ଆନନ୍ଦପୁର : ଆଦିବାସୀ ଇଲାକାରେ ଅନ୍ଧବିଶ୍ୱାସର ରାଜୁତି। ଶତ ସଚେତନତା କାର୍ଯ୍ୟକ୍ରମ ପରେ ବି ଗୁଣିଆର ପ୍ରଭାବ କମୁନି। ଏମିତି ଆନନ୍ଦପୁର ସୀମାବର୍ତ୍ତୀ ମହୁଲଡିହା ଗ୍ରାମରେ ଚେଙ୍କ ଚିକିତ୍ସାରେ ଜଣେ ୩ ବର୍ଷର ଶିଶୁ ଗୁରୁତର ହୋଇଛି। ଖବର ଅନୁସାରେ ମହୁଲଡିହା ଗ୍ରାମର ବୁଦ୍ଧୁ ଦିଗିଙ୍କ ତିନିବର୍ଷ ତିନିମାସର ପୁଅ ବୈଶାଖ ଦିଗିକୁ ୮ଦିନ ତଳେ ବାତରୋଗ ହୋଇଥିଲା। ବୁଦ୍ଧୁ ଗାଁରେ ନଥିବାରୁ ତାଙ୍କ ପତ୍ନୀ ଚମନ୍ ଦିଗି ନିକଟସ୍ଥ ଗ୍ରାମର ଜଣେ ଗୁଣିଆଙ୍କୁ ଦେଖାଇଥିଲେ। ରୋଗ ଭଲ ହେବାପାଇଁ ଏହି ଗୁଣିଆ ବୈଶାଖର ପିଠି ଓ ପେଟରେ ତତଲା ଚେଙ୍କ ଦେଇଥିଲେ। ଫଳରେ ବୈଶାଖର ଅବସ୍ଥା ଗୁରୁତର ହୋଇଛି। ଆଜି ଦିନ ଗୋଟାଏବେଳେ ତାକୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତିି କରାଯାଇଛି।