ଆଜି ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ରାଜନାଥ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଭବାନୀପାଟଣା, ରାୟଗଡାରେ ଜନସଭାରେ ସାମିଲ ହେବେ ରାଜନାଥ

ଭୁବନେଶ୍ବର: ଓଡ଼ିଶାରେ ବିଜେପିର ପ୍ରଚାର ଓ ପ୍ରସାରକୁ ଶାଣିତ କରିବା ପାଇଁ ବିଜେପିର କେନ୍ଦ୍ରୀୟ ନେତୃ ଘନ ଘନ ଓଡ଼ିଶା ଗସ୍ତ କରୁଛନ୍ତି। କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ, ନୀତୀନ ଗଡ଼କରୀଙ୍କ ସମେତ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ଓଡ଼ିଶା ଗସ୍ତରେ ଆସୁଛନ୍ତି। କଳାହାଣ୍ଡି, ମାଲକାନଗିରି, କୋରାପୁଟ ସମେତ ପୁରୀରେ ଏସବୁ ନେତୃବୃନ୍ଦ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ। ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି, ଚଳିତମାସ ୫ ତାରିଖରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଓଡ଼ିଶା ସଂକଳ୍ପ ପତ୍ରକୁ ଲୋକାର୍ପଣ କରିଥିଲେ। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରହ୍ମପୁର ଓ ନବରଙ୍ଗପୁରଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଆସନ୍ତା କାଲି ଓ ୯ ତାରିଖରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଓ ନୀତୀନ ଗଡ଼କରୀ, ଆସାମ ମୁଖ୍ୟମନ୍ତ୍ରୀ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଓଡ଼ିଶା ଆସୁଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ ଆସନ୍ତାକାଲି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ଲାଲବାହାଦୁର ଷ୍ଟାଡିୟମଠାରେ ମଧ୍ୟାହ୍ନ ୧୨.୩୦ରେ ଓ ରାୟଗଡ଼ାରେ ଅପରାହ୍ନ ୨.୩୦ରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧିତ କରିବେ। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଶ୍ରୀ ସାଏ ନବରଙ୍ଗପୁର ଲୋକସଭା ଅଧୀନ କୋଟପାଡ଼ ଓ ଅପରାହ୍ନ ୨ଟାରେ ଉମରକୋଟଠାରେ ଅନୁଷ୍ଠିତ ଜନସଭାରେ ଯୋଗ ଦେବେ। ଏହାସହ ୯ ତାରିଖ ସକାଳ ୧୦ରେ କୋରାପୁଟର ଲକ୍ଷ୍ମୀପୁର, ପୂର୍ବାହ୍ନ ୧୧.୩୦ରେ ପଟ୍ଟାଙ୍ଗୀ ଓ ଅପରାହ୍ନ ୧ଟାରେ କୋରାପୁଟଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ। ଅନ୍ୟତମ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ ୯ ତାରିଖରେ ଦିଲ୍ଲୀରୁ ଭୁବନେଶ୍ୱର ପହଞ୍ଚିବା ପରେ ସିଧାସଳଖ ପୁରୀ ଗସ୍ତ କରିବେ। ମଧ୍ୟାହ୍ନ ୧୨.୩୦ରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ଅପରାହ୍ନ ୩ଟାରେ କୃଷ୍ଣପ୍ରସାଦ ଓ ୪.୧୫ରେ ପିପିଲିଠାରେ ଅନୁଷ୍ଠିତ ବିଶାଳ ଜନସଭାକୁ ସମ୍ବୋଧିତ କରିବେ। ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ବିଶ୍ୱଶର୍ମା ୯ ତାରିଖ ପୂର୍ବାହ୍ନ ୧୦.୩୦ରେ ମାଲକାନଗିରି ଜିଲ୍ଲା କାଳିମେଳା, ମଧ୍ୟାହ୍ନ ୧୨.୧୦ରେ ଚିତ୍ରକୋଣ୍ଡା ଓ ଅପରାହ୍ନ ୩ଟାରେ ଆସ୍କା ଲୋକସଭା ଅଧୀନ ଖଲିକୋଟଠାରେ ଅନୁଷ୍ଠିତ ଜନସଭାରେ ଯୋଗ ଦେବେ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର