ମହାରାଷ୍ଟ୍ର ସମବାୟ ବ୍ୟାଙ୍କ ଦୁର୍ନୀତି ମାମଲାରେ ପାୱାରଙ୍କ ବୟାନ : ମୁଁ ଦିଲ୍ଲୀ ସାମ୍ନାରେ ମୁଣ୍ଡ ନୁଆଁଇବି ନାହିଁ; ୨୭ରେ ଇଡିରେ ହାଜର ହେବି
ମୁମ୍ବାଇ : ଟଙ୍କା ହେରଫେର (ମନି ଲଣ୍ଡରିଂ) ମାମଲାେର କଂଗ୍ରେସର ଦୁଇ ବରିଷ୍ଠ ନେତା ପି. ଚିଦମ୍ବରମ ଏବଂ ଡି. ଶିବ କୁମାର ଗିରଫ ହୋଇ ଜେଲ ହାଜତରେ ଥିବା ବେଳେ ଏବେ ଏନସିପି ମୁଖ୍ୟ ଶରଦ ପାୱାର ମଧ୍ୟ ଏଭଳି ଏକ ମାମଲାରେ ଛନ୍ଦି ହୋଇଛନ୍ତି। ଶରଦ ପାୱାର ଏବଂ ତାଙ୍କ ପୁତୁରା ଅଜିତ ପାୱାରଙ୍କ ବିରୋଧରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ମନି ଲଣ୍ଡ୍ରିଂ ମାମଲା ରୁଜୁ କରିଛି। ୨୫ ହଜାର କୋଟି ଟଙ୍କାର ମହାରାଷ୍ଟ୍ର ରାଜ୍ୟ ସମବାୟ ବ୍ୟାଙ୍କ ଦୁର୍ନୀତି ମାମଲାରେ ପାୱାର ଏବଂ ଅନ୍ୟ ୭୫ ଜଣଙ୍କ ନାମରେ ବିରୋଧରେ ଇଡି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଏଥିରେ ଅଧିକାଂଶ ହେଉଛନ୍ତି ଏନସିପି ନେତା।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଘଟଣାରେ ନିଜର ପ୍ରତିକ୍ରିୟା ଦେଇଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର। ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ସେ କହିଛନ୍ତି, ‘ମୁଁ ଦିଲ୍ଲୀ ସାମ୍ନାରେ କେବେ ବି ମୁଣ୍ଡ ନୁଆଁଇବି ନାହିଁ। ସେପଟେମ୍ବର ୨୭ରେ ମୁମ୍ବାଇସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କାର୍ଯ୍ୟାଳୟରେ ହାଜର ହେବି । ଏଥିସହ ମୋ ନିକଟରେ ଥିବା ମାମଲା ସଂପର୍କିତ ସମସ୍ତ କାଗଜପତ୍ର ଦାଖଲ କରିବି।’
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଆଉ ମାତ୍ର ଅଳ୍ପଦିନ ବାକି ଥିବା ବେଳେ ପାୱାର୍ଙ୍କ ବିରୋଧରେ ମନି ଲଣ୍ଡ୍ରିଂ ମାମଲା ରାଜ୍ୟ ରାଜନୀତିକୁ ସରଗରମ କରିଛି। ଶରଦ ପାୱାର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ଯେଉଁ ମାମଲାରେ ତାଙ୍କ ନାମ ଏଫ୍ଆଇଆର୍ରେ ରଖାଯାଇଛି ସେଥିରେ ସେ ସଦସ୍ୟ ମଧ୍ୟ ନାହାନ୍ତି। ନ୍ୟାୟପାଳିକା ଉପରେ ମୋର ଭରସା ରହିଛି। ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଚାଲିଥିବା ପ୍ରଚାର ଅଭିଯାନରେ ତାଙ୍କ ପ୍ରତି ସମର୍ଥନ ବୃଦ୍ଧି ପାଉଥିବାରୁ ତାଙ୍କ ବିରୋଧରେ ଏଭଳି ଷଡ଼ଯନ୍ତ୍ର କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଜନସାଧାରଣ ବୋକା ନୁହନ୍ତି, ତେଣୁ ସେମାନେ ବୁଝି ପାରିବେ କେଉଁ ଅଭିସନ୍ଧି ରଖି ମତେ ମାମଲାକୁ ଟଣାଯାଉଛି।
ସୂନଚାଯୋଗ୍ୟ ଯେ ମୁମ୍ବାଇ ହାଇକୋର୍ଟଙ୍କ ନିର୍ଦେଶ କ୍ରମେ ଚାଲିଥିବା ଏହି ମାମଲାରେ ମହାରାଷ୍ଟ୍ର ରାଜ୍ୟ ସମବାୟ ବ୍ୟାଙ୍କ୍ର ତତ୍କାଳୀନ ଅଧ୍ୟକ୍ଷ, ଏମ୍ଡି ଏବଂ ନିର୍ଦ୍ଦେଶକମାନଙ୍କ ବିରୋଧରେ ମଧ୍ୟ ଇଡି ମନି ଲଣ୍ଡ୍ରିଂ ମାମଲା ରୁଜୁ କରିଥିବା ପ୍ରକାଶ।