ଶ୍ରୀମନ୍ଦିରକୁ ନେଇ ବହୁ ଲୋକକଥା ରହିଛି। କାଳକ୍ରମେ ଏହି ଲୋକକଥାକୁ ଲୋକେ ସତ ବୋଲି ଭାବି ନେଇଛନ୍ତି। ତେବେ ସାଧାରଣରେ ପ୍ରଚଳିତ ଅନେକ କଥାର ବାସ୍ତବତା କିନ୍ତୁ ଭିନ୍ନ। ଲୋକକଥା ମୁତାବକ, ରୋଷ ଘରେ ହାଣ୍ଡି କୁଡୁଆ ଉପରେ ହାଣ୍ଡି ରଖାଯାଇ ମହାପ୍ରସାଦ ପ୍ରସ୍ତୁତ କରାଯାଏ। ପ୍ରଥମେ ଉପର ହାଣ୍ଡି ସିଝିଥାଏ, ଶେଷରେ ତଳହାଣ୍ଡି ସିଝେ। ହେଲେ ଏହା ଲୋକଙ୍କର ଭ୍ରାନ୍ତ ଧାରଣା ବୋଲି କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡି ଓ ସୁଆର ମହାସୁଆର ନିଯୋଗର ସଂପାଦକ କୃଷ୍ଣଚନ୍ଦ୍ର ସାମନ୍ତରା।
Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରୀମନ୍ଦିର ରୋଷଶାଳା ପାକବିଧି ସମ୍ପର୍କରେ ସୂଚନା ଦେବାକୁ ଯାଇ ଏହି ଦୁଇ ବରିଷ୍ଠ ସେବକ କହିଛନ୍ତି, ମହାପ୍ରଭୁଙ୍କ ରୋଷଘରେ ସ୍ବତନ୍ତ୍ର ଶୈଳୀରେ ମହାପ୍ରସାଦ ପ୍ରସ୍ତୁତ କରାଯାଏ। ଏଥି ପାଇଁ ରହିଛି ଅନେକ କଟକଣା। ତେବେ ହାଣ୍ଡି ଉପରେ ହାଣ୍ଡି ବସେ ନାହିଁ। କେବଳ ଝିଙ୍କାରେ ଏକାଧିକ ହାଣ୍ଡି ବସିପାରିବ। ସବୁ ହାଣ୍ଡିକୁ ଜାଳ ବାଜିଥାଏ । ମହାପ୍ରଭୁଙ୍କ ପ୍ରସାଦକୁ ସୁଆର ମହାସୁଆରମାନେ ସ୍ବତନ୍ତ୍ର ଶୈଳୀରେ ପ୍ରସ୍ତୁତ କରିଥାନ୍ତି। ଶ୍ରୀମନ୍ଦିର ରୋଷ ଶାଳାରେ ୨୪୦-୨୪୨ ଚୁଲା ରହିଛି। ପ୍ରତି ଚୁଲାରେ ୬ଟି ଲେଖା ଝିଙ୍କା ରହିଛି। ରୋଷଘର ବେଢା ଭିତରେ ଥିବା ଗଙ୍ଗା ଯମୁନା କୂଅରୁ ପାଣି ଅଣାଯାଇ ମହାପ୍ରସାଦ ରୋଷେଇ କରାଯାଇଥାଏ।
ରୋଷେଇ ବେଳେ କେହି ପାନ କିମ୍ବା କୌଣସି ଦ୍ରବ୍ୟ ସେବନ କରିବେ ନାହିଁ, ଗୀତ ଗାଇବେ ନାହିଁ, କଳହ ବିବାଦ କରିବେ ନାହିଁ, କାନ୍ଦିବେ ନାହିଁ, ଗାଳିଗୁଲଜ କରିବେ ନାହିଁ ଏଭଳି ଅନେକ ନୀତିନିୟମ ସୁଆର ମହାସୁଆରମାନେ ଅନୁସୃତ କରିଥାନ୍ତି।
