ପାରଳାଖେମୁଣ୍ଡି : ତିତଲି ପ୍ରଭାବିତ ଗଜପତି ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ଅଘଟଣ ସାମ୍ନାକୁ ଆସୁଥିବା ଦୁର୍ଗମ ପାହାଡ଼ିଆ ଗାଁକୁ ଭଲ ରାସ୍ତାଟିଏ ନଥିବାରୁ ୭ ବର୍ଷର ଝିଅର ଶବକୁ ବାପା କାନ୍ଧେଇ ଆଣିବା ସମଗ୍ର ଜିଲ୍ଲାକୁ ସ୍ତବ୍ଧ କରିପକାଇଛି। ଏହି ଘଟଣା ଗତ ଗୁରୁବାର ସାମ୍ନାକୁ ଆସିଥିଲା। ଲକ୍ଷ୍ମୀପୁର ପଞ୍ଚାୟତ ଆତଙ୍କପୁର ଗ୍ରାମର ମକୁନ୍ଦ ଦୋରା ତାଙ୍କର ନିଖୋଜ ୭ବର୍ଷର ଝିଅ ବବିତାଙ୍କ ଶବକୁ କାନ୍ଧେର ବୋହି ପ୍ରାୟ ୭ କିଲୋମିଟର ଚାଲି ଚାଲି କଇଁପୁର ପର୍ଯ୍ୟନ୍ତ ପହଞ୍ଚି ଥିଲେ। ସେଠାରୁ ପୁଲିସ ଏକ ଅଟୋରେ ଶବକୁ କଇଁପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିବା ପରେ ସେଠାରୁ ମହାପ୍ରୟାଣ ଗାଡ଼ିରେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ନେଇଥିଲା। ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ପ୍ରଶାସନ ଚେଇଁ ଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ଜିଲ୍ଲାପାଳ ଅନୁପମ ସାହା ମକୁନ୍ଦଙ୍କୁ ଡାକି ଆଲୋଚନା କରିବା ସହ ସରକାରୀ ନିୟମାନୁସାରେ, ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିଛନ୍ତି। ସେହିପରି ଏହି ଅଞ୍ଚଳକୁ ଯୋଗାଯୋଗ ବ୍ୟବସ୍ଥା ସ୍ବାଭାବିକ ହୋଇ ପାରି ନଥିବାରୁ ସେଠାରେ କୌଣସି ଗାଡ଼ି ପହଞ୍ଚି ପାରି ନଥିବା ଏସପି ଅମୂଲ୍ୟ କୁମାର ଦାଶ ସ୍ପଷ୍ଟୀକରଣ ଦେଇଛନ୍ତି।
ମିଳିଥିବା ସୂଚନାନୁସାରେ, ମକୁନ୍ଦ ଦୋରା ରହୁଥିବା ଆତଙ୍ଗପୁର ଗାଁକୁ ଯିବାକୁ ଭଲ ରାସ୍ତା ନାହିଁ। ଯେଉଁ ରାସ୍ତା ଖଣ୍ଡିକ ପାଦଚଲା ପାଇଁ ବ୍ୟବହାର ହେଉଥିଲା ତାହା ବି ତିତଲି ବାତ୍ୟା ଓ ବର୍ଷାରେ କ୍ଷତିଗ୍ରସ୍ତ ହୋଇଛି। ଗତ ୧୧ ତାରିଖ ସକାଳେ ମକୁନ୍ଦଙ୍କ ପତ୍ନୀ ବିଲରେ କାମ କରୁଥିଲେ। ଏହି ସମୟରେ ହଠାତ୍ ତୋଫାନ୍ ଆସିବାରୁ ସାଙ୍ଗରେ ଥିବା ଦୁଇ ଛୁଆଙ୍କୁ ନେଇ େସ ନାଳ ପାର ହେବାକୁ ଉଦ୍ୟମ କରୁଥିଲେ। ବବିତା ହଠାତ୍ ନାଳରେ ଭାସିଯାଇ ନିଖୋଜ ହୋଇଯାଇଥିଲା। ମକୁନ୍ଦ ଓ ଗ୍ରାମବାସୀ ବହୁ ଖୋଜାଖୋଜି କରିଥିଲେ ବି ତାକୁ ଠାବ କରାଯାଇ ପାରି ନଥିଲା। ତେବେ ଘଟଣାର ୮ ଦିନ ପରେ ଅର୍ଥାତ୍ ଗୁରୁବାର ଗାଁଠୁ ୩ କିଲୋମିଟର ଦୂର ଆଲାରସିଂ ନିକଟରୁ ବବିତାର ଶବ ମିଳିଥିଲା। ପୁଲିସ ଘଟଣାସ୍ଥଳରେ ଚାଲି ଚାଲି ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ଆଣିବାକୁ ମକୁନ୍ଦଙ୍କୁ କହି ଫେରିଯାଇଥିଲା। ମକୁନ୍ଦ ଝିଅର ଶବକୁ କାନ୍ଧରେ ଧରି ଚାଲି ଚାଲି ପ୍ରାୟ ୭ କିଲୋମିଟର ଦୂର କଇଁପୁର ଆସିଥିଲେ। ଏହି ସମୟରେ କିଛି ଗଣମାଧ୍ୟମ ପ୍ରତିନିଧି ସେଠାରେ ପହଞ୍ଚି ଚିତ୍ର ଉତ୍ତୋଳନ କରୁଥିବା ବେଳେ ପୁଲିସ ସେଠାରେ ପହଞ୍ଚିଥିଲା। ଅଟୋ ଯୋଗେ ଶବକୁ କଇଁପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯିବା ପରେ ସେଠାରୁ ମହାପ୍ରୟାଣ ଗାଡ଼ିରେ ପାରଳାଖେମୁଣ୍ଡି ଅଣାଯାଇଥିଲା। ଆଜି ପ୍ରଶାସନ ପକ୍ଷରୁ ମକୁନ୍ଦଙ୍କୁ ଡକାଯାଇ କ୍ଷତିପୂରଣ ଅର୍ଥ ପ୍ରଦାନ କରାଯାଇଛି।