କେନ୍ଦୁଝରରେ ଆନ୍ଧ୍ରବ୍ୟାଙ୍କ କେଳେଙ୍କାରୀ : ଗ୍ରାହକଙ୍କ ଟଙ୍କା ଉଠାଣରେ ବି ଜାଲିଆତି

କେନ୍ଦୁଝର : ପାୱାରଟିଲର ଓ ଟ୍ରାକ୍ଟର ଋଣ ଜାଲିଆତି ଅଭି‌ଯୋଗରେ ଛନ୍ଦି ହୋଇଥିବା ଆନ୍ଧ୍ର ବ୍ୟାଙ୍କର କେନ୍ଦୁଝର ଶାଖା ବିରୋଧ‌େରେ ପୁଣି ଜାଲ୍‌ ଦସ୍ତଖତରେ ୩ ଲକ୍ଷ ୮୦ ହଜାର ଟଙ୍କା ଉଠାଣ ଅଭିଯୋଗ ହୋଇଛି। ଏ ସଂପର୍କରେ ଥାନା ଓ କୋର୍ଟରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁସା‌ରେ, କେନ୍ଦୁଝର ସହରର ବ୍ୟବସାୟୀ ତପନ କୁମାର ଘୋଷଙ୍କର କେନ୍ଦୁଝର ଆନ୍ଧ୍ର ବ୍ୟାଙ୍କ ଶାଖାରେ ଏକ ସେଭିଂ ଆକାଉଣ୍ଟ (ନଂ- ୧୨୯୯୧୦୧୦୦୦୨୫୮୦୨) ରହିଛି। ଗତ ୨୦୧୨ ସେପ୍ଟେମ୍ବର ୩ ତାରିଖରେ ଶ୍ରୀ ଘୋଷ ଏକ ନୂଆ ଚେକ୍‌ବୁକ୍‌ ପାଇଁ ବ୍ୟାଙ୍କରେ ଆବେଦନ କରିଥିଲେ। ମାତ୍ର ସେହିଦିନ ଅପରାହ୍‌ଣରେ ଚେକ୍‌ବୁକ୍‌ ମିଳିବା ପୂର୍ବରୁ ତାଙ୍କ ଆକାଉଣ୍ଟରୁ ୩ ଲକ୍ଷ ୮୦ ହଜାର ଟଙ୍କା ଉଠି ଯାଇଥିଲା। ଏକ ଚେକ୍‌କୁ ବ୍ୟବହାର କରି ଏହି ଟଙ୍କା ଉଠିଥିଲା। ଚେକ୍‌ର ନଂ ଥିଲା-୩୧୫୧୫୧। ବାସ୍ତବ କଥା ହେଉଛି- ଏଭଳି ଚେକ୍‌ ନମ୍ବର ତାଙ୍କ ପାଖରେ ନ ଥିଲା କି ତାଙ୍କୁ ମିଳି ନ ଥିଲା। ଏହା ଜାଣିବା ପରେ ସେ ତୁରନ୍ତ ତତ୍‌କାଳୀନ ବ୍ୟାଙ୍କ ମ୍ୟାନେଜର କିଶୋର ଚନ୍ଦ୍ର ନାଏକଙ୍କୁ ଅଭିଯୋଗ କରିଥିଲେ ବି କୌଣସି ପଦ‌କ୍ଷେପ ନେଇ ନଥିଲେ।

ଏ ସଂକ୍ରାନ୍ତରେ ୨୦୧୨ ସେ‌େପ୍ଟମ୍ବର ୪ ତାରିଖରେ କେନ୍ଦୁଝର ଟାଉନ ଥାନାରେ ସେ ଅଭିଯୋଗ କରିବା ପରେ କେସ୍‌ ନମ୍ବର ୧୮୬/୨୦୧୨ରେ ମାମଲା ରୁଜୁ ହୋଇଥିଲା। ତତ୍‌କାଳୀନ ବ୍ୟାଙ୍କ ମ୍ୟାନେଜର କିଶୋର ଚନ୍ଦ୍ର ନାଏକ ଓ ଅନ୍ୟ ବ୍ୟାଙ୍କ କର୍ମଚାରୀଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଥିଲା। ତଦନ୍ତ ବେଳେ ଶ୍ରୀ ଘୋ‌ଷଙ୍କ ସ୍ପେସିମେନ୍‌ ଦସ୍ତଖତ ଯାଞ୍ଜ ପାଇଁ ଥାନା ପକ୍ଷରୁ ଫରେନସିକ୍‌ ଲାବ୍‌କୁ ପଠାଯାଇଥିଲା। ଏହି ଦସ୍ତଖତ ସହିତ ଟଙ୍କା ଉଠିଥିବା ଚେକ୍‌ର ଦସ୍ତଖତ ମିଶୁନାହିଁ ବୋଲି ଫରେନସିକ୍‌ ଲାବ୍‌ରୁ ରିପୋର୍ଟ ଆସିଥିଲା। ଏହି ଚେକ୍‌ର ଦସ୍ତଖତ ସଂପୂର୍ଣ୍ଣ ଜାଲ୍‌ ବୋଲି ସ୍ପଷ୍ଟ ହେବା ସତ୍ତ୍ବେ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା।

ଶେଷରେ ଶ୍ରୀ ଘୋଷ କେନ୍ଦୁଝର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ୧୦୦୯/୨୦୧୨ରେ ମାମଲା ରୁଜୁ କରିଥିଲେ। ଏହି ମାମଲାରେ ତତ୍‌କାଳୀନ ବ୍ୟାଙ୍କ ମ୍ୟାନେଜର ଶ୍ରୀ ନାଏକ ହାଇକୋର୍ଟରୁ ଜାମିନରେ ଆସିଥିବା ବେଳେ ଏହି ମାମଲା ଏବେ କୋର୍ଟର ବିଚାରାଧୀନ ରହିଛି। ଚାଷୀଙ୍କୁ ପାୱାରଟିଲର ଓ ଟ୍ରାକ୍ଟର ଋଣ ଜାଲିଆତି ନେଇ ଆନ୍ଧ୍ରବ୍ୟାଙ୍କର ତତ୍‌କାଳୀନ ମ୍ୟାନେଜର ଶ୍ରୀ ନାଏକଙ୍କ ସଂପୃକ୍ତି ନେଇ କିଛିଦିନ ହେବ ଏକାଧିକ ଅଭିଯୋଗ ଆସିଛି। ତାର ତଦନ୍ତ ମଧ୍ୟ ଆରମ୍ଭ ହୋଇଛି। ଏବେ ଜାଲ୍‌ ଦସ୍ତଖତରେ ୩ ଲକ୍ଷ ୮୦ ହଜାର ଟଙ୍କା ଉଠାଣ ମାମଲା ତାଙ୍କ ଭୂମିକାକୁ ଆହୁରି ସନ୍ଦେହଘେରକୁ ଟାଣି ନେଇଛି।

ସମ୍ବନ୍ଧିତ ଖବର