ଚୌଦ୍ବାର ଜେଲ୍ରେ କଏଦୀଙ୍କୁ ହତ୍ୟା : ୨ ଵାର୍ଡରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ୩ରେ ମୁକୁଳିଥା’ନ୍ତେ ନିହତ କଏଦୀ, ଆଜି ପଚରାଉଚରା କରିବ ପୁଲିସ୍
ସବୁ ଜେଲ୍କୁ ଜାରି ହେଲା ନିର୍ଦେଶାବଳୀ
କଟକ/ଚୌଦ୍ବାର : ଚୌଦ୍ବାର ସର୍କଲ ଜେଲ୍ରେ ସ˚ଘର୍ଷ ଘଟି ଜଣେ ଦୋଷୀ ସାବ୍ୟସ୍ତ କଏଦୀଙ୍କ ମୃତ୍ୟୁ ହୋଇଛି। ଆଜୀବନ ସଜା କାଟୁଥିବା ଜଣେ କଏଦୀ ଅନ୍ୟ ଜଣେ କଏଦୀଙ୍କୁ ଫାଉଡ଼ାରେ ହାଣି ହତ୍ୟା କରିଛି। ଜେଲ୍ ପରିସରରେ ଥିବା ବଗିଚାରେ ଉଭୟ କଏଦୀ କାମ କରୁଥିବା ବେଳେ ଏଭଳି ଘଟଣା ଘଟିଛି। ମୃତ କଏଦୀ ଜଣକ ବିଡାନାସୀ ଥାନା ତୁଳସୀପୁର ମଠସାହିର ରମେଶ ଚନ୍ଦ୍ର ପ୍ରଧାନ(୫୫)।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁଯାୟୀ, ତୁଳସୀପୁର ମଠସାହିର ଉଦୟନାଥ ପ୍ରଧାନଙ୍କ ବଡ଼ ପୁଅ ରମେଶ ଚନ୍ଦ୍ର ପ୍ରଧାନ ଏକ ଘରୋଇ କମ୍ପାନିରେ କାମ କରୁଥିଲେ। ୨୦୧୧ ମସିହାରେ ତାଙ୍କ ସ୍ତ୍ରୀ ସହିତ ପାରିବାରିକ ବିବାଦକୁ ନେଇ କଳି ଲାଗିଥିଲା। ସେ ଉତ୍କ୍ଷିପ୍ତ ହୋଇ ସ୍ତ୍ରୀକୁ ଠେଲି ଦେବାରୁ ପାଖରେ ପଡ଼ିଥିବା ଏକ କାଠ ଫାଳିଆ ତାଙ୍କ ସ୍ତ୍ରୀଙ୍କ ପେଟରେ ପଶିଯାଇଥିଲା। ଏଥିରେ ତାଙ୍କ ମୃତ୍ୟୁ ହେବାରୁ ହତ୍ୟା ଅଭିଯୋଗରେ (କେସ୍ ନ˚ ୩୦୫/୨୦୧୧) ରମେଶ କୋର୍ଟଚାଲାଣ ହୋଇଥିଲେ। ପରେ ତାଙ୍କୁ କୋର୍ଟ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ସଜା ଶୁଣାଇଥିଲା। ରମେଶ ଆସନ୍ତା ଜୁଲାଇ ୩ ତାରିଖରେ ଜେଲ୍ରୁ ଖଲାସ ହୋଇଥାନ୍ତେ। ଆଜି ସେ ଜେଲ୍ ପରିସରରେ ଥିବା ବଗିଚାରେ ସକାଳ ପ୍ରାୟ ୯ଟା ବେଳେ କାମ କରୁଥିବା ବେଳେ ଆଜୀବନ କଏଦୀ ଭାବେ ସଜା କାଟୁଥିବା ଜଗତସି˚ହପୁର ବିରିଡ଼ି ଥାନା ସଢେ଼ଇକଳାର ଜଳଧର ସାମଲଙ୍କ ସହିତ ବଚସା ହୋଇଥିଲା। ଜଳଧର ହଠାତ୍ ରାଗି ଯାଇ ରମେଶଙ୍କୁ ଫାଉଡ଼ାରେ ଚୋଟ ମାରିଥିଲା। ଆକ୍ରମଣରେ ରମେଶଙ୍କ ବାମ ପଟ ଆଖି, ହାତ, ବେକରେ ଗଭୀର ଆଘାତ ଲାଗିଥିଲା। ରମେଶ ବଗିଚାରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡ଼ିଯାଇଥିଲେ। ପରେ ତାଙ୍କୁ ଜେଲ୍ କର୍ତ୍ତୃପକ୍ଷ ଉଦ୍ଧାର କରି କଟକ ବଡ଼ ମେଡିକାଲ୍ରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପୁଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।
ବଡ଼ ମେଡିକାଲ ଆସିଥିବା ତାଙ୍କ ମା’ ଉତ୍ତମା ପ୍ରଧାନ କହିଛନ୍ତି ଯେ ଗତ ଚାରି ଦିନ ତଳେ ସେ ତାଙ୍କ ସାନ ପୁଅ ରବୀନ୍ଦ୍ର ସହିତ ଚୌଦ୍ବାର ଜେଲ୍କୁ ଯାଇଥିଲେ। ଜୁଲାଇ ୩ ତାରିଖରେ ଜେଲ୍ରୁ ରମେଶ ମୁକୁଳିବାକୁ ଥିବାରୁ ସେ ବହୁତ ଖୁସି ଥିଲା। ଜେଲ୍ରେ ନିର୍ଯାତନା ଦିଆଯାଉଥିବା କଥା ମଧ୍ୟ ରମେଶ ତାଙ୍କ ମା’ଙ୍କୁ କହିଥିବା ଉତ୍ତମା କହିଛନ୍ତି। ଯୋଜନାବଦ୍ଧ ଭାବେ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ଉତ୍ତମା।
ଚୌଦ୍ବାର ସର୍କଲ ଜେଲ୍ ବରିଷ୍ଠ ଅଧୀକ୍ଷକ ରବୀନ୍ଦ୍ରନାଥ ସ୍ବାଇଁ କହିଛନ୍ତି ଯେ, କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଜେଲ୍ରେ ଥିବା ଵାର୍ଡର୍ ବାସୁଦେବ ବାସ୍କେଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବା ବେଳେ ରମାକାନ୍ତ ମହାନ୍ତିଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବାସୁଦେବ ଜେଲ୍ର ଟେଲିଫୋନ୍ ସେବା ଏବ˚ ବଗିଚା ଦାୟିତ୍ବରେ ଥିଲେ।
ଶ୍ରୀ ସ୍ବାଇଁ ଚୌଦ୍ବାର ଜେଲ୍ରେ ଜଳଧରଙ୍କ ବିରୋଧରେ ମଧ୍ୟ ଏତଲା ଦେଇଛନ୍ତି। ପୁଲିସ ଦଫା ୩୦୨ରେ ଏକ ହତ୍ୟା ମାମଲା(କେସ୍ ନ˚ ୧୯୨) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଆସନ୍ତାକାଲି ପୁଲିସ ଜେଲ୍ ପରିସରରେ ଲାଗିଥିବା ସିସି କ୍ୟାମେରା ଫୁଟେଜ ଯାଞ୍ଚ କରିବ। ଡିସିପି ଅଖିଳେଶ୍ବର ସି˚ହ କହିଛନ୍ତି, ଏଥିରେ କୌଣସି ଗ୍ୟାଙ୍ଗଵାର ନଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଉଭୟଙ୍କ ବିରୋଧରେ ନିର୍ଦ୍ଦିଷ୍ଟ ମାମଲା ବ୍ୟତୀତ ସେମାନଙ୍କର ସେଭଳି କୌଣସି ଲମ୍ବା ଅପରାଧ ରେକର୍ଡ ନଥିଲା। ବ୍ୟକ୍ତିଗତ ଶତ୍ରୁତାକୁ ନେଇ ଏଭଳି ଘଟଣା ଘଟିଛି।
ସବୁ ଜେଲ୍କୁ ଜାରି ହେଲା ନିର୍ଦେଶାବଳୀ
ଭୁବନେଶ୍ୱର : ଚୌଦ୍ବାର ଜେଲ୍ରେ କଏଦୀ ହତ୍ୟା ମାମଲାର ଉଚ୍ଚସ୍ତରୀୟ ତଦନ୍ତ ହେବ। କର୍ତ୍ତବ୍ୟରେ ଅବହେଳା କରିଥିବା କାର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିପରି ଅନ୍ୟ ସମସ୍ତ ଜେଲ୍ରେ ଯେଭଳି ଏପରି ଅଘଟଣ ନ ଘଟେ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ। ଏସ୍ଓପି(ମାନକ ସଞ୍ଚାଳନ ପ୍ରକ୍ରିୟା) ଯେଭଳି କଡ଼ାକଡ଼ି ଭାବେ ପାଳନ କରାଯିବ ସେଥିପାଇଁ ସମସ୍ତ ଜେଲ୍କୁ ନିର୍ଦେଶାବଳୀ ଜାରି କରାଯିବ ବୋଲି କହିଛନ୍ତି ଏଡିଜି(ପ୍ରିଜନ୍) ମହେନ୍ଦ୍ର ପ୍ରତାପ। ଅଭିଯୁକ୍ତ କଏଦୀ ଜଳଧର ସାମଲ ମାନସିକସ୍ତରରେ ଦୁର୍ବଳ ଥିବାରୁ ତାର ଚିକିତ୍ସା କରାଯାଉଥିଲା। ଏଭଳି ସ୍ଥିତିରେ ତା’ ହାତରେ କୋଦାଳ ଦେବା ଓ ତାକୁ ନ ଜଗିବା ଅଘଟଣକୁ ଆମନ୍ତ୍ରଣ କରିବା ସଙ୍ଗେ ସମାନ। ବିଭିନ୍ନ ସମୟରେ ଅଘଟଣ ଘଟୁଥିବାରୁ ଏହାକୁ କିଭଳି ସମ୍ପୂର୍ଣ୍ଣ ବନ୍ଦ କରାଯାଇ ପାରିବ ସେ ନେଇ ଚିନ୍ତା କରାଯାଉଛି ବୋଲି ଶ୍ରୀ ପ୍ରତାପ କହିଛନ୍ତି।