ଭୁବନେଶ୍ବର: ନାଳ ପାଇଁ ଟଙ୍କା ମଂଜୁର ସରିଛି। ଅଥଚ କାମର ଚିହ୍ନବର୍ଣ୍ଣ ନାହିଁ। ବରବାରି ପୋଖରୀ ପାଇଁ ଟେଣ୍ଡର୍ ଡକା ସରିଛି, କିନ୍ତୁ କାମ ପାଇଁ ତତ୍ପରତା ଦେଖାଯାଉନାହିଁ। ସ୍ବଚ୍ଛ ଭାରତ ଯୋଜନାରେ ଲୋକେ ପାଇଖାନା ନିର୍ମାଣ କରିଛନ୍ତି। ମାତ୍ର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇ ମଧ୍ୟ ଟଙ୍କାଟେ ଦିଆଯାଇନାହିଁ। ୫ ବର୍ଷ ଧରି ଯେଉଁ ସମସ୍ୟା ଲୋକଙ୍କ ଚିନ୍ତା ବଢ଼ାଉଥିଲା ଆଜି ବି ତାହା ଦୂର ହୋଇ ପାରିନାହିଁ। ଶୌଚାଳୟ, ହାଇମାଷ୍ଟ୍ ଲାଇଟ୍, ଜାଗମରା-ଡୁମୁଡୁମା ରାସ୍ତାରେ ଆଲୋକ, ଝରପୋଖରୀ ପୁନରୁଦ୍ଧାର, ଜିମ୍ ବ୍ୟତୀତ ଅନ୍ୟ ମୌଳିକ ସମସ୍ୟାଗୁଡ଼ିକର ସମାଧାନ ନେଇ ଯେତିକି ଉଦ୍ୟମ ହେବା କଥା ହୋଇ ପାରିନାହିଁ। ବର୍ଷା ଦିନ ଆସିଲେ ସମ୍ପୃକ୍ତ ୱାର୍ଡରେ ଭାଳେଣି ପଡ଼ିଯାଏ। ବିଶେଷକରି ମଲ୍ଲିକ କମ୍ପ୍ଲେକ୍ସ, ସିଦ୍ଧି ବିହାର, କ୍ରିଷ୍ଣା ଗାର୍ଡେନ୍ ଏବଂ ଜଗମୋହନ ନଗରର କିଛି ଅଂଶ ବର୍ଷା ସମୟରେ ଜଳାର୍ଣ୍ଣବ ହୋଇଯାଏ। ଏଠାରୁ ପାଣି କାଢ଼ିବା ପାଇଁ ମୋଟର ଲଗାଇବାକୁ ପଡ଼େ। ଘରେ ଅଣ୍ଟେ ଉଚ୍ଚର ପାଣି ହୋଇଯାଏ। ଯେବେଠୁ ଜାଗମରା ୧୦୦ ଫୁଟିଆ ନୂଆ ରାସ୍ତା ଖୋଲିଛି ସେବେଠୁ ବର୍ଷା ଆସିଲେ ସମ୍ପୃକ୍ତ ଅଞ୍ଚଳର ଲୋକଙ୍କ ଭିତରେ ଶଙ୍କା ପଶିଯାଏ। ବର୍ଷା ଜଳ ନିଷ୍କାସନ ବାଟ ନଥିବାରୁ ଲୋକଙ୍କୁ ଅଣ୍ଟାଏ ପାଣିରେ ରହିବାକୁ ପଡ଼େ। ପୁଣି ଯେବେଠୁ ନୂଆ ରାସ୍ତା ଫିଟିଛି ସେବେଠୁ ବରମୁଣ୍ଡା-ମହୁରିଆ ରାସ୍ତା ତଥା ପୁରୁଣା ସଂଯୋଗ ରୋଡ୍କୁ ଭୁଲି ଯାଇଛି ପ୍ରଶାସନ। କେଉଁଠି ନାଳ ବନ୍ଧ ଭାଙ୍ଗିଯାଇଛି ତ କେଉଁଠି ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଛି। ଖଣ୍ଡଗିରି-ଉଦୟଗିରି ଭଳି ଐତିହ୍ୟ ସ୍ଥଳୀ ଥିଲେ ହେଁ ଯାତ୍ରୀ ନିବାସ କି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଟିଏ ନାହିଁ। ଏନେଇ ଦାବି ହୋଇ ଆସୁଥିଲେ ସୁଦ୍ଧା ଏଥିପ୍ରତି ଦୃଷ୍ଟି ଦିଆଯାଇ ନାହିଁ। ମହିଳା ଜିମ୍ ପାଇଁ ଟଙ୍କା ଆସିଥିଲେ ମଧ୍ୟ କାମ ହୋଇ ପାରୁନାହିଁ। ଏହିପରି ଆହୁରି ଅନେକ ଜନ ହିତକର ଯୋଜନା ଲଟକି ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅନେକ କାମ ହୋଇଛି
ଝର ପୋଖରୀ ୮୭ ଲକ୍ଷ ଟଙ୍କାରେ ନୂଆ ରୂପ ପାଇଛି। ସୁଲଭ ଶୌଚାଳୟ ୨ଟି ଜାଗାରେ ହୋଇଛି। ହାଇମାଷ୍ଟ୍ ଲାଇଟ୍ ଲଗାଯାଇଛି। ଡୁମୁଡୁମାରୁ ଜାଗମରା ପର୍ଯ୍ୟନ୍ତ ଆଲୁଅ ଲାଗିଛି। ଜିମ୍ ସ୍ଥାପନ ହୋଇଛି। ରାସ୍ତା ଓ ଡ୍ରେନ୍ କାମ ହୋଇଛି। ତେବେ ବିଏମ୍ସି ଏଠାରେ ବୈଠକ କରି ସ୍ବଚ୍ଛ ଭାରତ ଯୋଜନାରେ ପାଇଖାନା କରିସାରିବା ପରେ ଟଙ୍କା ଦେବ ବୋଲି କହି ଲୋକଙ୍କୁ ଭଣ୍ଡାଉଛି। ଏଯାଏଁ ଟଙ୍କା ଦେଉନାହିଁ। ବିଏମ୍ସି ଏଠାରୁ ଖଣ୍ଡଗିରି ମେଳାରୁ ୩୫ଲକ୍ଷ ଟଙ୍କା ଟିକସ ଆକାରରେ ଆଦାୟ କରୁଛି। କିନ୍ତୁ ଅନନ୍ତ କେଶରୀଙ୍କ ଯାତ୍ରା ପାଇଁ ୬୦ ହଜାର ଟଙ୍କା ଦେଉଛି।
ରଘୁନାଥ ମହାନ୍ତି, କର୍ପୋରେଟର
ପ୍ରଶାସନ ଟଙ୍କା ଦେଉନି ବୋଲି ଅଭିମାନ କରୁଛନ୍ତି
ଜାଗମରା ଉପରସାହି ଡ୍ରେନ୍ ଭାଙ୍ଗିଯାଇଛି। ବଡ଼ ପୋଖରୀର ଅବସ୍ଥା ଖରାପ ହୋଇଗଲାଣି। ଜାଗମରା ପୁରୁଣା ସଂଯୋଗ ରାସ୍ତାର ଅବସ୍ଥା ଦୟନୀୟ ହେଲାଣି। ପ୍ରଶାସନ କାଳେ କିଛି ଦେଉନାହିଁ ବୋଲି ଅଭିମାନ କରୁଛନ୍ତି। କିନ୍ତୁ ପ୍ରଶାସନ ଟଙ୍କା ମଂଜୁର କରୁଥିଲେ ବି କାମରେ ଢିଲା ହେଉଛି। ପ୍ରତିଶ୍ରୁତି ଦେଲେ ବି କାମ ସେପରି କରିନାହାନ୍ତି।
ରୁନୁ ଜେନା, ପୂର୍ବତନ କର୍ପୋରେଟର
କେଉଁ ଅଞ୍ଚଳ ରହିଛି
ଧର୍ମବିହାର, ବରବାରି, ଜାଗମରା ଗ୍ରାମ, ଜଗମୋହନ ନଗର, ଖଣ୍ଡଗିରି, କ୍ରିଷ୍ଣା ଗାର୍ଡେନ୍ ଫେଜ୍ ୧,
ସିଦ୍ଧି ବିହାର।