ଡେନ୍ମାର୍କ ଓପନ୍ : ସାଇନା ବିଦା, ପ୍ରି-କ୍ବାର୍ଟରରେ ସମୀର
ଓଡେନ୍ସେ : ଭାରତୀୟ ତାରକା ସାଇନା ନେହ୍ବାଲ ଚଳିତ ଡେନ୍ମାର୍କ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରୁ ସଅଳ ବିଦାୟ ନେଇଛନ୍ତି। ବୁଧବାର ମହିଳା ଏକକ ପ୍ରଥମ ରାଉଣ୍ଡରେ ସାଇନା ଜାପାନ ପ୍ରତିଦ୍ବନ୍ଦ୍ବୀ ସାୟାକା ଟାକାହାସୀଙ୍କ ନିକଟରୁ ସିଧାସଳଖ ଗେମ୍ ୧୫-୨୧ ଓ ୨୧-୨୩ରେ ପରାସ୍ତ ହୋଇଛନ୍ତି। ତେବେ ଅନ୍ୟତମ ଭାରତୀୟ ସମୀର ବର୍ମା ପୁରୁଷ ଏକକରେ ଏବଂ ପ୍ରଣବ ଜେରି ଚୋପ୍ରା-ଏନ୍ ସିକ୍କି ରେଡ୍ଡୀ ମିଶ୍ରିତ ଯୁଗଳରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ସମୀର ପ୍ରଥମ ରାଉଣ୍ଡ୍ରେ ଜାପାନର କାଣ୍ଟା ସୁନେୟମାଙ୍କୁ ୨୧-୧୧ ଓ ୨୧-୧୧ ସିଧାସଳଖ ଗେମ୍ରେ ପରାସ୍ତ କରିଥିଲା ବେଳେ ପ୍ରଣବ-ସିକ୍କି ଯୋଡ଼ି ପ୍ରଥମ ରାଉଣ୍ଡରେ ଜର୍ମାନି ଯୋଡ଼ି ମାର୍ଭନ୍ ସିଡେଲ୍-ଲିଣ୍ଡା ଇଫ୍ଲେରଙ୍କୁ ୨୧-୧୬ ଓ ୨୧-୧୧ରେ ପରାସ୍ତ କରି ଦ୍ବିତୀୟ ରାଉଣ୍ଡ୍ ତଥା ପ୍ରିକ୍ବାର୍ଟର ଫାଇନାଲ୍ରେ ସ୍ଥାନ ପକ୍କା କରିଛନ୍ତି। ହେଲେ ଅନ୍ୟତମ ଭାରତୀୟ ଯୋଡ଼ି ସାତ୍ତ୍ବିକ୍ସାଇରାଜ ରାଙ୍କିରେଡ୍ଡୀ ଓ ଅଶ୍ବିନୀ ପୋନାପ୍ପା ଶେଷ କ୍ଷଣରେ ଓହରି ଯିବାରୁ ତାଙ୍କ ପ୍ରତିଦ୍ବନ୍ଦ୍ବୀଙ୍କୁ ୱାକ୍ ଓଭର ମିଳିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ମଙ୍ଗଳବାର ପ୍ରଥମ ଦିବସରେ ଦୁଇ ଭାରତୀୟ ତାରକା ପିଭି ସିନ୍ଧୁ ଏବଂ ବି ସାଇ ପ୍ରଣୀତ ବିଜୟରୁ ଅଭିଯାନ ଆରମ୍ଭ କରିଥିଲେ। ମହିଳା ଏକକ ପ୍ରଥମ ରାଉଣ୍ଡରେ ବିଶ୍ବ ବିଜୟିନୀ ସିନ୍ଧୁ ଇଣ୍ଡୋନେସିଆର ପୁର୍ବତନ ବିଶ୍ବ କନିଷ୍ଠ ବିଜୟିନୀ ଗ୍ରିଗୋରିଆ ମାରିସ୍କା ତୁନ୍ଜୁଙ୍ଗ୍ଙ୍କୁ ୨୨-୨୦ ଓ ୨୧-୧୮ରେ ପରାସ୍ତ କରି ଦ୍ବିତୀୟ ରାଉଣ୍ଡ୍ରେ ପହଞ୍ଚିଛନ୍ତି। ସେହିପରି ବିଶ୍ବ ଚାମ୍ପିଅନ୍ସିପ୍ କାଂସ୍ୟ ବିଜେତା ପ୍ରଣୀତ ପୁରୁଷ ଏକକ ପ୍ରଥମ ରାଉଣ୍ଡରେ କିମ୍ବଦନ୍ତୀ ଲିନ୍ ଡାନ୍ଙ୍କୁ ୨୧-୧୪, ୨୧-୧୭ରେ ପରାସ୍ତ କରି ଦ୍ବିତୀୟ ରାଉଣ୍ଡ୍ ପ୍ରବେଶ କରିଛନ୍ତି। ପୁରୁଷ ଯୁଗଳରେ ଥାଇଲାଣ୍ଡ ଓପନ୍ ବିଜେତା ସାତ୍ତ୍ବିକ୍ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ କୋରିଆ ଯୋଡ଼ି କିମ୍ ଗି ଜଙ୍ଗ୍ ଓ ଲି ୟଙ୍ଗ୍ ଡାଇଙ୍କୁ ୨୪-୨୨ ଓ ୨୧-୧୧ରେ ପରାସ୍ତ କରି ପ୍ରଥମ ରାଉଣ୍ଡ୍ ପାରି ହୋଇଥିଲା ବେଳେ ପୂର୍ବତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବିଜେତା ପରୁପଲ୍ଲୀ କାଶ୍ୟପ ଏହି ରାଉଣ୍ଡ ହାରି ଯାଇଛନ୍ତି। ତାଙ୍କୁ ଥାଇଲାଣ୍ଡ୍ର ସିଥିକମ୍ ଥାମାସିନ୍ ୨୧-୧୩ ଓ ୨୧-୧୨ରେ ପରାସ୍ତ କରିଦେଇଛନ୍ତି। ଜାତୀୟ ବିଜେତା ସୌରଭ ବର୍ମା ମଧ୍ୟ ପ୍ରଥମ ରାଉଣ୍ଡ୍ରୁ ବିଦାୟ ନେଇଛନ୍ତ। ଚଳିତ ବର୍ଷ ହାଇଦ୍ରାବାଦ ଓପନ୍ ଓ ଭିଏତ୍ନାମ ଓପନ୍ ଜିତିଥିବା ସୌରଭ ୨୧-୧୯, ୧୧-୨୧ ଓ ୧୭-୨୧ରେ ନେଦରଲାଣ୍ଡ୍ର ମାର୍କ କାଜୌଙ୍କଠୁ ହାରିଛନ୍ତି।