକୁ ଏକ କ୍ୟାଡରଭିତ୍ତିକ ଦଳ ଭାବେ ଗଢି ତୋଳିବାକୁ ପ୍ରୟାସ ଚାଲିଥିବା ବେଳେ ସୁଧାଂଶୁଙ୍କ କ୍ଷେତ୍ରରେ ଏମିତି ସ୍ଥିତି କାହିଁକି ଉପୁଜିଲା?

୨୦୧୪ ମସିହାରେ ରେମୁଣା ଆସନ ବିଜେପି ଦଖଲରେ ଥିବାବେଳେ ଉପଯୁକ୍ତ ପ୍ରାର୍ଥିତ୍ବ ଓ ଦୁର୍ବଳ ସଂଗଠନ ଯୋଗୁଁ ବିଜେଡି ୨୦୧୯ରେ ନୂଆମୁହଁ ଭାବେ ସୁଧାଂଶୁ ଶେଖର ପରିଡ଼ାଙ୍କୁ ଟିକଟ୍‌ ଦେଲା। କମ ବ୍ୟବଧାନରେ ହେଉ ପଛେ, ପ୍ରଥମ ପ୍ରଚେଷ୍ଟାରେ ସୁଧାଂଶୁ ବିଜୟ ହାସଲ କରି ରାଜନୈତିକ ମଇଦାନକୁ ପ୍ରବେଶ କଲେ। ତେବେ ଘରେ ପଶୁ ପଶୁ ଚାଳ ବାଜିବା ଭଳି ସୁଧାଂଶୁଙ୍କ ପ୍ରାର୍ଥିତ୍ବ ଉପରେ ଆରୋପ ଉଠାଇ ବିପକ୍ଷ ବିଜେପି ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ନିର୍ବାଚନ କମିଶନ ଓ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଯାହା ଏବେ ବିଚାରାଧୀନ ରହିଛି। ଅନ୍ୟପକ୍ଷରେ ନିର୍ବାଚିତ ହେବା ଦିନଠୁ ସୁଧାଂଶୁ ନିଜ ଦଳରୁ ଗୋଡଟଣା ରାଜନୀତିର ଶିକାର ହୋଇଛନ୍ତି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଖୋଦ୍‌ ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ଏ ବାବଦରେ ଅବଗତ ଥିଲେ ବି ଦଳୀୟ କର୍ମୀଙ୍କୁ ଆକଟ କରୁନାହାନ୍ତି। ଫଳସ୍ବରୂପ ଜିଲ୍ଲା ବିଜେଡିରେ ଗୋଷ୍ଠୀ ବିବାଦ ସାଙ୍ଗକୁ ଅନ୍ତଃକନ୍ଦଳର ନିଆଁ କୁହୁଳୁଥିବା ଚର୍ଚ୍ଚା ଜୋର୍ ଧରିଛି।

ତେବେ ପ୍ରତିଦ୍ବନ୍ଦ୍ବିତା ତଥା‌ ବିରୋଧୀ ଦଳ ଦୃଷ୍ଟିରୁ ବିଜେପି ସିନା ସୁଧାଂଶୁଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣୁଛି, କିନ୍ତୁ ନିଜ ଦଳର ଯେଉଁମାନେ ତାଙ୍କୁ ରାଜନୀତିକୁ ଆଣିଥିଲେ ଏବଂ ନିର୍ବାଚନ ଲଢ଼ିବାବେଳେ ସାଙ୍ଗରେ ଥିଲେ, ସେମାନେ ଏବେ ସୁଧାଂଶୁଙ୍କ ଉପରେ ପ୍ରବଳ ଈର୍ଷାନ୍ବିତ। ତାଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ଆଣି ଅଡ଼ୁଆକୁ ଟାଣିବାରେ ନିଜ ଦଳର କିଛି ଲୋକ ଛୁପା ରୁସ୍ତମ୍‌ର ଭୂମିକା