ଗଜପତିରେ ଇନଷ୍ଟ୍ରକ୍ଟର, ଗଂଜାମରେ ଅଙ୍ଗନଓ୍ଵାଡ଼ି କର୍ମୀ

ଦୁଇ ପଦରେ ଜଣେ ମହିଳା

ରା.ଉଦୟଗିରି : ଜଣେ ମହିଳା ଏକ ସମୟରେ ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଅଙ୍ଗନବାଡ଼ି କେନ୍ଦ୍ରରେ କର୍ମୀ ଓ ସେଠାରୁ ୧୧୭ କିଲୋମିଟର ଦୂର ଗଜପତି ଜିଲ୍ଲା ରାମଗିରି ସ୍ଥିତ ମହେନ୍ଦ୍ରଗିରି କନିଷ୍ଠ ମହାବିଦ୍ୟାଳୟ ଏଜୁକେସନ୍‌ ବିଭାଗ ଇନ୍‌ଷ୍ଟ୍ରକ୍‌ଟର ଭାବେ କାର୍ଯ୍ୟ କରୁଛନ୍ତି। ତା ପୁଣି ବର୍ଷ ବର୍ଷ ଧରି। ଗୋଟିଏ ପଟରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ଅଙ୍ଗନବାଡ଼ି କର୍ମୀ ଭାବେ ନିଯୁକ୍ତି ପାଇ ଚାରି ବର୍ଷ କେନ୍ଦ୍ରକୁ ଯାଇଛନ୍ତି, ସିଡିପିଓଙ୍କ ବୈଠକରେ ରୀତିମତ ଯୋଗ ଦେଇଛନ୍ତି। ସେହିପରି ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସେ ଗତ ୨୦୦୧ରୁ ମହେନ୍ଦ୍ରଗିରି କନିଷ୍ଠ ମହାବିଦ୍ୟାଳୟ ଏଜୁକେସନ୍‌ ବିଭାଗରେ ଇନଷ୍ଟ୍ରକ୍ଟର ଭାବେ ମଧ୍ୟ ନିଯୁକ୍ତି ପାଇଛନ୍ତି। ଅବଶ୍ୟ ୨୦୧୪ ପର୍ଯ୍ୟନ୍ତ ତାଙ୍କୁ କଲେଜରେ ବିଭାଗୀୟ ମୁଖ୍ୟ କି କୌଣସି ବିଭାଗର ଅଧ୍ୟାପକ. ଅଧ୍ୟାପିକା କେବେ ଦେଖିନଥିବା ଜଣାପଡ଼ିଛି। ତଥାପି ସେ ନିୟମିତ ଚାକିରିରେ ଅଛନ୍ତି। ଏଭଳି ନିଯୁକ୍ତି କେଳେଙ୍କାରୀ ସଂପର୍କରେ ଚାଞ୍ଚଲ୍ୟକର ତଥ୍ୟ ମିଳିଛି ସୂଚନା ଅଧିକାର ଆଇନ ବଳରେ। ସବୁଠାରୁ ବଡ଼ କଥା ହେଲା ବିଭାଗୀୟ ଅଧିକାରୀମାନେ ଏ ଅଭିଯୋଗ ପାଇବା ପରେ ବି ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବା ଉଚିତ ମନେ କରିନାହାନ୍ତି। ଏହା ଘଟଣାକୁ ଅଧିକ ରହସ୍ୟମୟ କରିଛି।

ଏକ ପୁରାତନ ସରକାରୀ କଲେଜରେ ଜଣେ ଏଜୁକେସନ୍‌ ଇନ୍‌ଷ୍ଟ୍ରକ୍ଟରଙ୍କ ଦୀର୍ଘ ୧୭ବର୍ଷ ଚାକିରୀ କାଳ ଭିତରେ ୧୪ବର୍ଷ କାଳ କଲେଜ ପରିସରରେ ତାଙ୍କୁ କେବେ ନ ଦେଖିବା ବିସ୍ମୟ ସୃଷ୍ଟି କରିଛି। ଏମିତି କି ଭୁବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗ ଯୁଗ୍ମ ନିର୍ଦ୍ଦେଶକଙ୍କ ପକ୍ଷରୁ ଗତ ନଭେମ୍ବର ୮ ତାରିଖରେ ହୋଇଥିବା ଚିଠି(ନଂ-୩୭୭୪)ରେ ସୌଦାମିନିଙ୍କ ବିରୋଧରେ ଶୃଂଖଳାଗତ କାର୍ଯ୍ୟାନୁଷ୍ଠାନ ନିର୍ଦେଶ ଥିଲା। ପୁଣି ୨୭ ନଭେମ୍ବର ଚିଠି ନଂ-୪୩୧୨ରେ ସେହି ଏକା ନିର୍ଦେଶ ଜାରି ହୋଇଥିଲା। ଏହା ଉପରେ ଏ ଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ।

