ମାଣିଆବନ୍ଧ: ରଙ୍ଗୀନ ଶାଢ଼ୀର ଗାଁ ଇଏ | ତନ୍ତରେ ଯେଉଁଠି ବୁଣାକାର ଶାଢ଼ୀ ବୁଣେ, ସେହିଠାରୁ ଏବେ ଜଣେ ମେଧାବୀ ଯୁବକ ନିଜ ଉଦ୍ୟମରେ ଆମେରିକାରେ ପୁରସ୍କୃତ ହୋଇଛନ୍ତି | ଲକ୍ଷ୍ୟ ହାସଲ ପାଇଁ ଲୋଡ଼ା ଦୃଢ଼ ମନୋବଳ । ଭରପୁର ଆତ୍ମବିଶ୍ୱାସ ଓ ଇଚ୍ଛାଶକ୍ତି ଥିଲେ ମଣିଷ ପାଇଁ ସବୁ ସମ୍ଭବ । ଏକଥା ପ୍ରମାଣିତ କରିଛନ୍ତି ଆଠଗଡ଼ ମାଣିଆବନ୍ଧ ଗାଁର ଦୀପକ କୁମାର । ସାଧାରଣ ବୁଣାକାର ପରିବାରରୁ ଆମେରିକାର ନାସା ପକ୍ଷରୁ ଯୁବ ବୈଜ୍ଞାନିକ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଓଡ଼ିଆ ପୁଅ ଦୀପକ । ୨୦୦୫ ମସିହାରୁ ନାସା ପକ୍ଷରୁ ପ୍ରତିଭାବାନ ଯୁବ ବୈଜ୍ଞାନିକ ମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଉଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସବୁଠାରୁ ବଡ଼ କଥା ହେଲା ପ୍ରଥମ ଭାରତୀୟ ଭାବେ ଦୀପକ ଏହି ସମ୍ମାନ ହକଦାର ହୋଇ ସାରା ଦେଶ ପାଇଁ ଗର୍ବ ଓ ଗୌରବ ଆଣିଦେଇଛନ୍ତି । କଟକ ଆଠଗଡ଼ ନୂଆପାଟଣା ମାଣିଆବନ୍ଧ ଗାଁର ଦୀପକ କୁମାର କରଣ । ବାପା ନୀଳମଣୀ କରଣ ଓ ମାତା ସୁମନା କରଣଙ୍କର ଏକମାତ୍ର ପୁଅ ଦୀପକ । କଟକର ଜଗନ୍ନାଥ ସୂତାକଳରେ ଜଣେ ସାଧାରଣ ଶ୍ରମିକ ଭାବରେ କାମ କରୁଥିଲେ ଦୀପକଙ୍କ ବାପା ନୀଳମଣି । ହେଲେ ସୂତାକଳ ବନ୍ଦ ହୋଇଯିବା ପରେ ତାଙ୍କ ପରିବାର ଉପରେ ଦୁଃଖର କଳାବାଦଲ ଘୋଟିଥିଲା । ରୋଜଗାର ହରାଇଥିଲା ପରିବାର । ସେପଟେ ବେଡ଼ି ଉପରେ କୋରଡ଼ା ସଦୃଶ ହଠାତ୍ ଅସୁସ୍ଥ ହୋଇପଡ଼ିଲେ ନୀଳମଣି । ପୁଅକୁ ପାଠ ପଢ଼ାଇବାକୁ ଯାଇ ମା’ ସୁମନା ଘରୋଇ ତନ୍ତରେ ଶ୍ରମିକ ଭାବେ ଦିନ ମଜୁରିଆ ଭାବେ କାମ କରିବା ଆରମ୍ଭ କଲେ ।
ପାଠପଢ଼ା ପ୍ରତି ଦୀପକଙ୍କ ଉତ୍ସାହ ଦେଖି ଦିନ ରାତି ଖଟିଖଟି ପାଠ ପଢାଇଥିଲେ ମା’ ସୁମନା । ତୁଳସୀ ଦୁଇପତ୍ରରୁ ବାସିଲା ପରି ପିଲାବେଳୁ ଖୁବ ମେଧାବୀ ଓ ପରିଶ୍ରମୀ ଥିଲେ ଦୀପକ । ଗୋଟିଏ ପଟେ ପାଠ ପଢ଼ିବାର ମନୋବୃତ୍ତ ଅନ୍ୟପଟେ ମା’ର କଷ୍ଟକୁ ଆଖି ଆଗରେ ରଖି ପାଠ ପଢ଼ିବା ଆରମ୍ଭ କଲେ ଦୀପକ । ମାଣିଆବନ୍ଧ ସରକାରୀ ଉଚ୍ଚବିଦ୍ୟାଳୟରୁ ମାଟ୍ରିକରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ । ଆଉ ତା’ପରେ ନୂଆପାଟଣା ଚୈତନ୍ୟ ସାହୁ ମହାବିଦ୍ୟାଳୟରୁ +୩ ପାସ କରି ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ପରେ ଜ୍ୟୋତିବିହାର ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଏମଫିଲ କରିଥିଲେ । ଆଉ ତା’ପରେ ଅହମଦାବାଦରୁ ପିଏଚଡ଼ି ଡ଼ିଗ୍ରୀ ହାସଲ କରିଥିଲେ । ଅରକ୍ଷିତକୁ ଦୈବ ସାହା ପରି ଚୈତନ୍ୟ ସାହୁ ମହାବିଦ୍ୟାଳୟର ଅଧ୍ୟାପକ ପ୍ରଦୀପ କୁମାର ଦୀପକଙ୍କୁ ପଢ଼ାଇବା ପାଇଁ ଚିନ୍ତା କରିଥିଲେ । ତାଙ୍କ ପ୍ରତିଭାକୁ ଚିହ୍ନି ନିଜ ଟଙ୍କାରେ ଉଚ୍ଚଶିକ୍ଷା ଗ୍ରହଣ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ ।
ତା’ ପରଠାରୁ ପଛକୁ ଫେରି ଚାହିଁ ନାହାନ୍ତି ଦୀପକ । ଏବେ ଅନ୍ତରୀକ୍ଷ ଗବେଷଣା କ୍ଷେତ୍ରରେ ରିସର୍ଚ୍ଚ ଆସୋସିଏଟ ଭାବେ କାର୍ଯ୍ୟରତ । ତାଙ୍କ ପ୍ରତିଭାକୁ ସମ୍ମାନିତ କରିଛି ଆମେରିକା । ୨୦୦୫ ମସିହାରୁ ପ୍ରଚଳିତ ଅନ୍ତର୍ଜାତୀୟ ବୈଜ୍ଞାନିକ ସମ୍ମାନ ପାଇବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ । ନାସା ପକ୍ଷରୁ ଯୁବ ବୈଜ୍ଞାନିକ ଭାବେ ସମ୍ମାନିତ ହେବାପାରେ ଦୀପକ କେବଳ ନିଜ ଗାଁ ପାଇଁ ନୁହେଁ ଓଡ଼ିଶା ତଥା ସାରା ଦେଶ ପାଇଁ ଗୌରବ ଆଣିଛନ୍ତି । ଦୀପକ ପ୍ରମାଣିତ କରିଛନ୍ତି ପ୍ରତିକୂଳ ପରିସ୍ଥିତିରେ ବି ଦୃଢ ବିଶ୍ୱାସ ଥିଲେ ସଫଳତା ପାଇବା ଦିଗରେ ପ୍ରତିବନ୍ଧକ ନିଶ୍ଚିତ ରୂପେ ହାର ମାନିବ ।