ଦିନମଜୁରିଆରୁ ସାଂସଦ ପ୍ରାର୍ଥୀ: ୨୦ ହଜାର ଟଙ୍କାରେ ଲଢ଼ୁଛନ୍ତି ନିର୍ବାଚନ

ଘରକୁ ଘର ବୁଲି ଟଙ୍କାଏ ଲେଖାଏଁ ସଂଗ୍ରହ କରିଛନ୍ତି, ଏସ୍‌ୟୁସିଆଇର ପ୍ରାର୍ଥୀ ହୋଇଛନ୍ତି ପ୍ରମିଳା ପୂଜାରୀ

ବୈପାରିଗୁଡ଼ା: ବୃତ୍ତିରେ ଦିନମଜୁରିଆ। ସଞ୍ଚିତ ସମ୍ପତ୍ତି କହିଲେ ମାତ୍ର ୨୦ ହଜାର ଟଙ୍କା। ଷ୍ଟେଟ୍‌ ବ୍ୟାଙ୍କରେ ୨୦ ହଜାର ୧୨୫, ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କରେ ଅଛି ୧୧୨୫ ଟଙ୍କା। ଟଙ୍କା ନଥାଇ ଲୋକଙ୍କ ସେବା କରିବାକୁ ମନ ବଳାଇ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ପ୍ରମିଳା ପୂଜାରୀ। ଏସ୍‌ୟୁସିଆଇ (କମ୍ୟୁନିଷ୍ଟ ପାର୍ଟି)ରୁ କୋରାପୁଟ ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ହୋଇଛନ୍ତି। ବର୍ତ୍ତମାନର ବ୍ୟୟ ବହୁଳ ନିର୍ବାଚନ ମଧ୍ୟରେ ମାତ୍ର ୨୦ ହଜାର ଟଙ୍କାରେ ନିର୍ବାଚନ ଲଢ଼ିବାକୁ ସାହସ ଜୁଟାଇ ଚର୍ଚ୍ଚାକୁ ଆସିଛନ୍ତି କୋରାପୁଟିଆ ଝିଅ ପ୍ରମିଳା। ପ୍ରାର୍ଥିପତ୍ର ଦାଖଲ ସମୟରେ ପ୍ରମିଳା ଘରକୁ ଘର ବୁଲି ଟଙ୍କାଏ ଲେଖାଏଁ ସଂଗ୍ରହ କରି ପ୍ରାର୍ଥିପତ୍ର ଦାଖଲ ସମୟର ଖର୍ଚ୍ଚ ତୁଲାଇଛନ୍ତି। ଲୋକଙ୍କ ସେବା କରିବା ଲକ୍ଷ୍ୟ ନେଇ ନିର୍ବାଚନ ଲଢ଼ୁଥିବା କହିଛନ୍ତି ପ୍ରମିଳା। ପୂର୍ବରୁ ଦିନମଜୁରିଆ ଭାବେ କାମ କରି ଦୈନିକ ଗୁଜୁରାଣ ମେଣ୍ଟାଉଥିଲେ। ବାପା ଓ ମାଆଙ୍କୁ ନେଇ ତାଙ୍କ ପରିବାର। ୨୦୧୬ ମସିହାରୁ ଏଆଇଡିଏସ୍‌ଓ ଛାତ୍ର ସଂଗଠନ ସହିତ ଜଡ଼ିତ।

ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଗ୍ରାମାଞ୍ଚଳକୁ ବିକାଶ ଅପହଞ୍ଚ ପାଲଟିଥିବାରୁ ସେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା କହିଛନ୍ତି । ବୈପାରିଗୁଡ଼ା ବ୍ଲକ୍ ଶ୍ରମିକ ସଂଘ ସଭାପତି ତଥା ଏସ୍‌ୟୁସିଆଇ ବ୍ଲକ୍ ସମ୍ପାଦକ ସୂର୍ଯ୍ୟ ବିଷୋୟୀଙ୍କ ପରାମର୍ଶରେ ପ୍ରମିଳା ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ପ୍ରାର୍ଥିପତ୍ର ଦାଖଲ କରିବା ପରେ ସେ ପ୍ରଚାର ଆରମ୍ଭ କରିଛନ୍ତି। ଗ୍ରାମାଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ମହିଳାଙ୍କ ବିକାଶ ପାଇଁ ଲଢ଼େଇ ଜାରି ରହିବ ବୋଲି ପ୍ରମିଳା କହିଛନ୍ତି। ଚାଳ ଛପର ଘରେ ରହୁଥିବା ତାଙ୍କ ପରିବାର ଆବାସ ଯୋଜନାରେ ସାମିଲ ହୋଇପାରିନାହାନ୍ତି। ବହୁବାର ଆବେଦନ କରି ନିରାଶ ହେବା ପରେ ‌ଶେଷରେ ହକ୍ ପାଇବା ପାଇଁ ସ୍ବର ଉତ୍ତୋଳନ କରିବାକୁ ଅଣ୍ଟା ଭିଡ଼ିଛନ୍ତି।

ସମ୍ବନ୍ଧିତ ଖବର