ଜୟପୁର, (ସୁରେଶ କୁମାର ନାଇଡୁ): ପଦ୍ମଶ୍ରୀ ପୁରସ୍କାର ପାଇଥିବା ଆଦିବାସୀ ମହିଳା ତଥା ରାଜ୍ୟ ଯୋଜନା ବୋର୍ଡର ସଦସ୍ୟା କମଳା ପୂଜାରୀ ଆଜି ବଂଚିବା ପାଇଁ ସଂଘର୍ଷ କରୁଛନ୍ତି। ପୁରସ୍କାର ପାଇବା ପୂର୍ବରୁ ପ୍ରଶାସନ, ଜନପ୍ରତିନିଧି ଯେଭଳି ତାଙ୍କ ସୁଖଦୁଃଖ ଓ ଅଭାବ ଅସୁବିଧା ଦୂର କରିବା ପାଇଁ ପ୍ରୟାସ କରୁଥିଲେ ଏବେ ପୁରସ୍କାର ପାଇବା ପରେ ବନ୍ଦ ହୋଇଯାଇଛି ବୋଲି କହିଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ। ଆଜି ‘ସମ୍ବାଦ’ ପକ୍ଷରୁ ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ଥିତିକୁ ପରଖିବା ପାଇଁ ଆମ ପ୍ରତିନିଧି ତାଙ୍କ ନିଜ ଗ୍ରାମ ପାତ୍ରପୁଟକୁ ଯାଇଥିଲେ । ପଦ୍ମଶ୍ରୀ କମଳାଙ୍କ ସହ ଆଲୋଚନା ବେଳେ ଯେଉଁ ପାରମ୍ପରିକ କଳାଜିରା ଧାନ ସଂରକ୍ଷଣକୁ ନେଇ ସେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ ସେହି ଧାନ ତାଙ୍କ ନିକଟରେ ଆଉ ନାହିଁ ବୋଲି କହିଛନ୍ତି। ଏହି ଧାନକୁ ସାଇତି ରଖିବା ପାଇଁ ତାଙ୍କ ନିକଟରେ ସମ୍ବଳ ନାହିଁ କି ତାଙ୍କ ଆର୍ଥିକ ସ୍ଥିତି ବି ଭଲ ନାହିଁ ବୋଲି କହିଛନ୍ତି । ବୟସାଧିକ କାରଣରୁ ଦିନକୁ ଦିନ ତାଙ୍କ ଦେହ ଖରାଫ ହେବା ସହ ଦୁଇଟି ଯାକ ଆଖିକୁ ଭଲ ଭାବେ ଦିଶୁନି। ଦିନ ତମାମ ଆଖିରୁ ପାଣି ଝରୁଛି । ୨ପୁଅ ଧନୁର୍ଯ୍ୟୟ ଓ ଟଙ୍କଧର ଏହି କଳାଜିରା ଧାନକୁ ଚାଷ କରିଲେ କଣ ହେବ, ବିକ୍ରି କରିବାକୁ ବଜାର ନାହିଁ କି ଯେଉଁ ଦରରେ ଏହା ବିକ୍ରି କରାଗଲେ ଆମକୁ କ୍ଷତି ହେବ ନାହିଁ ସେହି ଅନୁଯାୟୀ କିଣିବା ପାଇଁ ଗ୍ରାହକ ନାହାନ୍ତି ବୋଲି କହିଛନ୍ତି। ଏଭଳି ସ୍ଥିତିରେ ବାଧ୍ୟ ହୋଇ ଆମେ ଲଲାଟ ସହ କିଛି ଅଧିକା ଅମଳକ୍ଷମ ହାଇବ୍ରିଡ୍ ଧାନ ଚାଷ କରିବାକୁ ବାଧ୍ୟ ହେଉଛୁ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଶାସନ ବି କଳାଜିରା ଧାନକୁ ସାଇତି ରଖିବାକୁ କିମ୍ବା ଏହି ଧାନ ଚାଷକୁ ପ୍ରତ୍ସାହିତ କରିବା ପାଇଁ ସାମନ୍ୟତମ ଉଦ୍ୟମ ବି କରୁନାହାନ୍ତି ବୋଲି କହିଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ । ବର୍ତ୍ତମାନ ଘରେ ଆଉ କଳାଜିରା ଧାନ ନାହିଁ । ପଦ୍ମଶ୍ରୀ ପୁରସ୍କାର ପାଇବା ପୂର୍ବରୁ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ଜନପ୍ରତିନିଧି, ମନ୍ତ୍ରୀ, ବିଧାୟକ ସବୁ ଆସୁଥିଲେ। ଦୁଃଖ ଅନ୍ତତଃ ବୁଝୁଥିଲେ। ପଦ୍ମଶ୍ରୀ ପୁରସ୍କାର ପାଇବା ପରେ କାହାର ଦେଖା ମିଳୁନି କି ମୁହଁ କାନ ଦିଶୁନି ବୋଲି କହିଛନ୍ତି କମଳା। ପଦ୍ମଶ୍ରୀ ପାଇବା ପରେ ମୋର ଓ ମୋ ପରିବାରର ଦୁଃଖ ଦୂର ହେବ ବୋଲି ଚିନ୍ତା କରିଥିଲି। କିନ୍ତୁ ଦୁଃଖ ଦୂର ହେବା ବଦଳରେ ବଢ଼ିଛି। ଲୋକେ ବିଭିନ୍ନ କାର୍ଯ୍ୟକ୍ରମରେ ଡାକୁଛନ୍ତି ଏବଂ ସମ୍ବର୍ଦ୍ଧିତ ବି କରୁଛନ୍ତି । ମୋ ସହ ଫଟୋ ଉଠାଉଛନ୍ତି। କିନ୍ତୁ ମୋ ପେଟର ଦୁଃଖକୁ କେହି ବୁଝି ପାରୁନାହାନ୍ତି। ସମ୍ବର୍ଦ୍ଧନାରେ ଦେଉଥିବା ପ୍ରତିମୂର୍ତ୍ତି, ଉପଢ଼ୈକନ ମୋ ପେଟର ଭୋକକୁ ବୁଝିବ କି ବୋଲି ପ୍ରଶ୍ନ କରିଛନ୍ତି କମଳା। ମୋର ଦୁଇ ପୁଅ କୁଲି ମଜୁରୀ କରି ଅଳ୍ପ ଜମିରେ ଚାଷ କରି ଆସୁଛନ୍ତି। ଏହି ବର୍ଷ ଚାଷ ପାଇଁ ଭଲ ବର୍ଷା ହେଲେ ତଳି ପକାଇବେ। ଆଉ କଳାଜିରା ଧାନର ଚାଷ କରିବେନି ବୋଲି କହିଛନ୍ତି କମଳା। ଏବେ ବଂଚିବା ପାଇଁ ଆମ୍ବ ସଡା ପ୍ରସ୍ତୁତ କରି ବଜାରରେ ବିକ୍ରି କରୁଥିବା କହିଛନ୍ତି କମଳା।
କିଛି ସଂସ୍ଥା ଓ ବ୍ୟକ୍ତିଙ୍କ ନା ନେଇ ତାଙ୍କରି ନାମରେ ଆସିଥିବା ଆର୍ଥିକ ସହାୟତାକୁ ହଡପ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଧର୍ମ ଓ ନ୍ୟାୟ ଅଛି ସେମାନଙ୍କୁ ଭଗବାନ ହିଁ ଶାସ୍ତି ଦେବେ ବୋଲି କହିଛନ୍ତି ପଦ୍ମଶ୍ରୀ କମଳା। ପୁରସ୍କାର ପାଇବା ପୂର୍ବରୁ ତାଙ୍କର ଯେଭଳି ଅବସ୍ଥା ରହିଥିଲା ଆଜି ବି ସେଭଳି ରହିଛି। ଗତ ତିନି ମାସ ହେବ ଭତ୍ତା ୫୦୦ରୁ ୭୦୦ଟଙ୍କା ପାଉଛି ବୋଲି କହିଛନ୍ତି। ଯେଉଁ କଳାଜିରା ଧାନକୁ ନେଇ ପଦ୍ମଶ୍ରୀ କମଳା ଓଡିଶା ସମେତ କୋରାପୁଟ ଜିଲ୍ଲାକୁ ବିଶ୍ବସ୍ତରରେ ଖ୍ୟାତି ଆଣିଥିଲେ ଆଜି ସେ ଅଲୋଡା ହୋଇପଡିଛନ୍ତି । ପଦ୍ମଶ୍ରୀ କମଳାଙ୍କ ଏଭଳି ଅବସ୍ଥାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ତଥା ରାଜ୍ୟ ଯୋଜନା ବୋର୍ଡ ସଦସ୍ୟାଙ୍କର ଅବସ୍ଥା ଯଦି ଏଭଳି ତେବେ ସାଧାରଣ ଚାଷୀଙ୍କ ଅବସ୍ଥା କିଭଳି ଥିବ ତାହା ସହଜେ ଅନୁମେୟ।