ରାମଗିରି ଅଞ୍ଚଳର ଅନିରୁଦ୍ଧ ବେହେରା ସୂଚନା ଅଧିକାର ଆଇନ୍‌ ବଳରେ ଇନ୍‌ଷ୍ଟ୍ରକ୍ଟର ସୌଦାମିନି ମହାରଣାଙ୍କ ନିଯୁକ୍ତି ନେଇ ସୂଚନା ମାଗିଥିଲେ। ସୌଦାମିନି ୨୦୦୧ ପର ଠାରୁ ଏ ପର୍ଯ୍ୟନ୍ତ ଇନଷ୍ଟ୍ରକ୍ଟର ଭାବେ କାର୍ଯ୍ୟ କରୁଛନ୍ତି ବୋଲି କାଗଜପତ୍ର ସଠିକ୍‌ ଥିବା ଦେଖାଇଛନ୍ତି ମହାବିଦ୍ୟାଳୟର ଅଧ୍ୟକ୍ଷା। ଆଶ୍ଚର୍ଯ୍ୟଜନକ ଭାବେ ସୌଦାମିନିଙ୍କ ଆଟେଣ୍ଡାନ୍‌ସ ରେଜିଷ୍ଟର ମଧ୍ୟ ଠିକ୍‌ ଥିବା ଦେଖାଇଛନ୍ତି। ଅପରପକ୍ଷରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍‌ର ସିଡିପିଓଙ୍କ ଠାରୁ ସୂଚନା ଅଧିକାର ଆଇନ୍‌ ବଳରେ ମିଳିଥିଲା ତଥ୍ୟ ଅନୁସାରେ, ୨୦୦୯ରୁ ୨୦୧୩ ପର୍ଯ୍ୟନ୍ତ ସୌଦାମିନି ଖଲିଙ୍ଗି ଅଙ୍ଗନବାଡ଼ି କର୍ମୀ ଭାବେ କାର୍ଯ୍ୟ କରୁଥିଲେ। ଗତ ସେପ୍‌ଟେମ୍ବର ୨୦ ତାରିଖରେ ସୁପରଭାଇଜର ବିଳାସ କୁମାରୀ ପାଣିଗ୍ରାହୀ ମଧ୍ୟ ଆର୍‌ଟିଆଇ ବଳରେ ଲୋଡ଼ା ଯାଇଥିବା ତଥ୍ୟ ସଂପର୍କରେ ସୂଚନା ଦେଇଛନ୍ତି, ୨୦୦୯ରୁ ୨୦୧୩ ପର୍ଯ୍ୟନ୍ତ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସୌଦାମିନି ମହାରଣା ନିୟମିତ ଭାବେ ବୈଠକ ଆଟେଣ୍ଡ୍‌ କରିଛନ୍ତି। ଜଣେ ବ୍ୟକ୍ତି ଏକକାଳୀନ ୨ଟି ସ୍ଥାନରେ ନିଯୁକ୍ତି ପାଇ ନିୟମିତ କାମ କରିଥିବା ନେଇ ଉଭୟ ନିଯୁକ୍ତି ସ୍ଥଳ ଓ ବିଭାଗୀୟ କାଗଜପତ୍ର ମଧ୍ୟରୁ କେଉଁଟା ଠିକ୍‌ ଏବଂ ଏଭଳି ଅନିୟମିତତା ପାଇଁ କିଏ ଦାୟୀ ତାହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସବୁ ମହଲରେ ଦାବି ହୋଇଛି।

ସମ୍ବନ୍ଧିତ ଖବର