ଭୁବନେଶ୍ବର : ଇ-ଟେଣ୍ଡର ପ୍ରକ୍ରିୟା କାର୍ଯ୍ୟକାରୀ େକ୍ଷତ୍ରରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଓଡିଶାକୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ପୁରସ୍କୃତ କରାଯାଇଛି। ୨୦୧୭ ଏପ୍ରିଲରୁ ୨୦୧୮ ମାର୍ଚ୍ଚ ପର୍ଯ୍ୟନ୍ତ ହୋଇଥିବା ଚୟନ ପ୍ରକ୍ରିୟାରେ ଦେଶର ସମସ୍ତ ରାଜ୍ୟଙ୍କୁ ପଛରେ ପକାଇ ଓଡିଶା ଏହି ପୁରସ୍କାର ପାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ନୂଆଦିଲ୍ଲୀର ଇଣ୍ଡିଆ ହାବିଟାଟ ସେଣ୍ଟର ଠାରେ ସେଣ୍ଟ୍ରାଲ ପବ୍ଲିକ ପ୍ରୋକ୍ୟୁରୋମେଣ୍ଟ ପୋର୍ଟାଲ ଉପରେ ଆୟୋଜିତ ଦ୍ୱିତୀୟ ଜାତୀୟ କର୍ମଶାଳାରେ ଏହି ପୁରସ୍କାର ଦିଆଯାଇଥିଲା। େକନ୍ଦ୍ର ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟର ସଚିବ ଅଜୟ ପ୍ରକାଶଙ୍କ ଠାରୁ ରାଜ୍ୟ ପୂର୍ତ ସଚିବ ନଳିନୀକାନ୍ତ ପ୍ରଧାନ ଏହି ପୁରସ୍କାର ଗ୍ରହଣ କରିଥିଲେ। ପୂର୍ତ ବିଭାଗର ମୁଖ୍ୟଯନ୍ତ୍ରୀ ଆର କେ ଅଗ୍ରଵାଲ ଏହି ଉତ୍ସବରେ ଉପସ୍ଥିତ ଥିଲେ। ୨୦୦୮ ମସିହାରୁ ଦେଶର ଅନ୍ୟତମ ଅଗ୍ରଣୀ ରାଜ୍ୟ ଭାବେ ଓଡିଶା ଇ-ପ୍ରୋକ୍ୟୁରୋମେଣ୍ଟ ବ୍ୟବସ୍ଥା କାର୍ଯ୍ୟକାରୀ କରୁଛି ।
ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି, ପୂର୍ତ ବିଭାଗର ମୁଖ୍ୟଯନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ କାର୍ଯ୍ୟକରୁଥିବା ଇ-ପ୍ରୋକ୍ୟୁରୋମେଣ୍ଟ ସେଲ୍ ର ଉତ୍ସର୍ଗୀକୃତ କାର୍ଯ୍ୟପାଇଁ ଜାତୀୟ ସ୍ତରରେ ଓଡିଶାକୁ ଏଭଳି ସଫଳତା ମିଳିଛି। ଏହି ସେଲରେ ସମସ୍ତ ସରକାରୀ ବିଭାଗ, ରାଷ୍ଟ୍ରାୟତ ସଂସ୍ଥା, ସରକାରୀ ଉଦ୍ୟୋଗ ଓ ପୌରସଂସ୍ଥାର ଅଧିକାରୀ ମାନେ ଅଛନ୍ତି। ବର୍ତ୍ତମାନ ରାଜ୍ୟରେ ୫ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଟେଣ୍ଡର ପାଇଁ ଇ-ପ୍ରୋକ୍ୟୁରମେଣ୍ଟ ବ୍ୟବସ୍ଥା ବାଧ୍ୟତାମୂଳକ ହୋଇଛି। ପୌରସଂସ୍ଥା ଗୁଡିକରେ ଏକ ଲକ୍ଷ ଟଙ୍କାରୁ ଅଧିକ କାମ ମଧ୍ୟ ଏହି ପ୍ରକ୍ରିୟାରେ ହେବାର ନିୟମ ରହିଛି। ୨୦୧୭ ଡିସେମ୍ବରରୁ ଟେଣ୍ଡର ପେପର ବାବଦୀୟ ଅର୍ଥ ଏବଂ ଅମାନତ ଜମା ରାଶି ଅନ ଲାଇନ ମାଧ୍ୟମରେ ଗ୍ରହଣ କରାଯାଉଛି। ୨୦୦୮ ରୁ ୨୦୧୭ ମାର୍ଚ୍ଚ ୩୧ ମଧ୍ୟରେ ୧,୮୯,୨୧୩ ଟି ଟେଣ୍ଡର ଇ-ପୋର୍ଟାଲ ମାଧ୍ୟମରେ ଜାରି ହୋଇଥିବାବେଳେ କେବଳ ଗତ ଆର୍ଥିକ ବର୍ଷରେ ଏହି ସଂଖ୍ୟା ୩୭,୫୩୩ ଥିବା ଜଣାଯାଇଛି।
ଏଠାରେ ଉଲ୍ଲେଖଥାଉକି, କଣ୍ଟ୍ରାକ୍ଟର ଡାଟା ବେସ୍ ମ୍ୟାନେଜମେଣ୍ଟ ସିଷ୍ଟମ ପାଇଁ ଚଳିତବର୍ଷ ପଦକ୍ଷେପ ନିଆଯାଉଛି। ଏହା ମାଧ୍ୟମରେ ରାଜ୍ୟର ସମସ୍ତ ଠିକାଦାରମାନଙ୍କ ସୂଚନା ଗୋଟିଏ ସ୍ଥାନରେ ରହିବ। ଏହି ତଥ୍ୟକୁ ୱାର୍କସ ଆକାଉଣ୍ଟିଙ୍ଗ୍ ମ୍ୟାନେଜମେଣ୍ଟ ସିଷ୍ଟମ (ଡବ୍ଲ୍ୟୁଏଏମ୍ଆଇଏସ୍) ସହିତ ଯୋଡାଯିବ। ଫଳରେ କୌଣସି ଟେଣ୍ଡରର ବୈଷୟିକ ବିଡ୍ ଚୂଡାନ୍ତ ସମୟରେ ଠିକାଦାରମାନଙ୍କ ଯୋଗ୍ୟତା ଓ ଦକ୍ଷତା ସଂକ୍ରାନ୍ତରେ ତତ୍କାଳ ସୂଚନା ମିଳିପାରିବ।