ତେଲ ତାତିରେ ବିଧାନସଭା ଗରମ

ଭୁବନେଶ୍ୱର : ଡିଜେଲ ଓ ପେଟ୍ରୋଲ ଦର ବୃଦ୍ଧି ପ୍ରସଙ୍ଗକୁ ନେଇ ଆଜି ବିଧାନସଭାରେ ବିରୋଧୀ ହଙ୍ଗାମା କରିଛନ୍ତି। ଏହି ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କଂଗ୍ରେସ ବିଧାୟକମାନେ ପ୍ରଶ୍ନକାଳକୁ ଅଚଳ କରିଦେଇଥିଲେ। ପରେ ଶୂନ୍ୟକାଳରେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ସରକାରୀ ଦଳ ମୁଖ୍ୟ ସଚେତକ ଆଦି ତମ୍ବିତୋଫାନ କରିବା ପରେ ପୁଣି ଥରେ ହଟ୍ଟଗୋଳ ଆରମ୍ଭ କରିଥିଲେ କଂଗ୍ରେସ ବିଧାୟକ।

ଅନ୍ୟପକ୍ଷରେ ପ୍ରଶ୍ନକାଳରେ ଭିନ୍ନ ଏକ ପ୍ରସଙ୍ଗ ଉଠାଇଥିଲା ବିଜେପି। ଦଶପଲ୍ଲାରେ ହାଜତମୃତ୍ୟୁ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଟେଟ କରିଥିଲା ଦଳ। ବିଜେପି ବିଧାୟକମାନେ ନିଜ ନିଜ ଆସନରେ ଛିଡା ହୋଇ ପ୍ରତିବାଦ ଜଣାଇଥିଲେ।

ଆଜି ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ବିରୋଧୀ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ତେଲ ଦର ବୃଦ୍ଧି ପ୍ରସଙ୍ଗରେ ନାରାବାଜି କରିଥିଲେ। ବିଜେପି ବିଧାୟକମାନେ ନିଜ ଆସନରେ ଛିଡା ହୋଇ ଦଶପଲ୍ଲା ହାଜତ ମୃତ୍ୟୁ କଥା ଉଠାଇଥିଲେ। ବାଚସ୍ପତି ପ୍ରଥମେ ହଟ୍ଟଗୋଳକୁ ଏଡାଇ ଯାଇ ମନ୍ତ୍ରୀଙ୍କୁ ଉତ୍ତର ପଢିବାକୁ ଡାକିଥିଲେ ହେଁ, ଏକ ମିନିଟ୍‌ରୁ ବେଶୀ ସମୟ ଗୃହ ଚାଲିପାରିନଥିଲା। ବାଚସ୍ପତି ୧୧ଟା ୩୦ ଯାଏ ଗୃହକୁ ମୁଲତବୀ କରିଥିଲେ।

ପରେ ଶୂନ୍ୟକାଳ ଆରମ୍ଭ ହେବା ମାତ୍ରେ ବୈଧାନିକ ପ୍ରଶ୍ନ ଉତ୍‌ଥାପନ ଛଳରେ ବିରୋଧୀ ଦଳ ନେତା ତୈଳ ଦର ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ କଠୋର ସମାଲୋଚନା କରିଥିଲେ। ଗୃହରେ ଅର୍ଥମନ୍ତ୍ରୀ ତୁରନ୍ତ ଏ ନେଇ ବକ୍ତବ୍ୟ ରଖନ୍ତୁ ବୋଲି ଦାବି କରିଥିଲେ। ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି ଶ୍ରୀ ମିଶ୍ର କହିଥିଲେ, ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ସର୍ବକାଳୀନ ରେକର୍ଡ ଛୁଇଁଛି। ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପ୍ରତି ୭୩ ଟଙ୍କା ୦୫ ପଇସା ରହିଛି। ଡିଜେଲ ଲିଟର ପ୍ରତି ଦର ୭୦ ଟଙ୍କା ୨୪ ପଇସା ରହିଛି। କେନ୍ଦ୍ରରେ ଯେଉଁ ସମୟରେ ଉପା ସରକାର ଥିଲା, ସେ ସମୟରେ ପ୍ରତି ଲିଟର ପିଛା ଉତ୍ପାଦ ଶୁଳ୍‌କ ୩ ଟଙ୍କା ୫୬ ପଇସା ଥିଲା। ଏନ୍‌ଡିଏ ସରକାର ସମୟରେ ଏହା ୧୭ ଟଙ୍କା ୩୬ ପଇସାରେ ପହଞ୍ଚିଲାଣି।

