ପଣ୍ଡିତ ସଦାଶିବ ରଥଶର୍ମାଙ୍କ ରଥ-ଛତିଶା ନିଯୋଗ ସେବା ବିବରଣୀର କ୍ରମ-୨୦ରେ ‘ରୂପକାର ନିଯୋଗ’ର ଉଲ୍ଲେଖ ଅଛି। ସେବା ବିବରଣୀରେ, ଏହି ସେବକ ‘‘ମୂର୍ତ୍ତିି, ସାରଥି, ପାର୍ଶ୍ୱଦେବତା ଚିତ୍ର କରନ୍ତି’’ ବୋଲି ସେ ଲେଖିଛନ୍ତି। କିନ୍ତୁ ପ୍ରକୃତରେ ରୂପକାର ସେବକ ରୂପନିର୍ମାଣ କରନ୍ତି। ଚିତ୍ର କରନ୍ତି ଚିତ୍ରକାର ସେବକ। ଅନ୍ୟ ରଥସେବା ବିବରଣୀ ଗୁଡ଼ିକରେ ଏହାହିଁ ଉଲ୍ଲେଖ ଅଛି। ରଥରେ ଖଞ୍ଜା ହେଉଥିବା ବିଭିନ୍ନ ରୂପର ନିର୍ମାଣ ସମେତ ବିଭିନ୍ନ ବାଡ଼ ଓ ଦଣ୍ଡା ଆଦିରେ ଖୋଦିତ ହେଉଥିବା ମୂର୍ତ୍ତିି ବା ରୂପର ନିର୍ମାଣ ଏହି ସେବକ କରିଥାନ୍ତି। ଏହାଙ୍କୁ କ୍ରମ-୨୨ରେ ସ୍ଥାନିତ କରାଯାଇ ପାରିବ।
Sambad is now on WhatsApp
Join and get latest news updates delivered to you via WhatsApp
୨୨. ରୂପକାର: ଶ୍ରୀମନ୍ଦିର ସ୍ୱତ୍ଵଲିିପିରେ ଏହି ‘ରୂପକାର’ ସେବାର କ୍ରମ-୮୮। ସେଥିରେ ଉଲ୍ଲିଖିତ ସେବାର ବିବରଣୀ ଅନୁସାରେ, ‘‘ମନ୍ଦିର ଭିତରେ ଯେତେ ରୂପକାର୍ଯ୍ୟ ପଡ଼େ ଏମାନେ କରନ୍ତି। ଏମାନେ ନିମ୍ନଲିଖିତମତେ ରୂପକାର୍ଯ୍ୟ କରନ୍ତି। ରଥଯାତ୍ରାରେ ସାରଥି, ସଖୀ, ପାର୍ଶ୍ୱଦେବତା, ଘୋଡ଼ା ଇତ୍ୟାଦି ଦେଉଳର ନୀତିରେ ଓ ବେଶରେ ଯେଉଁସବୁ ମୂର୍ତ୍ତିି ଦରକାର ହୁଏ, ତାହା ଗଠନ କରନ୍ତି। କଳବରରେ ମଧ୍ୟ ଗଠନ କାମ କରନ୍ତି।’’
ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ବିଧି ଅନୁସାରେ ପ୍ରତିବର୍ଷ ରଥଯାତ୍ରାପାଇଁ ତିନିଟି ନୂଆ ରଥର ନିର୍ମାଣ କରାଯାଉଥିଲେ ମଧ୍ୟ, ଏହି ତିନି ରଥର ସାରଥି, ଘୋଡ଼ା, ଓଲଟ ଶୁଆ, ସଖୀ, ପାର୍ଶ୍ୱଦେବତା ଓ ଦଧିନଉତିର ଅଁଳାଶ୍ରୀ ଆଦି ନୂଆ ଭାବରେ ନିର୍ମାଣ କରାଯାଏ ନାହିଁ। କାରଣ, ଯେଉଁବର୍ଷ ନବକଳେବର ହୋଇଥାଏ, ସେହିବର୍ଷ ଏମାନଙ୍କୁ ନୂଆକରି ନିର୍ମାଣ କରାଯାଇଥାଏ। ଚତୁର୍ଦ୍ଧା ବିଗ୍ରହଙ୍କ ପରି ଏମାନଙ୍କୁ ମଧ୍ୟ ନିମକାଠରେ ନିର୍ମାଣ କରାଯାଏ। ଏମାନଙ୍କ ସହିତ ରଥର ଦ୍ଵାରପାଳ ଓ ଆୟୁଧ ମଧ୍ୟ ନୂତନ ଭାବରେ ନିର୍ମିତ ହୋଇଥାଆନ୍ତି। ତିନି ରଥ (ବାଡ଼)ର ମୁଖ୍ୟ ରୂପକାର ସେବକ ନିଜ ନିଜ ଘରେ ପୂଜାର୍ଚ୍ଚନା କରି ଏହିସବୁ ରୂପଖୋଦନର ଶୁଭାରମ୍ଭ କରିଥାଆନ୍ତି। ପାରମ୍ପରିକ ପ୍ରଥା ଅନୁସାରେ, ନବକଳେବର ବର୍ଷର ଜ୍ୟେଷ୍ଠ ଅମାବାସ୍ୟା (ସାବିତ୍ରୀ ଅମାବାସ୍ୟା) ତିଥିରେ ତିନିରଥର ପାର୍ଶ୍ୱ ଦେବଦେବୀ ଓ ଦ୍ଵାରପାଳମାନଙ୍କର ନବନିର୍ମାଣପାଇଁ କାଠ ଖୋଦେଇ କାମର ଅନୁକୂଳ ହୋଇଥାଏ।
ଏଣୁ ପ୍ରତିବର୍ଷର ରଥପାଇଁ ଆଉ ଏମାନଙ୍କ ରୂପନିର୍ମାଣର ଆବଶ୍ୟକତା ନଥାଏ। ଏହି ସାଧାରଣ ବର୍ଷ ଗୁଡ଼ିକରେ କେବଳ ରଥର ବିଭିନ୍ନ ବାଡ଼ ଓ ଦଣ୍ଡା ଆଦିରେ ଖୋଦିତ ହେଉଥିବା ମୂର୍ତ୍ତିି ବା ରୂପର ନିର୍ମାଣ ହୋଇଥାଏ। ଏ ସଂପର୍କରେ ପୂର୍ବରୁ ସୂଚିତ ହୋଇଛି (ରଥକଥା-୧୦) ଯେ ପାରମ୍ପରିକ ଭାବରେ ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ବା ନୃସିଂହ ଚତୁର୍ଦ୍ଦଶୀ ଦିନ ରଥକାଠରେ ନୃସିଂହ ମୂର୍ତ୍ତିି ଖୋଦନ (ରଥ ଗୁଜ ଅନୁକୂଳ) କରି ରୂପକାର ସେବକ ଏହି କାରୁକର୍ମର ଶୁଭାରମ୍ଭ କରିଥାଆନ୍ତି।
ସ୍ୱତ୍ଵଲିପି ଅନୁସାରେ, ରୂପକାର ହେଉଛନ୍ତି ବଂଶାନୁକ୍ରମିକ ଶାଢ଼ିବନ୍ଧା ସେବକ। ସାବାଳକ ହେଲେ ରୂପକାର କାମ ଜାଣି, ଶାଢ଼ି ବନ୍ଧାଇ, କାମ କରନ୍ତି। ସେଥିପାଇଁ ପ୍ରତିବର୍ଷ ରଥନିର୍ମାଣ କାର୍ଯ୍ୟରେ ବହୁ ବାଳୁତ ବଂଶଧର ରଥଖଳାକୁ ଆସି ରୂପ ଖୋଦନ କାର୍ଯ୍ୟରେ ନିଜକୁ ପ୍ରଶିକ୍ଷିତ କରିବା ଲକ୍ଷ୍ୟ କରାଯାଇଥାଏ। ପ୍ରତିବର୍ଷର ରୂପନିର୍ମାଣ କର୍ମପାଇଁ ଏହି ସେବକ ଅକ୍ଷୟ ତୃତୀୟା ଓ ଭଉଁରୀ ଦିନ ଶାଢ଼ି ପାଇଥାଆନ୍ତି। ସାରଥି ଏହାଙ୍କର ଇଷ୍ଟ ଦେବତା ବୋଲି ସ୍ୱତ୍ଵଲିପିରେ ଉଲ୍ଲେଖ ଅଛି।
-ଅସିତ ମହାନ୍ତି