ଓଡ଼ିଶା ବିଜେପିର ଅସଲ ମୁଖା ଖୋଲିଲା: ବିଜେଡି

ମିଛ ଇସ୍ତାହାରରେ ବିଜେପିର ଓଡ଼ିଶା-ବ‌ିରୋଧୀ ମନୋଭାବ

ଭୁବନେଶ୍ୱର: ନିର୍ବାଚନ ସମୟରେ ଓଡ଼ିଶା ବିଜେପି ପକ୍ଷରୁ ଜାରି କରାଯାଇଥିବା ନିର୍ବାଚନୀ ଇସ୍ତାହାରକୁ ସମାଲୋଚନା କରିଛି ବିଜେଡି। ଏହାକୁ କଟାକ୍ଷ କରି ବିଜେଡି ପକ୍ଷରୁ ଆଜି ଏକ ପୁସ୍ତିକା ଉନ୍ମୋଚନ କରାଯାଇଛି, ଯାହାର ଶୀର୍ଷକ ରହିଛି ‘ମିଛ ମେନିଫେଷ୍ଟୋ… ଧର୍ମେନ୍ଦ୍ର ପ୍ରଧାନଙ୍କ ଗ୍ୟାରେଣ୍ଟି। ନା କାମ କରିବି, ନା କାମ କରେଇଦେବି।’ ଶଙ୍ଖ ଭବନରେ ଆଜି ଏହି ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି ବଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଓ ମୁଖପାତ୍ର ସ୍ୱୟଂପ୍ରକାଶ ମହାପାତ୍ର। ସାମ୍ବାଦିକ ସମ୍ମିଳନୀରେ ଉଭୟ କହିଥିଲେ ଯେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, ଚାଷୀଙ୍କ ଆୟ ଦ୍ୱିଗୁଣ, ଏମ୍‌ଏସ୍‌ପି ବୃଦ୍ଧି, ଚାଷୀଙ୍କୁ ଫସଲ ବୀମା, ଯୁବବର୍ଗଙ୍କୁ ଚାକିରି, ଗରିବଙ୍କୁ ଆବାସ, ଜାତୀୟ ରାଜପଥ କାର୍ଯ୍ୟ, ରେଳବାଇ ସଂଯୋଗୀକରଣ, ମୋବାଇଲ ଓ ଡିଜିଟାଲ ନେଟୱାର୍କ ସଂଯୋଗୀକରଣ, ବ୍ୟାଙ୍କ ସଂଯୋଗୀକରଣ, କେନ୍ଦୁପତ୍ର ଉପରୁ ଜିଏସ୍‌ଟି ଛାଡ଼, ରାଜନୀତିରେ ଅପରାଧୀକରଣ, କେନ୍ଦ୍ରୀୟ ଅନୁଦାନ, ହୋ-ମୁଣ୍ଡାରି-ଭୂମିଜ-ସଉରା-କୁଇ-କୋଶଲି ଭାଷାକୁ ସାମ୍ବିଧାନିକ ମାନ୍ୟତା, ୧୬୨ ସମ୍ପ୍ରଦାୟକୁ ଜନଜାତି ତାଲିକାରେ ମାନ୍ୟତା, ତାଳଚେର ସାର କାରଖାନା, ମନ୍ଦିର ରୂପାନ୍ତରଣ ନେଇ ଓଡ଼ିଶା ବିଜେପି ନେତା ପ୍ରତିଥର ନିର୍ବାଚନ ଆସିଲେ ପ୍ରତଶ୍ରୁତି ଦିଅନ୍ତି। ଆଉ ପରେ ଏହାକୁ କାର୍ଯ୍ୟକାରୀ କରିବା ବଦଳରେ ଲୋକଙ୍କୁ ଭୂଆଁ ବୁଲାଇବା ସହ ବିକାଶ କାମ କରୁଥିବା ରାଜ୍ୟ ସରକାରଙ୍କ ରାସ୍ତାରେ ବାଧା ଆଣନ୍ତି। ବିଜେଡି ପକ୍ଷରୁ ପ୍ରକାଶିତ ପୁସ୍ତିକାରେ ଏହା ଉଲ୍ଳେଖ ରହିଛି।

ମିଛ ଇସ୍ତାହାରରେ ବିଜେପିର ଓଡ଼ିଶା-ବ‌ିରୋଧୀ ମନୋଭାବ
ପ୍ରତିଶ୍ରୁତି ଦେଇ ପୂରଣ ନ କରିବା ନେଇ ବିଜେଡି ଜାରି କଲା କଟାକ୍ଷଭରା ପୁସ୍ତକ
ଓଡ଼ିଶା ବିଜେପି ସୁଯୋଗ ପାଇଲେ ମିସନ ଶକ୍ତି, ବିଏସ୍‌କେୱାଇ ବନ୍ଦ କରିଦେବ

