ଷ୍ଟ୍ରେଚର ନ ମିଳିବାରୁ ସ୍ତ୍ରୀ ଓ ପିଲାକୁ ବଞ୍ଚାଇବା ପାଇଁ ପ୍ରଥମ ମହଲାକୁ ଅଟୋ ନେଇଗଲେ ଯୁବକ, ଭାଇରାଲ ହେଉଛି ଭିଡିଓ
ସେନ୍ଧଓ୍ଵା(ମଧ୍ୟ୍ରପ୍ରଦେଶ) : ମଧ୍ୟପ୍ରଦେଶର ସେନ୍ଧଓ୍ଵାସ୍ଥିତ ଡ଼ାକ୍ତରଖାନାରେ ଥିବା ସବୁ ଲୋକ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ, ଯେତେବେଳେ ଜଣେ ଲୋକ ଅଟୋରିକ୍ସାକୁ ଡ଼ାକ୍ତରଖାନା ଭିତରେ ଭର୍ତ୍ତି କରିବା ସହ ପ୍ରଥମ ମହଲାକୁ ନେଇ ଯାଇଥିଲା । ଉପସ୍ଥିତ ଥିବା ସବୁ ଲୋକ ଏହି ଦୃଶ୍ୟ ଦେଖି ହଠାତ୍ କିଛି ବୁଝି ପାରି ନ ଥିଲେ । ପରେ ସବୁ କଥା ସାମ୍ନାକୁ ଆସିଥିଲା ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ସ୍ଥାନୀୟ ଦେବଝରୀ କଲୋନୀରେ ରହୁଥିବା ମହିଳାଙ୍କୁ ପ୍ରସବ ପୀଡ଼ା ହୋଇଥିଲା। ତାଙ୍କ ସ୍ୱାମୀ ଡାକ୍ତରଖାନାକୁ ଆମ୍ବୁଲାନ୍ସ ଲାଗି ଫୋନ କରିଥିଲେ । କିନ୍ତୁ ଡ଼ାକ୍ତରଖାନାର ନର୍ସ ଫୋନ ଧରି ଏବେ କୌଣସି ଆମ୍ଭୁଲାନ୍ସ ଉପଲବ୍ଧ ନ ଥିବା କହିଥିଲେ । ଏହାର କିଛି ସମୟ ପରେ ମହିଳାଜଣକ ଘରେ ହିଁ ନବଜାତକୁ ଜନ୍ମ ଦେଇଥିଲେ । ପରେ ଚିକିତ୍ସା କରିବା ପାଇଁ ମହିଳାଙ୍କ ସ୍ୱାମୀ ନିଜ ସ୍ତ୍ରୀ ଏବଂ ନବଜାତକୁ ଧରି ଅଟୋରେ ଡ଼ାକ୍ତରଖାନା ପହଞ୍ଚିଥିଲେ । କିନ୍ତୁ ସେଠାରେ ରୋଗୀକୁ ଉପରକୁ ନେବା ପାଇଁ ଷ୍ଟ୍ରେଚର ନଥିବା ଦେଖି ମହିଳାଙ୍କ ସ୍ୱାମୀ ଅଟୋକୁ ଡ଼ାକ୍ତରଖାନା ଭିତରେ ଭର୍ତ୍ତି କରିବା ସହ ପ୍ରଥମ ମହଲାକୁ ଅଟୋ ଚଳାଇ ନେଇଥିଲେ । ପରେ ନର୍ସ ଆସି ମହିଳା ଏବଂ ନବଜାତକୁ ନେଇ ଓ୍ଵାର୍ଡ଼ରେ ଭର୍ତ୍ତି କରାଇଥିଲେ ।
ଚିକିତ୍ସା ପରେ ଦୁହେଁ ସୁସ୍ଥ ଥିବା ଜଣାପଡ଼ିଛି । ତେବେ ଯୁବକଙ୍କ ଏଭଳି କାମ ସେଠାରେ ଉପସ୍ଥିତ ଥିବା ଜଣେ ଲୋକ ରେକର୍ଡ଼ କରି ସୋସିଆଲ ମିଡିଆରେ ଛାଡ଼ିବା ପରେ ଏବେ ତାହା ଭାଇରାଲ ହୋଇଛି ।