ରୋଷେଇ ହେଉଥିବା ହାଣ୍ଡିର ବି ଅଲଗା ଅଲଗା ନାମ ରହିଛି। ଯେମିତିକି ବାଇ ହାଣ୍ଡି, ସମାଧି ହାଣ୍ଡି, ଦାଶିଆ ହାଣ୍ଡି, ଏମାର ହାଣ୍ଡି, ବଡମଠ ଓ ସାନମଠ ହାଣ୍ଡି। ଏହି ହାଣ୍ଡିଗୁଡ଼ିକରେ ୧୦ କିଲୋରୁ ୧ କିଲୋ ୫୦୦ ଗ୍ରାମ ପର୍ଯ୍ୟନ୍ତ ଚାଉଳ ରୋଷେଇ କରାଯାଇପାରେ।
ରୋଷଶାଳକୁ ପଶେ ନାହିଁ ଏହିସବୁ ପରିବା: କେବଳ ଦେଶୀ ଓ ସାତ୍ତ୍ବିକ ପରିବା ରୋଷଶାଳକୁ ଯାଇଥାଏ । ଏହି ସବୁ ପରିବା ଯଥା ବିଲାତି ଆଳୁ, ବିଲାତି, ବାଇଗଣ, ସଜନା ଛୁଇଁ, ଲାଉ, ଅମୃତଭଣ୍ଡା, ଭେଣ୍ଡି, ଝୁଡଙ୍ଗ ଛୁଇଁ, ପୋଇ, ଫୁଲକୋବି, ପତ୍ର କୋବି, ବିନ, ବିଟ୍, ଗାଜର, ଶୁଖିଲା ଲଙ୍କା, କଞ୍ଚାଲଙ୍କା, ପିଆଜ ଓ ରସୁଣ ରୋଷଶାଳାକୁ ସମ୍ପୂର୍ଣ୍ଣ ମନା। ସେହିଭଳି କଳାଜିରା, ଲଙ୍କାଗୁଣ୍ଡ, କାଜୁ, ଗୁଜୁରାତି ଇତ୍ୟାଦି ମହାପ୍ରସାଦରେ ବ୍ୟବହାର କରାଯାଏନାହଁ। କୋଶଳା ଓ ଲେଉଟିଆ ଅଗସ୍ତି ଶାଗ ବ୍ୟତୀତ ଅନ୍ୟ ଶାଗ ମଧ୍ୟ ବାରଣ ରହିଛି। ତେଲ ବ୍ୟବହାର ବି ମନା। କେବଳ ଶୁଦ୍ଧ ଘିଅରେ ପ୍ରସ୍ତୁତ ହୋଇଥାଏ ମହାପ୍ରସାଦ।
ଦୁଇ ପ୍ରକାର ଭୋଗ ଶଙ୍କୁଡି ଓ ନିଶଙ୍କୁଡି ଭୋଗ ହୋଇଥାଏ। ଶଙ୍କୁଡି ଭୋଗରେ ସାଦା ଅବଢା ଅନ୍ନ, ଘିଅ ଅନ୍ନ, ଖେଚୁଡି, କାନିକା, ଅନ୍ନ ରସାବଳୀ, ଡାଲି, ଡାଲମା, ବେସର, ମହୁର, ଶାଗ, ଖଟା ଆଦି ରହିଥିବା ବେଳେ ନିଶଙ୍କୁଡି ଭୋଗ ମଧ୍ୟରେ ଖଜା, ଗଜା, କାକରା, ଆରିସା, ଲଡୁ, ଚକୁଳି, ପୁଳି, ନାଡି, ବଡି, ତିପୁରି ମାଠପୁଳି, ଚଢେଇ ନଦା, ମନୋହର, ଝିଲି, ଅମାଲୁ ଆଦି ରହିଛି।