ଜଳେଶ୍ୱର: ଏକଘରିଆ ପରିବାରେ ୨ ଦିନ ହେବ ମରି ପଡ଼ିଛନ୍ତି ବୃଦ୍ଧ; ସତ୍କାର ଲାଗି ଶବ କାନ୍ଧେଇବାକୁ ଆସୁ ନାହାନ୍ତି ସାହିଭାଇ
ଜଳେଶ୍ୱର: (ସତ୍ୟବ୍ରତ ପ୍ରଧାନ): ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ବ୍ଲକ୍ ଅନ୍ତର୍ଗତ ନାମ୍ପୋ ପଞ୍ଚାୟତର ଦେଉଳବାଡ଼ ଗ୍ରାମରେ ୨ ଦିନ ତଳେ ମରିଥିବା ଜଣେ ବୃଦ୍ଧଙ୍କୁ କାନ୍ଧ ଦେବାକୁ କେହି ନ ଆସୁଥିବାରୁ ପରିବାର ଲୋକେ ତାଙ୍କ ଶବକୁ ଜଗି ପିଣ୍ଡାରେ ବସିଛନ୍ତି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ମେଘରା ବେଶ୍ରା।
Sambad is now on WhatsApp
Join and get latest news updates delivered to you via WhatsApp
ମେଘରାଙ୍କ ବଡ଼ ବୋହୂଙ୍କୁ ଡାହାଣୀ ବୋଲି ସନ୍ଦେହ କରି ସେମାନଙ୍କୁ ଗ୍ରାମବାସୀ ନିଅାଁପାଣି ବନ୍ଦ କରିଥିବାରୁ ଏ ଭଳି ପରିସ୍ଥିତି ଉପୁଜିଛି। ୮ ବର୍ଷ ତଳେ ତାଙ୍କ ବଡ଼ପୁଅ ରାଜୁର ପତ୍ନୀ ଚମ୍ପାକୁ ଲୋକେ ଡାହାଣୀ ବୋଲି କହିବାରୁ ବାଦବିବାଦ ଉପୁଜିଥିଲା ଏବଂ ତାଙ୍କ ପରିବାରକୁ ଏକ ଘରକିଆ କରାଯାଇଥିଲା। ତା’ ଛଡ଼ା ଏବେ ମେଘରାଙ୍କ ସାନପୁଅ ଲମ୍ବୋଦର ପତ୍ନୀ ହତ୍ୟା ଅଭିଯୋଗରେ ଜେଲ୍ଦଣ୍ଡ ଭୋଗୁଛନ୍ତି।
ଆଲୋଚନାର ବିଷୟ ପାଲିଟି ଥିବା ଘଟନାଟି ଘଟିଛି ୨ ନମ୍ବର ଓ୍ଵାର୍ଡ ଦେଉଳବାଡ଼ ଗ୍ରାମରେ। ମେଘରା ବେଶ୍ରା ନାମକ ଉକ୍ତ ବୃଦ୍ଧଜଣକ ମଙ୍ଗଳବାର ଦିନ ଅସୁସ୍ଥ ହୋଇ ପଡ଼ିବାରୁ ଚିକିତ୍ସା ନିମନ୍ତେ ପ୍ରଥମେ ତାଙ୍କୁ ଜଳେଶ୍ୱର ଓ ପରେ ବାଲେଶ୍ୱର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିବାରୁ ପରିବାର ଲୋକେ ଶବ ନେଇ ଘରକୁ ଫେରିଥିଲେ।
ମେଘରାଙ୍କ ଶବ ସତ୍କାର କରାଇବାକୁ ବଡ଼ପୁଅ ରାଜୁ ଗ୍ରାମବାସୀଙ୍କୁ ସାହିବାସିନ୍ଦାଙ୍କ ଦ୍ୱାରସ୍ଥ ହୋଇଥିଲେ ବି, ସାହି ମୁଖିଆ ବୁଲା ମୁର୍ମୁଙ୍କ ଭାଇ ସବୁ ଘଟନା ପାଇଁ ରାଜୁଙ୍କୁ ଦାୟୀ କରି ବୈଠକ ନ ବସିବା ଯାଏଁ ଶବସତ୍କାର କରାଯିବ ନାହିଁ ବୋଲି ଶୁଣାଇ ଦେଇଛନ୍ତି।
ପିଣ୍ଡାରେ ଶବ ପଡ଼ିଥିବାରୁ ଦୁଇ ଦିନ ଧରି ଉକ୍ତ ପରିବାରରେ ଚୁଲି ଜଳି ନାହିଁ ଏବଂ ଛୁଆପିଲାଙ୍କୁ ମିଶାଇ ୫ ପ୍ରାଣୀର ଉକ୍ତ ପରିବାର ଭୋକଉପାସରେ ପଡ଼ିଛନ୍ତି।