ସେହିପରି ୨୦୧୩-୧୪ ମସିହାରେ ଦେଶର ମୋଟ ଉତ୍ପାଦ ଶୁଳ୍‌କର ପରିମାଣ ୭୭ ହଜାର ୯୮୨ କୋଟି ଟଙ୍କା ଥିଲା। ୨୦୧୬-୧୭ରେ ଏହା ୨ କୋଟି ୪୨ଲକ୍ଷ ୬୯୧ କୋଟି ଟଙ୍କାରେ ପହଞ୍ଚିଛି। ଏହା ହିଁ ସୂଚାଉଛି ଯେ କେନ୍ଦ୍ରରେ ଶାସନ କରୁଥିବା ଏନ୍‌ଡିଏ ସରକାର ଲୋକଙ୍କୁ ଟିକସରେ ଭାରାକ୍ରାନ୍ତ କରୁଛି। କେନ୍ଦ୍ରରେ ଉପା ସରକାର ଥିବା ସମୟରେ ବହୁତ ଚିତ୍କାର ହେଉଥିଲା। ମନମୋହନ ସିଂହ ସରକାର ଲୋକବିରୋଧୀ, ଟିକସ ଲଦି ଚାଲିଛନ୍ତି ଏମିତି କିଏ କେତେ କଣ କହୁଥିଲେ। ମାତ୍ର ପ୍ରଧାନମନ୍ତ୍ରୀ ମହୋଦୟ, ଏବେ କଣ ଚାଲିଛି? ବୋଲି ବିରୋଧୀ ଦଳ ନେତା ପଚାରିଥିଲେ।

ଶ୍ରୀ ମିଶ୍ର କହିଥିଲେ, ରାଜ୍ୟରେ ଏବେ ଅଣକୁଶଳୀ ଶ୍ରମିକ ସାଇକଲ୍‌ ଉପରେ ନିର୍ଭର କରିଥାଇପାରନ୍ତି। ମାତ୍ର ପ୍ରାୟ ସବୁ କୁଶଳୀ ଶ୍ରମିକ ମୋଟର ସାଇକେଲ୍‌ ଚଢୁଛନ୍ତି। ସେମାନଙ୍କ ଉପରେ ଏହାର ପ୍ରଭାବ ପଡିବନି? କେନ୍ଦ୍ରରେ ବର୍ତମାନ ଶାସନରେ ଥିବା ସରକାର କୁମ୍ଭୀର କାନ୍ଦଣା କରୁଛି। ସାଧାରଣ ଲୋକଙ୍କୁ ମନଭରି ଲୁଟୁଛନ୍ତି। ଏ ମଧ୍ୟରେ ଡିଜେଲ କ୍ଷେତ୍ରରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍‌କ ୩୮୦% ବୃଦ୍ଧି ଘଟିଛି। ପେଟ୍ରୋଲ କ୍ଷେତ୍ରରେ ଏହାର ହାର ୧୨୦%। ଡିଜେଲର ପ୍ରଭାବ ପରିବହନ ଠାରୁ ଆରମ୍ଭ କରି କୃଷି ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ପଡୁଛି। ସେହିପରି ରାଜ୍ୟ ସରକାର ୨୬% ଟିକସ ନେଉଛନ୍ତି। ଜିଏସ୍‌ଟି ହେଲେ ସର୍ବାଧିକ ୧୮% ଟିକସ ଲାଗିବ। ଏଣୁ ଏ ନେଇ କେନ୍ଦ୍ର ସରକାର ପଦକ୍ଷେପ ନେବା ଦରକାର।

ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ କହିଥିଲେ, ଡିଜେଲ ଓ ପେଟ୍ରୋଲ ଦର ବୃଦ୍ଧି ସାରା ଦେଶରେ ସମସ୍ୟା ସୃଷ୍ଟି କଲାଣି। ଏକଦା ଦରବୃଦ୍ଧି ଚିନ୍ତାଜନକ ହେଲା ବୋଲି ଉପା ସରକାର ବିରୋଧରେ ଲୋକେ ତାତିଲେ ଓ ସେମାନେ କ୍ଷମତାରୁ ଗଲେ। ଏନ୍‌ଡିଏ ସରକାର ପ୍ରତିଶ୍ରୁତି ଦେଇଥିଲେ ଯେ ଅଚ୍ଛେଦିନ୍‌ ଆସିବ। ମାତ୍ର ଏମିତି ଅଚ୍ଛେଦିନ୍‌ ଆସୁଛି ଯେ ଲୋକେ ନାହିଁନଥିବା ଦୁର୍ଦଶା ଭିତରେ ଆଉଟୁପାଉଟୁ ହେଉଛନ୍ତି। ସାଧାରଣତଃ ସୌଖୀନ ସାମଗ୍ରୀର ଦରବୃଦ୍ଧି ଘଟିଥାଏ। କାରଣ ଏହାଦ୍ୱାରା କେବଳ ଧନୀକ ଶ୍ରେଣୀ ପ୍ରଭାବିତ ହୋଇଥାନ୍ତି। ମାତ୍ର ପେଟ୍ରୋଲ ଓ ଡିଜେଲ ଏହି ଶ୍ରେଣୀର ନୁହେଁ। ଏ କ୍ଷେତ୍ରରେ ସରକାରଙ୍କର କର୍ତ୍ତବ୍ୟଟି କଣ? ଅଶୋଧିତ ତୈଳ ଦର କମ୍‌ ଥିଲା ବେଳେ ବି ଅଧିକ ମୂଲ୍ୟ ନେଉଛନ୍ତି କାହିଁକି? ବିଜେପି ଦାବି କରୁଛି ଯେ ୨୨ଟି ରାଜ୍ୟରେ ସେମାନେ କ୍ଷମତାରେ ଅଛନ୍ତି। ଯଦି ଏହା ସତ୍ୟ, ତେବେ ଜିଏସ୍‌ଟି ପରିଷଦ ବୈଠକରେ ଏ ପ୍ରସଙ୍ଗ ଉଠାଇବାକୁ କିଏ ମନା କରିଛି? ଶ୍ରୀ ଶତପଥୀ କହିଥିଲେ, ଓଡ଼ିଶା ରାଜ୍ୟ ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର, ତେଲେଙ୍ଗାନା, ଛତିଶଗଡ଼, ରାଜସ୍ଥାନ ଠାରୁ ବି କମ୍‌ ଟିକସ ନେଉଛନ୍ତି। ସେମାନେ ଅଧିକ ଟିକସ ତ ନେଉଛନ୍ତି, ତା ଉପରେ ଆହୁରି ଲିଟର ପିଛା ୧ଟଙ୍କା ରୁ ୯ଟଙ୍କା ଯାଏ ସ୍ଥାନୀୟ ଆଦାୟ କରୁଛନ୍ତି। ପେଟ୍ରୋଲ ଓ ଡିଜେଲ ଦର ସାଧାରଣ ଲୋକଙ୍କୁ ଢେର୍‌ ବାଧୁଛି।

