ରାଜ୍ୟର ୮୭ ଜେଲ୍ରେ ୧୦୯ କ୍ୟାମ୍ପ କୋର୍ଟ : ଜେଲ୍ ଯନ୍ତ୍ରଣାରୁ ମୁକୁଳିଲେ ୧୫୫୭
ଚୌଦ୍ବାର ସର୍କଲ୍ ଜେଲରୁ ସର୍ବାଧିକ ୫୯୩ ବନ୍ଦୀ ଖଲାସ୍, ନାରୀ ବନ୍ଦୀ ନିକେତନରୁ ୧୧ ଜଣଙ୍କୁ ମୁକ୍ତି
କଟକ : ରାଜ୍ୟର ବିଭିନ୍ନ ଜେଲରେ ହୋଇଥିବା କ୍ୟାମ୍ପ କୋର୍ଟ ମାଧ୍ୟମରେ ଗଲା ତିନି ଦିନରେ ମୁକୁଳିଛନ୍ତି ୧୫୫୭ ଜଣ ବିଚାରାଧୀନ କଏଦୀ। ୮୭ଟି ଜେଲରେ ହୋଇଥିବା ୧୦୯ଟି କ୍ୟାମ୍ପ କୋର୍ଟରେ ଆବେଦନକାରୀଙ୍କ ମାମଲାର ଶୁଣାଣି କରାଯାଇ ବିଚାରପତି ସେମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ରାଜ୍ୟର ପାଞ୍ଚଟି ସର୍କଲ୍ ଜେଲ୍ ମଧ୍ୟରୁ କେବଳ ଚୌଦ୍ବାର ସର୍କଲ୍ ଅଧୀନରେ ଥିବା ୯ଟି ଜେଲ୍ରୁ ତିନି ଦିନି ମଧ୍ୟରେ ସର୍ବାଧିକ ୫୯୩ ଜଣ କଏଦୀ ଖଲାସ ହୋଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟର ୫ଟି ସର୍କଲ ଜେଲ୍ ଅଧୀନରେ ୮୭ଟି ଜେଲ୍ କାର୍ଯ୍ୟ କରୁଛି। ଏଥିରେ ଖୋର୍ଧା ମୁକ୍ତାକାଶ ଜେଲ୍ ଜାମୁଝରୀ ଏବ˚ ରାଜ୍ୟର ସମ୍ବଲପୁରରେ ଥିବା ଏକ ମାତ୍ର ସ୍ବତନ୍ତ୍ର ମହିଳା ଜେଲ୍ ନାରୀ ବନ୍ଦୀ ନିକେତନ ମଧ୍ୟ ରହିଛି। ଜେଲ୍ ବିଭାଗର ସୂଚନା ମୁତାବକ ଉକ୍ତ ଜେଲ୍ଗୁଡ଼ିକରେ ମୋଟ ୧୮ ହଜାର କଏଦୀଙ୍କ ରହଣୀ ପାଇଁ ବ୍ୟବସ୍ଥା ଥିବା ବେଳେ ଓଡ଼ିଶାରେ ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁ କଏଦୀଙ୍କ ସ˚ଖ୍ୟା ୨୧ ହଜାରରୁ ଅଧିକ ହୋଇଥିଲା।
ସୂଚନା ଅନୁଯାୟୀ ୨୯ ତାରିଖରେ ବ୍ରହ୍ମପୁର ସର୍କଲ ଜେଲ୍ ଅଧୀନରେ ୧୨ଟି କ୍ୟାମ୍ପ କୋର୍ଟରେ ୨୦୦ ବିଚାରାଧୀନ କଏଦୀ ଖଲାସ ହୋଇଛନ୍ତି। ଚୌଦ୍ବାର ସର୍କଲ ଜେଲ୍ ଅଧୀନରେ ୪ଟି କ୍ୟାମ୍ପ କୋର୍ଟ ଖୋଲିଥିବା ବେଳେ ୨୩୦ ଖଲାସ ହୋଇଛନ୍ତି। ବାରିପଦା ସର୍କଲ ଜେଲ୍ ଅଧୀନରେ ୧୩ଟି କ୍ୟାମ୍ପ କୋର୍ଟ ବସିଥିଲା। ସେଥିରେ ୬୦ ଜଣ ଖଲାସ ହୋଇଛନ୍ତି । ସେହିପରି କୋରାପୁଟ ସର୍କଲ ଜେଲ୍ ଅଧୀନରେ ୩ଟି କ୍ୟାମ୍ପ କୋର୍ଟରୁ ୨୪ ଜଣ ଖଲାସ ହୋଇଛନ୍ତି। ସମ୍ବଲପୁର ସର୍କଲ ଜେଲ୍ ଅଧୀନରେ ୧୨ଟି କ୍ୟାମ୍ପ କୋର୍ଟରୁ ୨୨୨ ଜଣ କଏଦୀ ଖଲାସ ହୋଇଛନ୍ତି। ମୋଟ ୪୪ଟି କ୍ୟାମ୍ପ କୋର୍ଟରୁ ସେହିଦିନ ୭୩୬ କଏଦୀ ଖଲାସ ହୋଇଛନ୍ତି।
ସେହିଭଳି ୩୦ ତାରିଖରେ ସମ୍ବଲପୁର ସର୍କଲ ଜେଲ୍ ଅଧିନରେ ୧୪ କ୍ୟାମ୍ପ କୋର୍ଟରେ ୧୪୯ ଜଣ କଏଦୀ ଖଲାସ ହୋଇଛନ୍ତି। ବ୍ରହ୍ମପୁର ସର୍କଲ ଜେଲ୍ର ୩ଟି କ୍ୟାମ୍ପ କୋର୍ଟରେ ୧୯ ଜଣ, ଚୌଦ୍ବାର ସର୍କଲ ଅଧୀନର ୯ଟି ଜେଲ୍ରୁ ୧୮୮ ଜଣ, କୋରାପୁଟ୍ ସର୍କଲ ଜେଲ୍ର ୫ଟି ଜେଲ୍ରୁ ୨୧ ଜଣ, ବାରିପଦା ସର୍କଲ ଜେଲ୍ର ୭ଟି ଜେଲ୍ରୁ ୧୨୩ ଜଣ ଖଲାସ ହୋଇଛନ୍ତି। ତା ସହିତ ମହିଳାଙ୍କ ପାଇଁ ଖୋଲିଥିବା ସ୍ବତନ୍ତ୍ର ମହିଳା ଜେଲ୍ ସମ୍ବଲପୁରର ନାରୀ ବନ୍ଦୀ ନିକେତନରୁ ୧୧ ଜଣ ଖଲାସ ହୋଇଛନ୍ତି। ମୋଟ ୩୮ଟି କ୍ୟାମ୍ପ କୋର୍ଟରୁ ମୋଟ ୫୦୦ ଜଣ ବିଚାରାଧୀନ କଏଦୀ ଖଲାସ ହୋଇଛନ୍ତି। ଆଜି ଚୌଦ୍ବାର ସର୍କଲ୍ ଜେଲ୍ ଅଧୀନ ୧୩ଟି କ୍ୟାମ୍ପ କୋର୍ଟ ବସିଥିଲା। ଏଥିରେ ମୋଟ ୧୭୫ ଜଣ କଏଦୀ ଖଲାସ ହୋଇଛନ୍ତି। ସେହିପରି ବାରିପଦା ସର୍କଲ୍ ଜେଲ୍ ଅଧୀନରେ ୯ଟି କ୍ୟାମ୍ପ କୋର୍ଟ ବସିଥିବା ବେଳେ ୯୦ ଜଣ, ବ୍ରହ୍ମପୁର ସର୍କଲ ଜେଲ୍ ଅଧୀନରେ ୫ଟି କ୍ୟାମ୍ପ କୋର୍ଟରେ ୫୬ ଜଣ ଖଲାସ ହୋଇଛନ୍ତି। କୋରାପୁଟ ଏବ˚ ସମ୍ବଲପୁର ଜେଲ୍କୁ ବାଦ ଦେଲେ ଆଜି ୨୭ଟି କ୍ୟାମ୍ପ କୋର୍ଟରେ ୩୨୧ ଜଣ କଏଦୀ ଖଲାସ ହୋଇଛନ୍ତି।