ବସ୍ତିରେ ଟଙ୍କା ବାଣ୍ଟିବା​ ଅଭିଯୋଗ: ଶକ୍ତେଶ୍ବରଙ୍କ ସମେତ ୪ ବିଜେପି କର୍ମୀଙ୍କ ନାଁରେ ମାମଲା

ରାଉରକେଲା: ରାତି ଅଧରେ ବସ୍ତିରେ ପଶି ଭୋଟରମାନଙ୍କୁ ଟଙ୍କା ବାଣ୍ଟିବା ବିଜେପି ନେତା ଓ ତାଙ୍କର ୪ ସହଯୋଗୀଙ୍କୁ ମହଙ୍ଗା ପଡ଼ିଛି। ବସ୍ତିର ରାଜୁ ନାଗଙ୍କ ଲିଖିତ ଅଭିଯୋଗ ଆଧାରରେ ବିଜେପି ନେତା ଶକ୍ତେଶ୍ବର ମହାପାତ୍ର ଓ ତାଙ୍କର ୪ ଜଣ ସହଯୋଗୀଙ୍କ ନାଁରେ ସେକ୍ଟର-୩ରେ ମାମଲା ରୁଜୁ ହୋଇଛି। ପୁଲିସ ରାଜୁଙ୍କ ଲିଖିତ ଏତଲା ଓ ବସ୍ତିବାସିନ୍ଦାଙ୍କ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ ଚଳାଇଛି। ସେପଟେ ବିଜେପି ନେତା ଶକ୍ତେଶ୍ବର ଓ ତାଙ୍କ ସହଯୋଗୀଙ୍କ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ଘଟଣା ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ବିରୋଧୀ ବିଜେଡି ଓ କଂଗ୍ରେସ ଏହାକୁ ରାଜନୀତି ପ୍ରସଙ୍ଗ କରିଛନ୍ତି। ଲିଖିତ ଅଭିଯୋଗ ଅନୁଯାୟୀ ରାଜୁ ନାଗ ସେକ୍ଟର-୩ ଥାନା ଅନ୍ତର୍ଗତ ଶକ୍ତିନଗର ବିଶ୍ବକର୍ମା ବସ୍ତିରେ ରହନ୍ତି। ସୋମବାର ରାତି ପ୍ରାୟ ସାଢ଼େ ୯ଟାରେ ସେ ଡ୍ୟୁଟି ସାରି ଘରକୁ ଫେରୁଥିଲେ। ସେହି ସମୟରେ ବସ୍ତିରେ ଶକ୍ତେଶ୍ବର ଓ ତାଙ୍କ ୪ ସହଯୋଗୀ ‌ଭୋଟର୍‌ ପିଛା ୫୦୦ରୁ ୧୦୦୦ ଟଙ୍କା ବାଣ୍ଟୁଥିବା ଦେଖିବାକୁ ପାଇଥିଲେ। ବସ୍ତିରେ କାହିଁକି ଭୋଟରଙ୍କୁ ଟଙ୍କା ବାଣ୍ଟୁଛ ବୋଲି ଶକ୍ତେଶ୍ବରଙ୍କୁ ପ୍ରଶ୍ନ କରିଥଲେ ରାଜୁ। ଏଥିସହ କୌଣସି ରାଜନୈତିକ ଦଳଠାରୁ ଟଙ୍କା ନ ନେବାକୁ ବସ୍ତିବାସିନ୍ଦାଙ୍କୁ କହିଥିଲେ। ଯାହାକୁ କେନ୍ଦ୍ରକରି ଶକ୍ତେଶ୍ବର ଓ ତାଙ୍କ ୪ ସହଯୋଗୀ ରାଜୁ ନାଗଙ୍କ ସହ ଯୁକ୍ତିତର୍କ କରିଥିଲେ। ପ୍ରତିବାଦ କରିବାରୁ ଶକ୍ତେଶ୍ବର ଓ ତାଙ୍କ ସହଯୋଗୀ ରାଜୁଙ୍କୁ ଗାଳିଗୁଲଜ କରିବା ସହ ଧକ୍କା ମାରିଥିଲେ। ବସ୍ତିବାସିନ୍ଦା ପହଞ୍ଚିବା ପରେ ‌ଶକ୍ତେଶ୍ବର ଓ ତାଙ୍କ ସହଯୋଗୀମାନେ ବସ୍ତିରୁ ପଳାଇ ଯାଇଥିଲେ।

ସମ୍ବନ୍ଧିତ ଖବର