ଶ୍ରମ କମିସନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ୱର : ନିର୍ମାଣ ଶ୍ରମିକ ବୋର୍ଡ କର୍ତୃପକ୍ଷଙ୍କ ଶ୍ରମିକମାରଣ ନୀତିର ବିରୋଧ ସମେତ ୧୪ ଦଫା ଦାବିରେ ନିର୍ମାଣ ଶ୍ରମିକ ୟୁନିୟନ୍‌ ସମନ୍ଵୟ କମିଟି, ଓଡ଼ିଶା ପକ୍ଷରୁ ଆଜି ଶ୍ରମ କମିସନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। କମିଟିର ଅଭିଯୋଗ ହେଲା, କିନ୍ତୁ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଉଦ୍ଦିଷ୍ଟ ନିୟମକୁ ଜଳାଞ୍ଜଳି ଦେଇ ବୋର୍ଡ କର୍ତୃପକ୍ଷ ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କ ଅଧିକାରକୁ ଛଡ଼ାଇ ନେବାକୁ ଚକ୍ରାନ୍ତ ଚଳାଇଛନ୍ତି। ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ଭେଣ୍ଡର ପ୍ରକ୍ରିୟା କରି ଭେଣ୍ଡର ଆକାଉଣ୍ଟ୍‌କୁ ପଞ୍ଜୀକୃତ ଶ୍ରମିକର ଅର୍ଥ ପଠାଇ ତୋଷରପାତ କରିବାକୁ ଚେଷ୍ଟା କରୁଛନ୍ତି। କମିଟି ପକ୍ଷରୁ ଏହି ହୀନ ଉଦ୍ୟମକୁ ବନ୍ଦ କରିବା, ଜୁନ୍‌ ୩୦ ସୁଦ୍ଧା ବିଭିନ୍ନ ଶ୍ରମ କାର୍ଯ୍ୟାଳୟରେ ପଡ଼ି ରହିଥିବା ଦରଖାସ୍ତର ତୁରନ୍ତ ପଞ୍ଜୀକରଣ, ମାର୍ଚ୍ଚ ୨୦୧୬ ପୂର୍ବରୁ ବିବାହ ସହାୟତା ରାଶି ପ୍ରଦାନ ନିମନ୍ତେ ବୋର୍ଡ ସର୍କୁଲାର୍‌ର କାର୍ଯ୍ୟକାରିତା କରିବାକୁ କମିଟି ପକ୍ଷରୁ ଦାବି କରାଯାଇଥିଲା। ଏନେଇ ଏକ ସମନ୍ଵୟ କମିଟିର ଏକ ପ୍ରତିନିଧିମଣ୍ଡଳୀ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ସୁବାସ ସିଂହଙ୍କ ସହ ଆଲୋଚନା କରିବା ପରେ ଆଜି ଧାରଣାକୁ ସ୍ଥଗିତ ରଖାଯାଇଥିଲା। ଏହି ନେତୃତ୍ୱମଣ୍ଡଳୀରେ ପ୍ରଣତି ମିଶ୍ର, ସୁର ଜେନା, ବିଜୟ ଜେନା, ସନ୍ତୋଷ କୁମାର ମଙ୍ଗରାଜ, ମହାବୀର ପ୍ରସାଦ ମିଶ୍ର, ପଞ୍ଚାନନ ମହାରଣା, ବିପ୍ଲବ କେଶରୀ ମହାପାତ୍ର ଓ ଶଙ୍କର୍ଷଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରମିକମାନଙ୍କ ନ୍ୟାଯ୍ୟ ପ୍ରାପ୍ୟ ପ୍ରଦାନରେ ବୋର୍ଡ ପକ୍ଷରୁ କୌଣସି ଅଣଦେଖା କରାଗଲେ, ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯିବ ବୋଲି ଶ୍ରମିକ ନେତାମାନେ ମତ ରଖିଛନ୍ତି।

ସମ୍ବନ୍ଧିତ ଖବର