ଏମ୍‌ସ ଭୁବନେଶ୍ୱରରେ ବିରଳ ସିନୋଭିଆଲ୍‌ ସାର୍କୋମା ଟ୍ୟୁମର୍‌ର ସଫଳ ଅସ୍ତ୍ରୋପଚାର; ଭାରତରେ ଦ୍ୱିତୀୟ

୫୧ ବର୍ଷୀୟ ବ୍ୟକ୍ତିଙ୍କ ମୁଣ୍ଡର ଉପର ଅଂଶରୁ ବାହାରିଲା ୭ କେଜିର ଟ୍ୟୁମର୍‌

ଭୁବନେଶ୍ୱର: ପ୍ରତିବଦ୍ଧତା, ନିଷ୍ଠାପର ପ୍ରୟାସ ଓ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ଏମ୍‌ସ ଭୁବନେଶ୍ୱର। ଏଠାରେ ପଶ୍ଚିମବଙ୍ଗର ଜଣେ ୫୧ବର୍ଷ ବୟସ୍କ ପୁରୁଷ ରବୀନ୍ଦ୍ର ବିଶୁଇଙ୍କ ଖପୁରୀର ଉପର ଅଂଶରୁ ପ୍ରାୟ ୭ କେଜି ଓଜନର ବିରଳ ସିନୋଭିଆଲ୍‌ ସାର୍କୋମା ଟ୍ୟୁମରକୁ ସଫଳତାର ସହିତ ଅସ୍ତ୍ରୋପଚାର କରାଯାଇଛି। ଅନେକ ବର୍ଷଧରି ସେ ଭୋଗୁଥିବା ଏହି ମାରାତ୍ମକ ଟ୍ୟୁମର୍‌କୁ କାଢ଼ି ଏମ୍‌ସର ଡାକ୍ତରୀଦଳ ତାଙ୍କୁ ଏକ ନୂଆ ଜୀବନ ଦେଇଥିବା ଶ୍ରୀ ବିଶୁଇ ପ୍ରକାଶ କରିଛନ୍ତି। ଖପୁରୀର ଉପର ଭାଗରେ ସାଧାରଣତଃ ଏହି ଜାତୀୟ ଟ୍ୟୁମର୍‌ ଦେଖା ଯାଇନଥାଏ। ମାତ୍ର ଥରେ ହେଲେ ଏହା ପ୍ରାଣଘାତୀ ସାବ୍ୟସ୍ତ ହୋଇଥାଏ। ତେଣୁ ଅତ୍ୟନ୍ତ ସତର୍କତାର ସହିତ ଏହାକୁ କଢ଼ା ନଗଲେ ରୋଗୀ ପାଇଁ ବିପଦପୂର୍ଣ୍ଣ ହୋଇଥାଏ। ଭାରତରେ ଏପରି ଅସ୍ତ୍ରୋପଚାର ଦ୍ବିତୀୟ ଥର ପାଇଁ ହୋଇଥିବା କୁହାଯାଉଛି।

ରବୀନ୍ଦ୍ର ଏହି ବିରଳ ଟ୍ୟୁମ୍‌ର ଚିକିତ୍ସା ପାଇଁ ବିଭିନ୍ନ ହସ୍‌ପିଟାଲରୁ ନିରାଶ ହୋଇ ଫେରିବା ପରେ ଏମ୍‌ସ ଭୁବନେଶ୍ୱରର ପ୍ଲାଷ୍ଟିକ୍ ସର୍ଜରୀ ବିଭାଗକୁ ଆସିଥିଲେ। ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗୀୟ ମୁଖ୍ୟ ଡାକ୍ତର ସଞ୍ଜୟ କୁମାର ଗିରିଙ୍କ ନେତୃତ୍ବରେ ଇଣ୍ଟରଭେନ୍‌ସନାଲ୍‌ ରେଡିଓଲୋଜି, ସର୍ଜିକାଲ୍ ଅଙ୍କୋଲୋଜି, ନ୍ୟୁରୋ ସର୍ଜରୀ, ପ୍ଲାଷ୍ଟିକ୍ ସର୍ଜରୀ, ଆନାସ୍ଥେସିଓଲୋଜି ଏବଂ ପାଥୋଲୋଜି ବିଶେଷଜ୍ଞଙ୍କୁ ନେଇ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯାଇ ଏହି ଅପରେସନ୍‌ ନିମନ୍ତେ ରଣନୀତି ପ୍ରସ୍ତୁତ ହୋଇଥିଲା। ଶ୍ରୀ ବିଶୁଇ ଦୁଇ ଦଶନ୍ଧି ହେବ ଏହି ଟ୍ୟୁମ୍‌ରରେ ପୀଡ଼ିତ ଥିଲେ। ମାତ୍ର ଗତ କିଛି ମାସ ମଧ୍ୟରେ ଏହା ଅହେତୁକ ଭାବେ ବୃଦ୍ଧି ପାଇ ପ୍ରାୟ ୭ କେଜିରେ ପହଞ୍ଚି ତାଙ୍କ ଜୀବନକୁ ଦୁର୍ବିସହ କରିପକାଇଥିଲା। ତାହା ବିରଳ ସିନୋଭିଆଲ୍ ସାର୍କୋମା ଟ୍ୟୁମର୍ ଭାବରେ ଚିହ୍ନଟ ହେବାପରେ ପାରମ୍ପରିକ ଚିକିତ୍ସା ପଦ୍ଧତି ପାଇଁ ଏକ ଆହ୍ବାନ ସୃଷ୍ଟି କରିଥିଲା।

ଏହି ଜଟିଳ ଅସ୍ତ୍ରୋପଚାରର ପ୍ରଥମ ସୋପାନରେ ରେଡିଓଲୋଜି ବିଭାଗର ଡାକ୍ତର ମନୋଜ କୁମାର ନାୟକଙ୍କ ଦ୍ବାରା ଧମନୀ ଓ ବାମ ଓସିପିଟାଲ୍ ଧମନୀକୁ ଲକ୍ଷ୍ୟ କରି ରକ୍ତବାହୀଗୁଡ଼ିକ ସହିତ ଠିକ୍ ସଂଯୋଗୀକରଣ କରାଯାଇଥିଲା। ପରେ ନ୍ୟୁରାସର୍ଜରୀ ବିଭାଗ ମୁଖ୍ୟ ଡାକ୍ତର ରବି ନାରାୟଣ ସାହୁ, ସର୍ଜିକାଲ୍‌ ଅଙ୍କୋଲୋଜି ବିଭାଗର ଡାକ୍ତର କନଭ ଗୁପ୍ତା, ଡାକ୍ତର ଅନିଲ କୁମାର, ଡାକ୍ତର ଫନୀନ୍ଦ୍ର କୁମାର ସ୍ବାଇଁ, ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗର ଡାକ୍ତର ଦୀନେଶ, ଡାକ୍ତର ସଞ୍ଜୟ କୁମାର ଗିରି, ଡାକ୍ତର ଶାନ୍ତନୁ ସୁବା, ଡାକ୍ତର ରଞ୍ଜିତ କୁମାର ସାହୁ, ଡାକ୍ତର ଅପର୍ଣ୍ଣା କାନୁନ୍‌ଗୋ, ଡାକ୍ତର ଗୋପିକା ଜିତ୍‌, ଡାକ୍ତର ଆକାଂକ୍ଷା ରାଜପୁତ ଓ ଡାକ୍ତର ଆହାନାଙ୍କ ଦ୍ବାରା ବିଭିନ୍ନ ପ୍ରକ୍ରିୟା ସମ୍ପାଦିତ ହୋଇଥିଲା। ଅତ୍ୟନ୍ତ ଜଟିଳ ପଦ୍ଧତି ସହାୟତାରେ ଦୀର୍ଘ ୭ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଉକ୍ତ ମାରାତ୍ମକ ଟ୍ୟୁମରର ସଫଳ ଅସ୍ତ୍ରୋପଚାର ସମାପ୍ତ ହୋଇଥିଲା।

ଅସ୍ତ୍ରୋପଚାର ପରବର୍ତ୍ତୀ ସମୟରେ ୬ୟୁନିଟ୍‌ ରକ୍ତ ସହିତ ଅନ୍ୟାନ୍ୟ ବିଭିନ୍ନ ଆବଶ୍ୟକତାକୁ ଡାକ୍ତର ଅପରାଜିତା ପଣ୍ଡାଙ୍କ ନେତୃତ୍ବରେ ଗଠିତ ଦଳ ପୂରଣ କରିଥିଲା। ସେହିପରି ସୂର୍ଯ୍ୟ, ଅଶୋକା, ଶିବାଞ୍ଜଳି ଓ ପ୍ରମୋଦଙ୍କୁ ନେଇ ଗଠିତ ଉତ୍ସର୍ଗୀକୃତ ନର୍ସିଂ ଦଳ ରୋଗୀଙ୍କର ବିଶେଷ ଯତ୍ନ ନେଇଥିଲେ। ସଫଳ ଅସ୍ତ୍ରୋପଚାର ପରେ ରୋଗୀଙ୍କୁ ଅଧିକ ନିରୀକ୍ଷଣ ଓ ଚିକିତ୍ସା ପ୍ରଦାନ ନିମିତ୍ତ ୱାର୍ଡକୁ ସ୍ଥାନାନ୍ତର କରିବା ପୂର୍ବରୁ ୨୪ ଘଣ୍ଟା ପାଇଁ ଆଇସିୟୁରେ ରଖାଯାଇଥିଲା। ଚିକିତ୍ସା ପ୍ରକ୍ରିୟାରେ ଡାକ୍ତର ପ୍ରୀତିନନ୍ଦା ମିଶ୍ର ପାଥୋଲୋଜିକାଲ୍ ମୂଲ୍ୟାଙ୍କନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସ ଏହି ବିରଳ ଅପରେସନ୍‌ରେ ସଂପୃକ୍ତ ଥିବା ଡାକ୍ତରୀ ଦଳ ତଥା ସମସ୍ତ ଅଂଶୀଦାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏମ୍‌ସ ଭୁବନେଶ୍ବର ରାଜ୍ୟ ତଥା ପଡ଼ୋଶୀ ରାଜ୍ୟବାସୀଙ୍କୁ ସର୍ବଦା ଗୁଣବତ୍ତାପୂର୍ଣ୍ଣ ସ୍ବାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ପ୍ରତିବଦ୍ଧ ଥିବା ଶ୍ରୀ ବିଶ୍ବାସ ପ୍ରକାଶ କରିଛନ୍ତି। ଏମ୍‌ସ ମେଡିକାଲ୍ ଅଧୀକ୍ଷକ ଡାକ୍ତର ଦିଲୀପ କୁମାର ପରିଡ଼ା ଏପରି ଏକ ଅଦ୍ଭୁତ ସଫଳତା ପାଇଁ ଡାକ୍ତରୀ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର