ବ୍ରହ୍ମଗିରି : ଶ୍ରୀ ଅଲାରନାଥଙ୍କ ଅଣସର ଦର୍ଶନ ପାଇଁ ପ୍ରଶାସନ ପୂରା ପ୍ରସ୍ତୁତି କରିଥିବା ଦାବି କରିଥିଲା। ଶ୍ରଦ୍ଧାଳୁଙ୍କ ଶାନ୍ତିଶୃଙ୍ଖଳାର ଦର୍ଶନଠାରୁ ଆରମ୍ଭ କରି ଫନି ବିଧ୍ବସ୍ତ ଭିତ୍ତିଭୂମି ମରାମତି ଥିଲା। କିନ୍ତୁ ଆଜି ମୌସୁମୀର ପହିଲି ବର୍ଷା ପ୍ରଶାସନର ପ୍ରସ୍ତୁତିରେ ଥିବା ଛିଦ୍ରକୁ ପଦାରେ ପକାଇଦେଇଛି। ପରିସ୍ଥିତି ଏଭଳି ହୋଇଥିଲା ଯେ ଭକ୍ତ ଆଣ୍ଠୁଏ ପାଣିରେ ପଶି ଧାଡ଼ିରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ଦ୍ବିପ୍ରହରରୁ ବ୍ରହ୍ମଗିରିରେ ପ୍ରବଳ ବର୍ଷା ହୋଇଥିଲା। ଅପରାହ୍ନ ବେଳକୁ ଶ୍ରୀଜିଉଙ୍କ ମନ୍ଦିର ପରିସରରେ ଆଣ୍ଠୁଏ ପାଣି ଜମି ରହିଥିଲା। ଗୋଟିଏ ମାତ୍ର ପମ୍ପ ବର୍ଷା ପାଣିକୁ ନିଷ୍କାସନ କରି ପାରୁ ନ ଥାଏ। ପୂରା ମନ୍ଦିର ପରିସରରେ ପାଣି ଜମି ରହିଥିଲା। ଫଳରେ ଦର୍ଶନ ପାଇଁ ଆସିଥିବା ଶ୍ରଦ୍ଧାଳୁ ନାକେଦମ ହେଉଥିଲେ। ମନ୍ଦିର ପରିସରଠାରୁ ଆରମ୍ଭ କରି ସିଂହଦ୍ବାରରେ ପାଣି ଜମି ରହିଥିଲା। ଏହା ସହିତ ଆନନ୍ଦ ବଜାରରେ ମଧ୍ୟ ବର୍ଷା ଶ୍ରଦ୍ଧାଳୁଙ୍କୁ ନାକେଦମ କରିଥିଲା। ମନ୍ଦିର ଫାଟି ଯାଇଥିବାରୁ ରତ୍ନ ସିଂହାସନ ପାଖରେ ପାଣି ଗଳୁଥିଲା। ଶ୍ରୀଜୀଉଙ୍କ ମନ୍ଦିରକୁ ଯିବା ରାସ୍ତାରେ ପାଣି ଜମିଥିଲା। ବ୍ରହ୍ମଗିରି ବଜାରରେ ମଧ୍ୟ ଆଣ୍ଠୁଏ ପାଣି ଜମି ରହିଥିଲା।