ବିଜୟଓ୍ଵାଡ଼ା: ୟୁ’ଟ୍ୟୁବ୍ରେ ଲୋକପ୍ରିୟ ହୋଇଥିବା ବୁଢ଼ୀମା’ ରାନ୍ଧୁଣିଆ କାରେ ମସ୍ତାନାମ୍ମାଙ୍କର ସୋମବାର ରାତିରେ ଗୁଣ୍ଟୁର୍ ଜିଲ୍ଲାର ତେନାଲି ମଣ୍ଡଳ ଅନ୍ତର୍ଗତ ନିଜ ଗାଁ ଗୁଡ଼ିଓ୍ଵାଡ଼ାରେ ଦେହାନ୍ତ ହୋଇଯାଇଛି। ସମ୍ଭବତଃ ସବୁଠୁ ବୟସ୍କା ୟୁ’ଟ୍ୟୁବ୍ ଷ୍ଟାର୍ ୧୦୭ ବର୍ଷୀୟ ପାଚିକା ଗତ ୬ ମାସ ହେବ ଅସୁସ୍ଥ ଥିଲେ। ତାଙ୍କ ମୃତ୍ୟୁର ଖବର ଅବଶ୍ୟ ବିଳମ୍ବରେ ହସ୍ତଗତ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ମସ୍ତାନାମ୍ମାଙ୍କର ୟୁ’ଟ୍ୟୁବ୍ ଚାନେଲ୍ ‘କଣ୍ଟ୍ରି ଫୁଡ୍’ର ୧୨. ୧୮ ଲକ୍ଷ ସବ୍ସ୍କ୍ରାଇବର୍ ଥିଲେ। ତାଙ୍କର ଅତି ପ୍ରାଚୀନ ରୋଷେଇର ଭିଡିଓ ଇଣ୍ଟର୍ନେଟ୍ରେ ଭାଇରାଲ୍ ହେବା ଯୋଗୁଁ ଗତ ଦୁଇ ବର୍ଷ ହେବ ତାଙ୍କ ସବ୍ସ୍କ୍ରାଇବର୍ଙ୍କ ସଂଖ୍ୟା ଦୁଇଗୁଣରୁ ଅଧିକ ହୋଇଯାଇଥିଲା। ନାତି ଲକ୍ଷ୍ମଣ ଏବଂ ତାଙ୍କ ସାଙ୍ଗଙ୍କ ଦ୍ୱାରା ନିର୍ମିତ ୟୁ’ଟ୍ୟୁବ୍ ଚାନେଲ୍ଟି ପୁରାତନ ରନ୍ଧନ ପ୍ରଣାଳୀରେ ରୁଚି ରଖୁଥିବା ବହୁ ସଂଖ୍ୟକ ଲୋକଙ୍କ ଆକୃଷ୍ଟ କରିଥିଲା।
ମସ୍ତାନାମ୍ମାଙ୍କ ଜୀବନ ଥିଲା ସଂଘର୍ଷ ଓ ପ୍ରେରଣାରେ ଭରା। ମାତ୍ର ୨୨ ବର୍ଷରେ ସେ ତାଙ୍କ ସ୍ୱାମୀଙ୍କୁ ହରାଇଥିଲେ। ହଇଜାରେ ସେ ନିଜର ୫ଟି ପିଲାଙ୍କ ମଧ୍ୟରୁ ୪ ଜଣଙ୍କୁ ହରାଇଥିଲେ। ଜୀବିକା ନିର୍ବାହ ପାଇଁ ସେ ବିଲରେ ଖଟୁଥିଲେ। ତାଙ୍କର ଅଭିନବ ରନ୍ଧନ ପ୍ରଣାଳୀ ଗ୍ରାମବାସୀମାନଙ୍କୁ ଆକୃଷ୍ଟ କରିଥିଲା। ଗୁଣ୍ଟୁରରେ ନାତି ଲକ୍ଷ୍ମଣ ଏକ ରୋସ୍ତୋରାଁ ଖୋଲିବା ପରେ ମେନୁରେ ମସ୍ତାନାମ୍ମାଙ୍କ ରନ୍ଧାଖାଦ୍ୟ ରହିବା ପରେ ହିଁ ତାଙ୍କର ଖ୍ୟାତି ବ୍ୟାପିଥିଲା। ୟୁ’ଟ୍ୟୁବ୍ ଚାନେଲ୍ ଯୋଗୁଁ ସମଗ୍ର ବିଶ୍ୱରେ ତାଙ୍କର ଖ୍ୟାତି ବଢ଼ି ଚାଲିଥିଲା। ତାଙ୍କର ସମସ୍ତ ଭିଡିଓ ଏକ ନିୟୁତରୁ ବେଶୀ ଲୋକେ ଦେଖିଛନ୍ତି।