ପ୍ରଚାର ବେଳେ ସୁନ୍ଦରଗଡ଼ ବିଧାୟିକା ହଟହଟା: ଭୋଟରଙ୍କ ବିକାଶ ପ୍ରଶ୍ନରେ ଚିଡ଼ିଗଲେ

ସୁନ୍ଦରଗଡ଼: ପ୍ରଚାରବେଳେ ହଟହଟା ହୋଇଛନ୍ତି ସୁନ୍ଦରଗଡ଼ ବିଜେପି ବିଧାନସଭା କ୍ଷେତ୍ର ପ୍ରାର୍ଥୀ କୁସୁମ ଟେଟେ। ଭାଷଣ ଦେବାବେଳେ ତାଙ୍କୁ ବିକାଶ କଥା ପଚାରିଥିଲେ ଜଣେ ଯୁବ ଭୋଟର। କୁସୁମ ଉତ୍‌କ୍ଷିପ୍ତ ହୋଇ ତାଙ୍କ ଉପରେ ଭୀଷଣ ବର୍ଷିଥିଲେ। ଟାଙ୍ଗରପାଲି ବ୍ଲକ୍‌ ସାନପତ୍ରାପାଲି ପ୍ରଚାର ମଇଦାନରୁ ଆସିଥିବା ଏ ଦୃଶ୍ୟର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଘୂରିବୁଲୁଛି। ଯାହା ଚର୍ଚ୍ଚାର ବିଷୟ ହୋଇଛି। ଶନିବାର ସନ୍ଧ୍ୟାରେ ବିଧାୟିକା କୁସୁମ ସାନପତ୍ରାପାଲିକୁ ପ୍ରଚାରରେ ଯାଇଥିଲେ। ସେଠାରେ ଏକ କୀର୍ତ୍ତନମଣ୍ଡପ ସମ୍ମୁଖରେ ଆୟୋଜିତ ନିର୍ବାଚନୀସଭାରେ ନିଜ କାର୍ଯ୍ୟକାଳର ବିକାଶଚିଠା ରଖିବା ସହ ଭୋଟ୍‌ଭିକ୍ଷା କରିଥିଲେ। ଏହି ସମୟରେ ହଠାତ୍‌ ଜଣେ ଯୁବଭୋଟର ସାମ୍ନାକୁ ଚାଲିଆସି ବିକାଶ ପ୍ରଶ୍ନ ପଚାରିଥିଲେ। ‘ଆମ ଗାଁ ପାଇଁ ୫ ବର୍ଷରେ କି ବିକାଶ କରିଛନ୍ତି’ ବୋଲି ପ୍ରଶ୍ନ କରିଥିଲେ। ଉତ୍ତରରେ ଶ୍ରୀମତୀ ଟେଟେ ପଛପଟର ନବନିର୍ମିତ କୀର୍ତ୍ତନ ମଣ୍ଡପକୁ ଦେଖାଇଥିଲେ।

କଲ୍ୟାଣମଣ୍ଡପ, ରାସ୍ତାଘାଟ କରିଥିବା କହିଥିଲେ। କିନ୍ତୁ ଯୁବକ ବିଧାୟିକାଙ୍କ ଉତ୍ତରରେ ସନ୍ତୁଷ୍ଟ ହୋଇନଥିଲେ। ‘ଦୀପତଳ ଅନ୍ଧାର ଭଳି ବିଦ୍ୟୁତ୍‌ସଂଯୋଗ କାହିଁକି ହୋଇନାହିଁ’ ବୋଲି ପଚାରିଥିଲେ। ଏହା ପରେ ରାଗି ଯାଇଥିଲେ କୁସୁମ। ବଡ଼ବଡ଼ କଥା କହୁଛ ବୋଲି କହି ଯୁବକଙ୍କ ଉପରେ ଭୀଷଣ ବର୍ଷିଥିଲେ। ଏହି ସମୟର ଚଳମାନ ଦୃଶ୍ୟକୁ କେହି ଜଣେ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ଛାଡ଼ିଦେବା ପରେ ଘଟଣା ସାମ୍ନାକୁ ଆସିଛି। ସେହିପରି ପାତକିଯୋରରେ ମଧ୍ୟ କୁସୁମଙ୍କୁ ପ୍ରଶ୍ନ କରିଥିଲେ ଜଣେ ଯୁବକ। ୨୦୧୯ରେ ପାତକିଯୋରରେ ଷ୍ଟାଡିୟମ୍‌ ନିର୍ମାଣ ପାଇଁ କୁସୁମ ନଡ଼ିଆ ଫଟାଇ ଶୁଭ ଦେଇଥିଲେ। ହେଲେ ୨୦୨୪ ପହଞ୍ଚିଲା ପରେ ବି ତାହା କାହିଁକି ନିର୍ମାଣ ହୋଇପାରିନାହିଁ, ରାସ୍ତା ନଥିବାରୁ ଗାଁର ଏକ ପଡ଼ାକୁ ଆମ୍ବୁଲାନ୍ସ ଯାଇପାରୁ ନ ଥିବାବେଳେ ଗାଁରେ କଲ୍ୟାଣମଣ୍ଡପ କି ଗୋଷ୍ଠୀକେନ୍ଦ୍ର କେବେହେବ ବୋଲି ପ୍ରଶ୍ନ କରିଥିଲେ। ଏହା ସହ ଯିଏ ଏସବୁ କାମ କରିବ ଗାଁର ୪୩୭ ଭୋଟ ତାଙ୍କୁ ଦିଆଯିବାକୁ ନିଷ୍ପତ୍ତି ହୋଇଥିବା ଯୁବକ ଶୁଣାଇ ଦେଇଥିଲେ। ସେଠାରେ କୁସୁମ ନରମରେ ଉତ୍ତର ରଖିଥିଲେ। ଏ ଦୃଶ୍ୟ ସାମ୍ନାକୁ ଆସିବା ପରେ ସଚେତନ ନାଗରିକ ମହଲରେ ଏକ ଭିନ୍ନଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ସମ୍ବନ୍ଧିତ ଖବର