ନିଭାଉଛନ୍ତି? ତାର ଉତ୍ତର ମଧ୍ୟ ଊଣାଅଧିକେ ବିଭିନ୍ନ ମହଲରେ ଆଲୋଚନା ଆରମ୍ଭ ହୋଇଗଲାଣି। ମିଳିଥିବା ସୂଚନା ଅନୁସାରେ, ସୁଧାଂଶୁଙ୍କୁ ବିବାଦୀୟ ଏବଂ ହଇରାଣ କରିବା ପାଇଁ ଯେଉଁ ଗୋଷ୍ଠୀ ଲାଗିଛନ୍ତି ସେଥିରେ ପୂର୍ବତନ ସାଂସଦ ତଥା ବିଜେଡି ଜିଲ୍ଲା ସଭାପତି ରବୀନ୍ଦ୍ର ଜେନାଙ୍କ ନିରବ ସମର୍ଥନ ରହୁଛି। ଆଉ ତା ପଛର କାରଣ ଗତ ନିର୍ବାଚନରେ ରବୀନ୍ଦ୍ରଙ୍କ ପରାଜୟ ଓ ରେମୁଣାରେ ସୁଧାଂଶୁଙ୍କ ବିଜୟ ବୋଲି କୁହାଯାଉଛି। ସୁଧାଂଶୁଙ୍କ ସମର୍ଥକଙ୍କ କହିବା ଅନୁଯାୟୀ, ୧୯ ନିର୍ବାଚନରେ ରବୀନ୍ଦ୍ର ଜିତିବା ପାଇଁ ଯେଉଁ ରଣନୀତି ପ୍ରସ୍ତୁତ କରିଥିଲେ ସେଥିରେ ରେମୁଣା ନିର୍ବାଚନ ମଣ୍ଡଳୀ ଥିଲା ଅନ୍ୟତମ। ଏଠାରୁ ଅଧିକ ଭୋଟ୍‌ ପାଇବା ତାଙ୍କର ଲକ୍ଷ୍ୟ ରହିଥିଲା। ସେଥିପାଇଁ ସୁଧାଂଶୁଙ୍କୁ ଟିକଟ୍‌ ଦିଅଗଲା। ସୁଧାଂଶୁଙ୍କ ସହ ରବୀନ୍ଦ୍ର ଏଠାରୁ ଯେମିତି ଅଧିକ ସଂଖ୍ୟାରେ ଭୋଟ୍‌ ପାଇବେ ସେ ନେଇ ପ୍ରସ୍ତୁତ ହୋଇଥିଲା ସ୍ବତନ୍ତ୍ର ରଣନୀତି। ହେଲେ ଫଳଫଳ ଅପ୍ରତ୍ୟାଶିତ ଭାବେ ଓଲଟିଗଲା। ସୁଧାଂଶୁଙ୍କ ଭୋଟ୍‌ ପରିମାଣ ୭୯ ହଜାରରୁ ଅଧିକ ହୋଇଥିବାବେଳେ ରବୀନ୍ଦ୍ର ୭୧ ହଜାର ଭୋଟ୍‌ ପାଇଲେ। ଲୋକସଭା ଭୋଟରେ ରବୀନ୍ଦ୍ର ପରାଜିତ ହେବାରୁ ତାହାର ପ୍ରମୁଖ କାରଣ ଭାବେ ସେ ସୁଧାଂଶୁଙ୍କୁ ଧରିନେଲେ। ଏପରିକି ସୁଧାଂଶୁ ନିଜେ ଜିତିବା ପାଇଁ ବିଜେପି ସହ ସାଲିସ କରି ବିଜେଡି ସମର୍ଥିତ ଲୋକସଭା ଭୋଟଗୁଡିକୁ ସେ ଆଡ଼କୁ ଢଳାଇ ଦେଲେ ବୋଲି ରବୀନ୍ଦ୍ରଙ୍କ ଶିବିରରେ ଏବେ ବି ଆଲୋଚନା ହେଉଛି।

ଏହି କାରଣ ପାଇଁ ନିର୍ବାଚନ ପରଠୁ ସୁଧାଂଶୁଙ୍କୁ ଭିନ୍ନ ଦୃଷ୍ଟିରେ ଦେଖାଯାଉଛି। ଶାସକଦଳରୁ ବିଧାୟକ ହୋଇଥିଲେ ବି ସରକାରୀ ଅଧିକାରୀ ତାଙ୍କ କଥାକୁ ଗୁରୁତ୍ବ ଦେଉନାହାନ୍ତି। ନିଜ ନିର୍ବାଚନମଣ୍ଡଳୀରେ ବିଭିନ୍ନ ସରକାରୀ ପ୍ରକଳ୍ପ କାମ ବାବଦରେ ତାଙ୍କୁ ଜାଣିଶୁଣି ଅନ୍ଧାରରେ ରଖାଯାଉଛି। ସବୁ ଦିଗରୁ ତାଙ୍କୁ ହଇରାଣ କରିବା ଲାଗି ଏକ ପ୍ରକାର ଯୋଜନାବଦ୍ଧ ଷଡ଼ଯନ୍ତ୍ର ରଚାଯାଇଥିବା ବେଳେ ଏହାର ପ୍ରମାଣ ବି ଦେଇଛନ୍ତି ବିଧାୟକଙ୍କ ସମର୍ଥକ। ସୁଧାଂଶୁ ବିଧାୟକ ହେବା ପରଠାରୁ ତାଙ୍କ ବିରୋଧରେ ଲଗାତର ଭାବେ ସୋସିଆଲ୍‌ ମିଡିଆ, ଗଣମାଧ୍ୟମରେ ରବୀନ୍ଦ୍ରଙ୍କ ସମର୍ଥକମାନେ ବିଭିନ୍ନ ଅଭିଯୋଗ ଆଣୁଛନ୍ତି। ସେହିପରି ବିଭିନ୍ନ ସମୟରେ ରେମୁଣାରେ କୌଣସି ପର୍ବପର୍ବାଣି ଅବସରରେ ଦଳର ବ୍ଲକ୍‌ସ୍ତରୀୟ ନେତା ଯେଉଁମାନେ ରବୀନ୍ଦ୍ରଙ୍କ ସମର୍ଥକ ଭାବେ ଜଣାଶୁଣା, ସେମାନେ ଯେଉଁ ଶୁଭେଚ୍ଛା ବ୍ୟାନର୍‌ ଲଗାଉଛନ୍ତି ସେଥିରେ ସୁଧାଂଶୁଙ୍କ ଫଟୋ ବଦଳରେ ପୂର୍ବତନ ବିଧାୟକ ସୁଦର୍ଶନ ଜେନାଙ୍କ ଫଟୋ ଲଗାଉଛନ୍ତି। ଏମିତିକି ଦଳର ଅଧିକାଂଶ ସଭାରେ ଯୋଗଦେବା ପାଇଁ ସୁଧାଂଶୁଙ୍କୁ ସୂଚନା ଦିଆଯାଉନଥିବା ବେଳେ ସେପଟେ ସୁଧାଂଶୁଙ୍କ ଦ୍ୱାରା ଡକାଯାଉଥିବା ସଭାଗୁଡ଼ିକୁ ନିମନ୍ତ୍ରଣ ହେଉଥିଲେ ବି ରବୀନ୍ଦ୍ର ଯୋଗ ଦେବାକୁ ଯାଉନାହାନ୍ତି। ନିକଟରେ ଦଳର ପ୍ରତିଷ୍ଠା ଦିବସ ଅବସରରେ ରେମୁଣା ମନ୍ଦିର ଛକ ନିକଟରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ସେହି ସଭାରେ ଉଭୟ ରବୀନ୍ଦ୍ର ଓ ସୁଧାଂଶୁ ଉପସ୍ଥିତ ଥିଲେ। ସଭା ଚାଲିଥିବାବେଳେ ବ୍ଲକ୍‌ ସଭାପତି ଗୋପୀନାଥ ସେନାପତି ନିଜ ଭାଷଣରେ ବିଧାୟକ ଓ ଜିଲ୍ଲା ସଭାପତିଙ୍କ ଭିତରେ ପଡୁ ନଥିବାରୁ ରେମୁଣାରେ ଦଳ ଦୁର୍ବଳ ହୋଇ ଯାଉଥିବା ଅଭିଯୋଗ କରିଥିଲେ। ହେଲେ ତାର ପ୍ରତିଜବାବରେ କିଛି ମନ୍ତବ୍ୟ ରଖିନଥିଲେ ରବୀନ୍ଦ୍ର। ଏମିତି ଅନେକ ‌କଥାକୁ ନେଇ ରବୀନ୍ଦ୍ର ଓ ସୁଧାଂଶୁଙ୍କ ମଧ୍ୟରେ ଏବେ ଭିତରେ ଭିତରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇଛି। ତେବେ ଦଳୀୟ କଥାକୁ ବାହାରେ ଆଲୋଚନା ନ କରିବା ପାଇଁ ସୁଧାଂଶୁ ଏସବୁ ବାବଦରେ କିଛି ସ୍ପଷ୍ଟ ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି। କିନ୍ତୁ ତାଙ୍କ ନିରାଶାଭାବ ଓ ଇସାରାରେ ଦଳର ଗୁମର କଥା ସ୍ପଷ୍ଟ ବାରି ହୋଇପଡ଼ିଛି।

ସମ୍ବନ୍ଧିତ ଖବର