ଅନ୍ୟପକ୍ଷରେ ବିଜେପି ସଭ୍ୟ ରବି ନାଏକ କହିଥିଲେ, ରାଜ୍ୟ ସରକାର ୨୬% ଟିକସ ନେଉଛନ୍ତି। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନେଇ ରାଜ୍ୟ ସରକାରଙ୍କର ବି କିଛି ଦାୟିତ୍ୱ ରହିଛି। ସେମାନେ ଟିକସ ଛାଡି ଦିଅନ୍ତୁ। ତାହା ହେଳେ ୩୨ରୁ ୩୪ ଟଙ୍କା କମିଯିବ। କେବଳ ସେତିକି ନୁହେଁ, ଏ ସଂପର୍କରେ ପୂର୍ବରୁ ବି ବିଧାନସଭାରେ ଆଲୋଚନା ହୋଇଛି। ରାଜ୍ୟ ଅର୍ଥମନ୍ତ୍ରୀ ଜିଏସ୍‌ଟି କାଉନସିଲ୍‌ର ସଭ୍ୟ ଅଛନ୍ତି। ପେଟ୍ରୋଲ ଓ ଡିଜେଲକୁ ଜିଏସ୍‌ଟି ପରିସରଭୁକ୍ତ କରିବା ଲାଗି ଓଡ଼ିଶା କାହିଁକି ପ୍ରସ୍ତାବ ଦେଇନାହିଁ ବୋଲି ସେ ପାଲଟା ପ୍ରଶ୍ନ କରିଥିଲେ।

ସେହିପରି ଦଶପଲ୍ଲା ହାଜତ ମୃତ୍ୟୁ ପ୍ରସଙ୍ଗ ବର୍ଣ୍ଣନା କରି ଶ୍ରୀ ନାଏକ କହିଥିଲେ, ପୁଲିସ ଯଦି ଲୋକଙ୍କୁ ଥାନା ଭିତରେ ପେଟ୍ରୋଲ ପକାଇ ଜାଳି ଦେବ, ତେବେ ସୁରକ୍ଷା କିଏ ଦେବ? ବର୍ତମାନ କାଳିଆ ପରିବାର କେମିତି ନ୍ୟାୟ ପାଇବେ? ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ମନ୍ତ୍ରୀ। ଏଣୁ ସେ ତୁରନ୍ତ ଗୃହରେ ଏ ନେଇ ବକ୍ତବ୍ୟ ରଖନ୍ତୁ ବୋଲି ବିଜେପି ବିଧାୟକ ଦାବି କରିଥିଲେ।

କଂଗ୍ରେସ ପକ୍ଷରୁ ତାରା ପ୍ରସାଦ ବାହିନୀପତି ମଧ୍ୟ ଏହି ପ୍ରସଙ୍ଗ ନେଇ ଗୃହରେ ଉଦ୍‌ବେଗ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କିଭଳି ଟିକସ ଲଦି ଲୋକଙ୍କୁ ଭାରାକ୍ରାନ୍ତ କରୁଛନ୍ତି, ସେ ଚିତ୍ର ରଖିଥିଲେ। ପରେ ବାଚସ୍ପତି ବିଜେଡି ବିଧାୟକ ମହେଶ ସାହୁଙ୍କୁ କହିବାକୁ ଡାକିଥିଲେ ହେଁ, କଂଗ୍ରେସ ସଭ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ଫଳରେ ବାଚସ୍ପତି ଗୃହକୁ ୧୨ଟା ୧୩ରୁ ୧୨ଟା ୫୦ ଓ ପରେ ୧୨ଟା ୫୦ରୁ ଅପରାହ୍ନ ୩ଟା ଯାଏ ମୁଲତବୀ କରିଥିଲେ।

ସମ୍ବନ୍ଧିତ ଖବର