ରାଞ୍ଚି: ଝାଡ଼ଖଣ୍ଡର ମାଓ ପ୍ରବଣ ଜିଲ୍ଲା ଖୁଣ୍ଟିରେ ଆଜି ପୁଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଏଥିରେ ଜଣେ ଗ୍ରାମବାସୀଙ୍କ ମୃତ୍ୟୁ ଘଟିଛି ଏବଂ ୩୦ରୁ ଅଧିକ ଆହତ ହୋଇଛନ୍ତି। ଗ୍ରାମବାସୀଙ୍କ ଆକ୍ରମଣରେ ଅନେକ ପୁଲିସ କର୍ମୀ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି। ସପ୍ତାହକ ତଳେ ମାନବ ଚାଲାଣ ବିରୋଧରେ ସଚେତନତା ସୃଷ୍ଟି କରୁଥିବା ୫ ଜଣ ସାମାଜିକ କର୍ମୀ ଏହି ଖୁଣ୍ଟି ଜିଲ୍ଲାରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ। ଏହି ଘଟଣାକୁ ନେଇ ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ଗତକାଲି ଅପରାଧୀଙ୍କୁ ଠାବ କରିବା ପାଇଁ ବଡ଼ ଧରଣର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ପଥଲଗଡ଼ି ସମର୍ଥକମାନେ ପୁଲିସର ତଲାସୀ ଅଭିଯାନକୁ ବିରୋଧ କରିବାରୁ ତୁମୁଳ କାଣ୍ଡ ସୃଷ୍ଟି ହୋଇଥିଲା। ପୁଲିସ ଓ ଅର୍ଦ୍ଧସାମରିକ ବାହିନୀର ଯବାନଙ୍କୁ ଗ୍ରାମବାସୀମାନେ ସଂଘବଦ୍ଧ ଭାବେ ଘଉଡ଼ାଇଥିଲେ। ଏହାକୁ ନେଇ ଗ୍ରାମରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇଥିଲା ଏବଂ ସନ୍ଧ୍ୟାରେ ୩ ଜଣ ପୁଲିସ କର୍ମୀଙ୍କୁ ପଥଲଗଡ଼ି ସମର୍ଥକ ଅପହରଣ କରିନେଇଥିଲେ। ଆଜି ଅପହୃତ ପୁଲିସ କର୍ମୀଙ୍କୁ ମୁକ୍ତ କରିବା ପାଇଁ ପୁଲିସ ଅଭିଯାନ ଆରମ୍ଭ ହେବାପରେ ଏହାକୁ ବିରୋଧ କରି ୪ ଶହରୁ ଅଧିକ ଗ୍ରାମବାସୀ ସଂଘବଦ୍ଧ ଆକ୍ରମଣ କରିଥିଲେ। ପୁଲିସ ଏବଂ ର୍ୟାପିଡ୍ ଆକ୍ସନ ଫୋର୍ସ ଲୋକଙ୍କୁ ଘଉଡ଼ାଇବା ପାଇଁ ପ୍ରବଳ ଲାଠିମାଡ଼ କରିବା ସହ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ବିଜେପି ସାଂସଦ କାରିଆ ମୁଣ୍ଡାଙ୍କ ଆନିଗଡ଼-ଚାନଡ଼ିହ ସ୍ଥିତ ବାସଭବନରେ ସୁରକ୍ଷାକର୍ମୀ ଭାବେ ମୁତୟନ ହୋଇଥିବା ୩ ଜଣ ପୁଲିସ କର୍ମୀଙ୍କୁ ଗତକାଲି ଅପରାହ୍ନରେ ଅପହରଣ କରି ନିଆଯାଇଥିଲା। ଆଜି ପୁଲିସର ବ୍ୟାପକ କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ଅପହୃତ ପୁଲିସ କର୍ମୀଙ୍କୁ ମୁକ୍ତ କରାଯାଇ ପାରିନାହିଁ। ସେମାନଙ୍କୁ ଟୋର୍ପା ଗ୍ରାମରେ ବନ୍ଦୀ କରି ରଖାଯାଇଥିବା ଖବର ମିଳିବା ପରେ ପୁଲିସ ବାହିନୀ ଗ୍ରାମରେ ଚଢ଼ଉ କରିଥିଲେ। ତେବେ ଲୋକଙ୍କ ପ୍ରବଳ ବିରୋଧ ଯୋଗୁଁ ସଂଘର୍ଷ ଉପୁଜିଥିଲା। ଗ୍ରାମବାସୀମାନେ ପାରମ୍ପରିକ ଅସ୍ତ୍ରରେ ପୁଲିସ ଉପରକୁ ଆକ୍ରମଣ କରିଥିଲେ। ପୁଲିସ ମାଡ଼ରେ ଜଣେ ଗ୍ରାମବାସୀଙ୍କ ମୃତ୍ୟୁ ହେବାପରେ ଏହି ଅଂଚଳରେ ସ୍ଥିତି ଗମ୍ଭୀର ରହିଛି। ପ୍ରାୟ ୩ ଶହ ଗ୍ରାମବାସୀଙ୍କୁ ଗ୍ରାମର ଏକ ଖୋଲା ପଡ଼ିଆରେ ସୁରକ୍ଷାବାହିନୀ ନିଜ ନିୟନ୍ତ୍ରଣରେ ରଖିଛି ଏବଂ ଗ୍ରାମର ପ୍ରତ୍ୟେକ ସଦସ୍ୟଙ୍କ ଘରକୁ ଘର ବୁଲି ତଲାସୀ ନିଆଯାଉଛି। ଏବେ ମଧ୍ୟ ଗ୍ରାମରେ ୮୦ କମ୍ପାନିରୁ ଊର୍ଦ୍ଧ୍ୱ ସୁରକ୍ଷା କର୍ମୀ ନିୟୋଜିତ ହୋଇଥିବା ଜଣାପଡ଼ିଛି। ପ୍ରାୟ ୫୦ ଗ୍ରାମବାସୀ ଅଟକ ରହିଛନ୍ତି। ତେବେ ନିଖୋଜ ପୁଲିସଙ୍କ ପତ୍ତା ମିଳୁନଥିବାରୁ ଆଜି ରାତି ତମାମ ତଲାସୀ ଅଭିଯାନ ଚାଲିବ ବୋଲି ଜଣାପଡ଼ିଛି। ଗତ ସପ୍ତାହରେ ମାନବ ଚାଲାଣ ବିରୋଧରେ ସଚେତନତା ସୃଷ୍ଟି କରୁଥିବା ୫ ଜଣ ମହିଳା ସାମାଜିକ କର୍ମୀଙ୍କ ସମେତ ସମୁଦାୟ ୧୧ ଜଣଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରିନେଇଥିଲେ। ଦୁର୍ବୃତ୍ତମାନେ ୫ ଜଣ ସାମାଜିକ କର୍ମୀଙ୍କୁ ଗଣଦୁଷ୍କର୍ମ କରିଥିଲେ।