ସେହିଭଳି ଭାବେ ଓଡ଼ିଶା ବିଜେପିକୁ ଯଦି ସୁଯୋଗ ମିଳେ ତେବେ ସେମାନେ ମିସନ ଶକ୍ତି, ବିଏସ୍‌କେୱାଇ, ୫-ଟି ସ୍କୁଲ ରୂପାନ୍ତରଣ, ମୋ ସରକାର କାର୍ଯ୍ୟକ୍ରମ, କାଳିଆ, ନୂଆ- ଓ ସ୍କଲାରସିପ୍‌, ମନ୍ଦିର ରୂପାନ୍ତରଣ, ଲକ୍ଷ୍ମୀ, ମମତା, ଭତା, ନୂଆ ମେଡିକାଲ କଲେଜ, ଆମ ଓଡ଼ିଶା ନବୀନ ଓଡ଼ିଶା, ଶିଳ୍ପାୟନ ଓ ନିଯୁକ୍ତି, ସରକାରୀ ନିଯୁକ୍ତି, ପକ୍କାଘର, ସଡକ ଓ ଗମନାଗମନ ସବୁକିଛି କାର୍ଯ୍ୟକ୍ରମ ଯାହା ରାଜ୍ୟର ଜନସାଧାରଣଙ୍କ ପାଇଁ କରାଯାଉଛି ସବୁକିଛି ବନ୍ଦ କରିଦେବେ ବୋଲି ବିଜେଡି ମୁଖପାତ୍ର କହିଥିଲେ। ଏସବୁ ଯୋଜନା ବିରୋଧରେ ସେମାନଙ୍କ ପକ୍ଷରୁ କରାଯାଇଥିବା ସମସ୍ତ ଷଡ଼ଯନ୍ତ୍ର କଥା ମଧ୍ୟ ପୁସ୍ତିକାରେ ଉଲ୍ଲେଖ କରାଯାଇଛି। ଶେଷକୁ ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶାବାସୀଙ୍କ ଉପରେ କାହାକୁ ଲଦିବାକୁ କରାଯାଉଥିବା ଷଡ଼ଯନ୍ତ୍ରର କଥା ମଧ୍ୟ ରାଜ୍ୟବାସୀଙ୍କ ସାମ୍ନାରେ ବିଜେଡି ପକ୍ଷରୁ ରଖାଯାଇଛି। ଓଡ଼ିଶାବାସୀ ସେମାନଙ୍କର ମୁଖ୍ୟମନ୍ତ୍ରୀ ଚୟନ କରିବେ ନାହିଁ, ବରଂ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ସେମାନଙ୍କ ଉପରେ ଲଦିଦେବାକୁ ମସୁଧା କରାଯାଉଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ମନେ ମନେ ନେତା ସାଜିଥିବା ବେଳେ ତାଙ୍କୁ ସୁପର ମିଛୁଆ ଭାବେ ପୁସ୍ତିକାରେ ଦର୍ଶାଯାଇଛି। ମନେ ମନେ ମୁଖ୍ୟମନ୍ତ୍ରୀ ସାଜିଥିବା ନେତାଙ୍କ କ୍ୟାବିନେଟରେ କାହାକୁ କେଉଁ ବିଭାଗ ମିଳିବ ବୋଲି ଏବେଠାରୁ ଓଡ଼ିଶା ବିଜେପି ନେତାମାନେ ଭାଗ ବାଣ୍ଟିଲେଣି । ସେମାନେ କାହିଁକି ସେହି ବିଭାଗ ପାଇବାକୁ ଯୋଗ୍ୟ ତାହାର କାରଣ ଦର୍ଶାଇଥିଲେ ଶ୍ରୀ ପାତ୍ର ଓ ଶ୍ରୀ ମହାପାତ୍ର। ଅପରାଜିତା ଷଡ଼ଙ୍ଗୀ ଭାଷା, ସଂସ୍କୃତି ଓ ସାହିତ୍ୟ ବିଭାଗର ଦାୟିତ୍ୱ ନେବାକୁ ମନସ୍ଥିର କରିଥିବା ବେଳେ ଜୟ ନାରାୟଣ ମିଶ୍ର ଆଇନ ମନ୍ତ୍ରୀ, ପ୍ରଶାନ୍ତ ଜଗଦ୍ଦେବ ଗୃହମନ୍ତ୍ରୀ, ମନମୋହନ ସାମଲ ମହିଳା ଓ ଶିଶୁ ବିକାଶ, ବୈଜୟନ୍ତ ପଣ୍ଡା ଶିଳ୍ପ ଓ ଅର୍ଥ ଏବଂ ପ୍ରଦୀପ ପାଣିଗ୍ରାହୀ ପରିବହନ ଓ ଦକ୍ଷତା ବିକାଶ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବାକୁ ମନସ୍ଥ କରିସାରିଥିବା ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର କଟାକ୍ଷ କରିଥିଲେ। କ’ଣ ପାଇଁ ଓଡ଼ିଶା ବିଜେପିର ଏହି ସବୁ ନେତା ଏହି ପଦ ପାଇବାକୁ ହକ୍‌ଦାର ଓ ସେମାନଙ୍କର ଯୋଗ୍ୟତାର ମାପକାଠି କ’ଣ, ସେନେଇ ମଧ୍ୟ ପୁସ୍ତକରେ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର