ପାଟନା: ମଣ୍ଡପରେ ବର କାନ୍ଦିବାରୁ ବିବାହ କରିବାକୁ ମନା କଲେ କନ୍ୟା। ବିହାରର ସାରଣରେ ଘଟିଛି ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଘଟଣା। କୋପାର ପତିଲା ନିବାସୀ ମୋତିଲାଲଙ୍କ ପୁତ୍ର ପ୍ରଶାନ୍ତ ବିବାହ ପାଇଁ ବରଯାତ୍ରୀ ଧରି ମଣ୍ଡପରେ ପହଞ୍ଚିଥିଲେ। ବିବାହକୁ ନେଇ ଉଭୟ ପକ୍ଷ ବହୁତ ଖୁସି ଥିବା ବେଳେ କନ୍ୟା ଏଭଳି କିଛି କରିବ ବୋଲି କାହାକୁ ଜଣାନଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
କୁହାଯାଉଛି ଯେ, ବରର ମାନସିକ ଅବସ୍ଥା ଭଲନଥିବା କଥା ଜୟମାଲା ସମୟରେ କନ୍ୟା ଏବଂ ତାଙ୍କ ସାଙ୍ଗମାନେ ଅନୁଭବ କଲେ। ବିବାହର ରୀତିନୀତି ଆଗକୁ ବଢ଼ିବା ସହ ସେମାନଙ୍କ ସନ୍ଦେହ ବଢ଼ିଥିଲା। ସନ୍ଦେହକୁ ନିଶ୍ଚିତ କରିବାକୁ କନ୍ୟାର ସାଙ୍ଗମାନେ ବରକୁ ବିଭିନ୍ନ ପ୍ରଶ୍ନ କରିବା ଆରମ୍ଭ କରିଥିଲେ। ବର ପ୍ରଶାନ୍ତ ଏତେ ପ୍ରଶ୍ନ ଶୁଣି ଭୟଭୀତ ହେବା ସହ ମଣ୍ଡପରେ ସମସ୍ତଙ୍କ ସାମ୍ନାରେ କାନ୍ଦିବାକୁ ଲାଗିଲେ। ବରକୁ ଏପରି କାନ୍ଦୁଥିବା ଦେଖି କନ୍ୟା ରାଗିଯାଇଥିଲେ। ଏହା ପରେ ସେ ବିବାହ କରିବାକୁ ମନା କରିଦେଇଥିଲେ। କନ୍ୟା ସ୍ପଷ୍ଟ କରିଥିଲେ ଯେ ବର ମାନସିକ ସ୍ତରରେ ସୁସ୍ଥ ନାହାନ୍ତି। ସେଥିପାଇଁ ସେ କୌଣସି ପରିସ୍ଥିତିରେ ତାଙ୍କୁ ବିବାହ କରିବେ ନାହିଁ।
କନ୍ୟାଙ୍କ ଏହି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ଝିଅ ବିବାହ କରିବାକୁ ମନା କରିବାରୁ ତାଙ୍କ ବାପା ଦେଇଥିବା ଯୌତୁକ ଫେରାଇବାକୁ କହିଥିଲେ। ଏହା ଶୁଣି ବରପକ୍ଷ ଫେରି ଯାଇଥିଲେ। ତେବେ ସେମାନେ ଯୌତୁକ ଫେରାଇଛନ୍ତି କି ନାହିଁ, ତାହା ଜଣାପଡ଼ିନାହିଁ।