ଶ୍ରୀନଗର: ଅନନ୍ତନାଗ ଜିଲ୍ଲାରେ ନିରାପତ୍ତା ବଳ ହିଜ୍ବୁଲ୍ ମୁଜାହିଦୀନ୍ ସଙ୍ଗଠନର ଦୁଇ ଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଜଣେ ଅଧିକାରୀ କହିଛନ୍ତି ଯେ ଆତଙ୍କବାଦୀଙ୍କ ଉପସ୍ଥିତି ସୂଚନା ପାଇବା ପରେ, ବୁଧବାର ପ୍ରତ୍ୟୁଷରେ ଅନନ୍ତନାଗ ଅନ୍ତର୍ଗତ ଖାନାବାଲ୍ ଅଞ୍ଚଳର ମୁନିଓ୍ଵାର୍ଡ ଗ୍ରାମରେ ନିରାପତ୍ତା ବଳ କର୍ଡନ୍ ଆଣ୍ଡ୍ ସର୍ଚ ଅପରେସନ୍ ଆରମ୍ଭ କରିଥିଲା।
ନିହତ ଆତଙ୍କବାଦୀଙ୍କ ପାଖରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।
ଜମ୍ମୁ ଓ କଶ୍ମୀର ପୁଲିସ, ଆର୍ମି ଓ ସେଣ୍ଟ୍ରାଲ୍ ରିଜର୍ଭ ପୋଲିସ ଫୋର୍ସ ମିଳିତ ଅଭିଯାନ ଚଳାଇବା ପରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଲୁଚିଥିବା ଆତଙ୍କବାଦୀମାନଙ୍କୁ ଚାରି ପଟୁ ଘେରି ଯାଇଥିଲେ ନିରାପତ୍ତା ବଳ।
ଅଭିଯାନରେ ବାଧା ନ ଉପୁଜିବାକୁ ସମଗ୍ର ଜିଲ୍ଲାରେ ମୋବାଇଲ୍ ଓ ଇଣ୍ଟର୍ନେଟ୍ ସେବା ସାମୟିକ ଭାବେ ବନ୍ଦ ରହିଛି। ଅନ୍ୟ ଆତଙ୍କବାଦୀମାନଙ୍କୁ ଧରିବାକୁ ଜୋର୍ଦାର୍ ତଲାସ ଅଭିଯାନ ଚାଲିଛି।
ନିକଟରେ କଶ୍ମୀର ଉପତ୍ୟକାରେ ହଠାତ୍ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଥିବାରୁ ନିରାପତ୍ତା ବଳ ଓ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ ହୋଇଛି।