‘କୁହନାହିଁ କିଛି’ ଲୋକାର୍ପିତ

ଭୁବନେଶ୍ୱର: ପେନ୍‌ଇନ୍‌ ବୁକ୍ସ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟକର ଆୟୁକ୍ତ ତଥା କବି ଓ କଥାକାର ଶରତ କୁମାର ଦାଶଙ୍କ ‘କୁହନାହିଁ କିଛି’ କବିତା ପୁସ୍ତକ ଓ ସିଡି ଲୋକାର୍ପିତ ହୋଇଯାଇଛି। ଉତ୍ସବରେ ମୁଖ୍ୟଅତିଥି ଭାବେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ମୁଖ୍ୟସୂଚନା ଆୟୁକ୍ତ ସୁନୀଲ ମିଶ୍ର, ସଂସ୍କୃତି ବିଭାଗ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।ଏହି ଅବସରରେ କବିଙ୍କର ପ୍ରଥମ କବିତା ପୁସ୍ତକ ‘ଚିତ୍ରଲେଖା’ର ହିନ୍ଦୀ ଅନୁବାଦ ମଧ୍ୟ ଲୋକାର୍ପିତ ହୋଇଥିଲା। ‘କୁହନାହିଁ କିଛି’ରେ ସମୁଦାୟ ୫୧ଟି କବିତା ଥିବା ବେଳେ ଏଥିରୁ ୧୦ଟି କବିତାକୁ ସଙ୍ଗୀତ ନିର୍ଦେଶକ ପ୍ରେମ୍‌ଆନନ୍ଦ ଗୀତର ରୂପ ଦେଇଛନ୍ତି।

ଗୀତରେ କଣ୍ଠଦାନ କରିଥିବା ଶିଳ୍ପୀ ଅନନ୍ୟା ଶ୍ରୀତମ ନନ୍ଦ, ହ୍ୟୁମାନ ସାଗର, ଦୀପ୍ତିରେଖା, ସବିଶେଷ ମିଶ୍ର, ବିଶ୍ୱଜିତ୍‌ , ଆଶୁତୋଷ ଓ ଲୋପାମୁଦ୍ରା ପ୍ରମୁଖ ଆଜିର ଲୋକର୍ପଣ ଉତ୍ସବରେ ସଙ୍ଗୀତ ପରିବେଷଣ କରିଥିଲେ। ‘ଚିତ୍ରଲେଖା’ର ହିନ୍ଦୀ ଅନୁବାଦକ ଡ. ଶଙ୍କରଲାଲ ପୁରୋହିତ, ଅଧ୍ୟାପକ ଡ. ଅଜିତ ମହାପାତ୍ର, ତରଙ୍ଗ ମ୍ୟୁଜିକର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ୟାମାପ୍ରସାଦ ମିଶ୍ର, କାର୍ଯ୍ୟକାରୀ ନିର୍ଦେଶକ ଅବିନାଶ ମହାପାତ୍ର ପ୍ରମୁଖଙ୍କୁ ସମ୍ବର୍ଧିତ କରାଯାଇଥିଲା।

କଥାଶିଳ୍ପୀ ଦେବପ୍ରସାଦ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପେନଇନ୍‌ ବୁକ୍ସର ନିର୍ଦେଶକ ଶୁଭ୍ରାଂଶୁ ପଣ୍ଡା ସ୍ୱାଗତ ଭାଷଣ ଓ ଧନ୍ୟବାଦ ଦେଇଥିଲେ। ସମାଜସେବୀ ସୂଚିସ୍ମିତା ପୃଷ୍ଟି, ଶୁଭେନ୍ଦୁ ଦାସ, ଅଜୟ ନାୟକ, କବି ଗିରୀଶ ରଂଜନଙ୍କ ସମେତ ପେନ୍‌ ଇନ୍‌ ବୁକ୍ସର ସ୍ୱେଚ୍ଛାସେବୀ ଉତ୍ସବ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର